Advertisment

ଟ୍ରେନ୍‌ ଦୁର୍ଘଟଣା: ଦେବଦୂତ ସାଜିଲେ ଗାଁ ଲୋକେ

Advertisment
ଟ୍ରେନ୍‌ ଦୁର୍ଘଟଣା: ଦେବଦୂତ ସାଜିଲେ ଗାଁ ଲୋକେ

ବାଲେଶ୍ୱର :ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇ ଦ୍ରୁତଗାମୀ ଟ୍ରେନ୍‌ ଦୁର୍ଘଟଣାରେ ଅଞ୍ଚଳବାସୀ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ପାଇଥିଲେ। ଏହାପରେ ଆଖପାଖରେ ଥିବେ କୃଷ୍ଣପୁର, ଇଚ୍ଛାପୁର, କମାରିପୁର, ଷଠୀ, ଅସିମିଳା, ବଡ଼ଗାଁ, ଗୋପାଳପୁର ଆଦି ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ ଘଟଣାସ୍ଥଳରେ ଧାଇଁଥିଲେ। ଏହି ସମୟରେ ସଙ୍ଗେ ସଙ୍ଗେ ବିଦ୍ୟୁତ୍‌କାଟ ହୋଇଯିବା ସହ ଟ୍ରେନ୍‌ ଲାଇନ୍‌ ଆଡ଼ୁ ଆର୍ତ୍ତ ଚିତ୍କାର ଶୁଭିଥିଲା। ରେଳଫାଟକ ଠାରୁ କିଛି ଦୂରରେ ନାରାୟଣ ମହାନ୍ତି ନାମକ ଜଣେ ଯୁବକଙ୍କର ଦୋକାନ ଥିବାବେଳେ ତାଙ୍କ କହିବା ଘଟଣା ସ୍ଥଳରେ ପ୍ରଶାସନ କିମ୍ବା ଉଦ୍ଧାରକାରୀ ଦଳ ପାଖାପାଖି ଅଢ଼େଇ ଘଣ୍ଟା ପରେ ପହଞ୍ଚି ଥିଲା। ସେତେବେଳକୁ ଗ୍ରାମବାସୀ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ।

ରେଳ ଡବାଗୁଡ଼ିକ ପରସ୍ପର ଉପରକୁ ଚଢ଼ିଯାଇଥିବା ବେଳେ ‌ସେଠାକୁ ଯିବାକୁ ଭୟ ଲାଗୁଥିଲା। ତା ସତ୍ତ୍ବେ ବି ଜୀବନକୁ ବାଜି ଲଗାଇ ଗ୍ରାମବାସୀ ଲୋକମାନଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ କୁଢ଼କୁଢ଼ ଶବ ଟ୍ରେନ୍‌ ଭିତରୁ ବାହାରି ଥିବା ବେଳେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଶହଶହ ଲୋକଙ୍କୁ ଗ୍ରାମବାସୀ କାହାକୁ ଅପେକ୍ଷା ନକରି ନିଜ ନିଜ ଗାଡ଼ିରେ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଗ୍ରାମର ମହିଳା ଓ ଛୋଟଛୋଟ ପିଲାମାନେ ମଧ୍ୟ ପିଇବା ପାଣି ଓ ଖାଦ୍ୟ ପ୍ରଦାନ କରିଥିଲେ। ସେହିପରି ନିଜ ମୋବାଇଲ ଲାଇଟ ଓ ଟର୍ଚ୍ଚ ଲାଇଟ ସାହାଯ୍ୟରେ ପାରୁ ପର୍ଯ୍ୟନ୍ତ ପୀଡ଼ିତଙ୍କୁ ଉଦ୍ଧ‌ାର କରିଥିଲେ। ରାତି ତମାମ୍‌ ଗ୍ରାମବାସୀ ଭୋକ ଉପାସରେ ରହି ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଅନେକ ଲୋ‌କ ତାଙ୍କ ଘରେ ଆହତମାନଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରାଇଥିଲେ। ପ୍ରଶାସନ କିମ୍ବା ଉଦ୍ଧାରକାରୀ ଦଳଙ୍କୁ ଯଦି ଅପେକ୍ଷା କରାଯାଇଥାନ୍ତା ତାହେଲେ ମୃତ୍ୟୁ ସଂଖ୍ୟା ଆହୁରି ଦ୍ବିଗୁଣିତ ହୋଇଯାଇଥାନ୍ତା ବୋଲି ନାରାୟଣ କହିଛନ୍ତି। ସବୁ ପରେ ଏଭଳି ଏକ ଭୟଙ୍କର ତଥା ଛାତିଥରା ଦୁର୍ଘଟଣାରେ ଦେବଦୂତ ସାଜି ଉଦ୍ଧାର କାର୍ଯ୍ୟ କରିଥିବା ‌ଗ୍ରାମବାସୀମାନଙ୍କର ଏହି ମାନବିକତାକୁ ସବୁରି ମହଲରୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe