ମର୍ଜାକୁଦବାସୀଙ୍କ ଜଳବନ୍ଦୀ ଜୀବନ ପୁଣି ଆରମ୍ଭ, ଭରାନଈରେ ବିପଦପୂର୍ଣ୍ଣ ନୌଯାତ୍ରା

Advertisment

ଅଧାରେ ଅଟକିଛି ପୋଲ ନିର୍ମାଣ

ଅଧାରେ ଅଟକିଛି ପୋଲ ନିର୍ମାଣ

ମର୍ଜାକୁଦବାସୀଙ୍କ ଜଳବନ୍ଦୀ ଜୀବନ ପୁଣି ଆରମ୍ଭ, ଭରାନଈରେ ବିପଦପୂର୍ଣ୍ଣ ନୌଯାତ୍ରା

ବୌଦ୍ଧ : ବୌଦ୍ଧର ଅବିଚ୍ଛେଦ୍ୟ ଅଙ୍ଗ ମର୍ଜାକୁଦ ଦ୍ବୀପ। ବୌଦ୍ଧ ଏନ୍‌ଏସିର ୧୩ ଓ ୧୪ ନଂ ୱାର୍ଡ ଅନ୍ତର୍ଭୁକ୍ତ ହୋଇଥିଲେ ସୁଦ୍ଧା ଏବେବି ନିର୍ବାସିତ ଜୀବନ ବିତାଉଛନ୍ତି। ଚାରିପଟରୁ ମହାନଦୀ ଘେରି ରହିଥିବାବେଳେ ନିତ୍ୟ ବ୍ୟବହାର୍ଯ୍ୟ ଓ ଜରୁରୀ ସେବାପାଇଁ ଏଠାକାର ଲୋକେ ବୌଦ୍ଧ ସହର ଉପରେ ନିର୍ଭର କରନ୍ତି। ବୌଦ୍ଧରୁ ମାତ୍ର ୨ କିମି ଦୂରରେ ରହିଥିଲେ ମଧ୍ୟ ମଝିରେ ପ୍ରବାହିତ ମହାନଦୀ ଏହି ଅଂଚଳକୁ ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ କରିଦେଇଛି। ଅଂଚଳବାସୀ ବର୍ଷର ୬ ମାସ ଅସ୍ଥାୟୀ ରାସ୍ତାରେ ଯାତାୟାତ କରୁଥିବାବେଳେ ଅବଶିଷ୍ଟ ୬ ମାସ ଡଙ୍ଗା ହିଁ ଭରସା।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ନଦୀର ଜଳସ୍ତର ବଢ଼ିବାପରେ ପୁଣି ଅଂଚଳବାସୀଙ୍କ ଜଳବନ୍ଦୀ ଜୀବନ ଆରମ୍ଭ ହୋଇଛି। ଭରାନଈରେ ଟଳମଳ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା କରିବାକୁ ପଡୁଛି। ଯେ କୌଣସି ମୂହୁର୍ତ୍ତରେ ଡଙ୍ଗାବୁଡ଼ିର ଆଶଙ୍କା ରହିଛି। ସବୁ ଜାଣି ମଧ୍ୟ ଜୀବନଜୀବିକା ପାଇଁ ବିପଦକୁ ଆପଣେଇବାକୁ ସେମ‌ାନେ ବାଧ୍ୟ ହେଉଛନ୍ତି। ଏପରିକି ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେଉ ବା ରୋଗୀ ଚିକିତ୍ସା ଡଙ୍ଗାରେ ପାରିହୋଇ ବୌଦ୍ଧକୁ ଆସିବାକୁ ହେଉଛି। ପୂର୍ବରୁ ଡଙ୍ଗା ଚଳାଚଳ ପ୍ରଶାସନ ନିୟନ୍ତ୍ରଣରେ ରହିଥିଲା। ପୋଲ ନିର୍ମାଣ ଆରମ୍ଭ ହେବା ପରେ ସ୍ଥାନୀୟ ପ୍ରଶାସନ ହାତ ଟେକି ଦେଇଛି। ଚଳିତ ବର୍ଷ ଦୁଇଟି ଜରାଜୀର୍ଣ୍ଣ ଘରୋଇ ଡଙ୍ଗା ଉପରେ ଲୋକେ ନିର୍ଭର କରୁଛନ୍ତି। ଭଙ୍ଗା ଡଙ୍ଗାର ତଳ ପଟୁ ପାଣି ପଶୁଛି। ଡଙ୍ଗାରୁ ନିରନ୍ତର ପାଣି ନିଷ୍କାସନ ନକଲେ ବୁଡ଼ିଯିବା ଆଶଙ୍କା ରହିଛି। ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ଲୋକେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ନଦୀରେ ପାଣି ବଢ଼ିଲେ ଯାତାୟାତ ଅଧିକ ବିପଦପୂର୍ଣ୍ଣ ହେବ। ଫଳରେ ଜିଲ୍ଲା ପ୍ରଶାସନ ଲୋକଙ୍କ ଯାତାୟତ ପାଇଁ ଲଞ୍ଚର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲେ ‌ହେଁ ଅଧୁରା ହୋଇ ରହିଯାଇଥିବାରୁ ସେମାନଙ୍କ ସମସ୍ୟାର ଅନ୍ତ ହେଉନାହିଁ ବୋଲି ‌‌ସ୍ଥାନୀୟ ଲୋକମାନେ କହିଛନ୍ତି। ମର୍ଜାକୁଦବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ୨୦୧୯ ଫେବ୍ରୁଆରି ୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ-ମର୍ଜାକୁଦ ପୋଲର ଶିଳାନ୍ୟାସ କରିଥିଲେ। ୩୯ କୋଟି ୨୬ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟ ଅଟକଳ ଥିବାବେଳେ ଡିସେମ୍ବର ୨୦୨୦ରେ ଏହାର ନିର୍ମାଣ ଶେଷ ହେବାର ଥିଲା। ପ୍ରାୟ ୬୦ ପ୍ରତିଶତ କାମ ଶେଷ ହୋଇଯାଇଥିବା ବିଭାଗୀୟ କର୍ତ୍ତୃପକ୍ଷ କହୁଥିବାବେଳେ ଆଉ ଆଗେଇ ନପାରି ସେତିକିରେ ଅଟକି ରହିଛି। ଇତିମଧ୍ୟରେ ନୂତନ ଭାବରେ ୬୩ କୋଟି ୨୫ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ଅଟକଳର ପ୍ରସ୍ତାବ ରଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ତେବେ, କେବେ ପୋଲ ନିର୍ମାଣ ଶେଷ ହେବ ଏବଂ ଜୀବନଯାପନ ସ୍ବାଭାବିକ ହେବ, ସେହି ଦିନକୁ ମର୍ଜୁକୁଦବାସୀ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe