ଅଜଣା ରୋଗରେ ବଙ୍କେଇ ଯାଉଛି ପିଠିଅଣ୍ଟା : ୫ବର୍ଷରେ ଗଲାଣି ୧୦ ଜୀବନ, ୨୫ରୁ ଉର୍ଦ୍ଧ ଶଯ୍ୟାଶାୟୀ

ଅଜଣା ରୋଗରେ ବଙ୍କେଇ ଯାଉଛି ପିଠିଅଣ୍ଟା : ୫ବର୍ଷରେ ଗଲାଣି ୧୦ ଜୀବନ, ୨୫ରୁ ଉର୍ଦ୍ଧ ଶଯ୍ୟାଶାୟୀ

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ବରଝୁଲି ଗ୍ରାମରେ କିଛିବର୍ଷ ହେଲା ଦେଖାଦେଇଛି ଏକ ଅଜଣା ରୋଗ। ଏଥିରେ ପୀଡିତ ଲୋକର ପ୍ରାରମ୍ଭରୁ ପିଠିଅଣ୍ଟା ସବୁ ଆଶ୍ଚର୍ଯ୍ୟ ଜନକ ଭାବେ ବଙ୍କା ହୋଇଯାଉଛି। ଧିରେ ଧିରେ ଚଲାବୁଲା କରିବାକୁ ଅକ୍ଷମ ହୋଇ ରୋଗ ଶଯ୍ୟାରେ ପଡିରହୁଛନ୍ତି। ଏହିଭଳି ଭାବେ ବିଗତ ୫ବର୍ଷ ମଧ୍ୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଏଯାଏଁ ଗ୍ରାମର ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ରୋଗଶଯ୍ୟାରେ ପଡି ୨୫ରୁ ଉର୍ଦ୍ଧ ଆକ୍ରାନ୍ତ ବ୍ୟକ୍ତି ଜୀବନ ମରଣ ସହ ସଂଗ୍ରାମ କରୁଥିବା ଦେଖାଯାଇଛି। ହେଲେ ସବୁଠାରୁ ପରିତାପର ବିଷୟ ଏହି ମାରାତ୍ମକ ଅଜଣା ରୋଗ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ କେଇବର୍ଷ ପୂର୍ବରୁ ଅବଗତ ହୋଇ ସାରିଥିଲେ ମଧ୍ୟ ଆନ୍ତରିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଆଜିଯାଏ ଏହାର ସ୍ଥାୟି ନିରାକରଣ ପାଇଁ ବ୍ୟବସ୍ଥା କରିବାପାଇଁ ସକ୍ଷମ ହୋଇପାରିନାହିଁ। ଓଲଟି ସ୍ଥାନୀୟ ଲୋକେ ବ୍ୟବହାର କରୁଥିବା ପାଣିର ନମୁନା ସଂଗ୍ରହକରି ପରୀକ୍ଷଣ ଆଳରେ ହାତବାନ୍ଧି ବସିଥିବାରୁ ବୁଦ୍ଧିଜୀବି ଓ ଜଣାଶୁଣା ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

publive-image

ଏହି ଗ୍ରାମରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସବୁ ବୟସର ଲୋକେ ଏହି ରୋଗର ଶିକାର ହେଉଛନ୍ତି। ଅଳ୍ପ ବୟସରେ ଓ ଯୁବକମାନେ ଏହି ରୋଗରେ ପଡ଼ି ଅଣ୍ଟାପିଠି ବଙ୍କା ହୋଇଯିବାରୁ ଠେଙ୍ଗା ସାହାରାରେ ଚଲାବୁଲା କରୁଥିବା ଦେଖିବାକୁ ମିଳିଛି। ସେହିପରି ସେମାନଙ୍କର ଦାନ୍ତ ସବୁ ହଳଦିଆ ହୋଇଯାଉଥିବା ଲକ୍ଷ୍ୟ କରାଯାଇଛି। ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାକୁ ବାରମ୍ବାର ଯାଇଯାଇ ସାର୍ବସ୍ୱନ୍ତ ହେବାପରେ ଭାଗ୍ୟକୁ ଆଦରି ବିଛଣାରେ ପଡିରହିଛନ୍ତି। ଏହି ରୋଗରେ ପୀଡିତ ସ୍ୱାମୀକୁ ହରାଇ କିଏ ଅଳ୍ପ ବୟସରେ ବିଧବା ହୋଇଛି ତ କିଏ ନିଜ ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ବୃଦ୍ଧ ବାପ ମା ଦୁଃଖରେ ମ୍ରିୟମାଣ ହୋଇ ଜୀବନ କାଟୁଛନ୍ତି। ସରକାରଙ୍କ ଦ୍ଵାରା ଗରିବଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ରେଡ଼କ୍ରସ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ଯୋଗାଇ ଦେବା ଆଦି ମାଳମାଳ ବ୍ୟବସ୍ଥା ରହିଥିବା ବେଳେ ଏମାନଙ୍କ ପାଇଁ ତାହା ସାତ ସପନ ହୋଇ ରହିଯାଇଛି ବୋଲି ଗ୍ରାମବାସୀମାନେ କହନ୍ତି। ଏପରିକି ସେମାନଙ୍କ ପାଇଁ ଚିକିତ୍ସା ସହାୟତା ତ ନହେଲା ନାଇଁ ଅନ୍ତତଃ ପକ୍ଷେ ଅକର୍ମଣ୍ୟ ରୋଗୀଙ୍କୁ ଭତ୍ତା ମଧ୍ୟ ଯୋଗାଇ ଦିଆଯାଇ ନାହିଁ।

publive-image

ଏ ନେଇ ବୌଦ୍ଧ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ତ୍ରିଲୋଚନ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରି ମତାମତ ନେବାରୁ ଏହା କାଇଫୋସିସ ରୋଗର ଲକ୍ଷଣ ଭଳି ଅନୁମାନ କରାଯାଉଛି ତଥାପି ପ୍ରଭାବିତ ଗ୍ରାମକୁ ଯାଇ ତଦନ୍ତ କରିବା ପରେ ହିଁ ସଠିକ କଥା ଜଣାପଡିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଗତ ପ୍ରାୟ ୪ବର୍ଷ ତଳେ ଉକ୍ତ ଗ୍ରାମକୁ ଆସି ତଦନ୍ତ କରି ଫେରିଥିବା ଡାକ୍ତରୀଟିମର ନେତୃତ୍ୱନେଇଥିବା ତତ୍କାଳୀନ ଏଡିଏମଓ ପିଏଚ ଡା ରାମଚନ୍ଦ୍ର ରାଉତ ସେଠାର ଲୋକେ ବ୍ୟବହାର କରୁଥିବା ନଳକୂପ ପାଣିରେ ଅଧିକ ମାତ୍ରାର ଫ୍ଲୋରାଇଡ ଓ ଆଇରନ ଥିବାରୁ ତୁରନ୍ତ ସେମାନଙ୍କୁ ଭ୍ରାମ୍ୟମାଣ ପାଣିଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସହିତ ପରବର୍ତ୍ତୀ ସମୟରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ଯୋଜନା ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ ମାତ୍ର ତାହା ଏଯାଏ କାର୍ଯ୍ୟକାରୀ ହୋଇନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe