ପାନୀୟ ଜଳ ସମସ୍ୟାର ସମାଧାନ ନେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ପାନୀୟ ଜଳ ସମସ୍ୟାର ସମାଧାନ ନେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବଡ଼ଭୀମାଗୁଡା ଗ୍ରାମବାସୀ ପାନୀୟ ଜଳ ସମସ୍ୟାର ସମାଧାନ ନେଇ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ବେଳେ ଆଜି ଧୋଡ୍ରା-ସିଂଶାରୀ ରାସ୍ତାର ଦୁଇଟି ସ୍ଥାନରେ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ଏହି ରାସ୍ତା ଦେଇ ଲୋକ ପଡ଼ୋଶୀ ଛତିଶଗଡ଼ ଯାଉଥିବା ବେଳେ ଲୋକମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଖରାକୁ ଖାତିରି ନକରି ରାସ୍ତା ଉପରେ ମହିଳାମାନେ ଖାଲି ହାଣ୍ଡି ରଖି ରାସ୍ତା ଅବରୋଧ କରିବା ପରେ ଆଠ ଘଣ୍ଟା ପରେ ପାନୀୟ ଜଳ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୁ ହଟିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ପ୍ରକରେ ବଡ଼ଭୀମାଗୁଡା ଗ୍ରାମରେ ପ୍ରାୟ ୨ଶହ ପରିବାର ରହୁଛନ୍ତି। ପ୍ରଶାସନ ପକ୍ଷରୁ ବଡ଼ଭୀମାଗୁଡା ଗ୍ରାମରେ ଦୀର୍ଘ ବର୍ଷ ତଳେ ଚାରି ଗୋଟି ନଳକୂପ ଖନନ ହୋଇଥିଲା। ସେହି ନଳକୂପଗୁଡ଼ିକରେ ଲୌହଯୁକ୍ତ ପାଣି ବାହାରୁଥିବା ଯୋଗୁଁ ପାନୀୟ ଜଳ ଭାବେ ବ୍ୟବହାର ହୋଇପାରୁ ନାହିଁ। ବହୁବାର ଗ୍ରାମବାସୀ ଦାବି କରିବା ପରେ ବଡ଼ଭୀମାଗୁଡା ଗ୍ରାମରେ ପ୍ରଶାସନ ପକ୍ଷରୁ ଗଭୀର ନଳକୂପ ଖନନ କରି ଘରେ ଘରେ ଏବଂ ବିଭିନ୍ନ ସ୍ଥାନରେ ଷ୍ଟେଣ୍ଡ ପୋଷ୍ଟ ଯୋଗେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆ ଯାଉଥିଲା। କିଛି ବର୍ଷ ଲୋକମାନେ ପାଣି ପାଇବା ପରେ ସେହି ଗଭୀର ନଳକୂପରୁ ପାଣି ବାହାରିନଥିଲା। ଫଳରେ ବଡ଼ଭୀମାଗୁଡା ଗ୍ରାମବାସୀ ପାନୀୟ ଜଳ ନେଇ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଘଟଣା ନେଇ ବହୁବାର ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଠାରେ ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ଦୁଇଟି ଗଭୀର ନଳକୂପ କିଛି ଦିନ ତଳେ ଖନନ ହୋଇଥିଲା।

ତେବେ ନୂତନ ଦୁଇଟି ନଳକୂପରୁ ମଧ୍ୟ ପାଣି ଯଥେଷ୍ଟ ବାହାରି ନଥିଲା। ଫଳରେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରି ନଥିଲା। ଶେଷରେ ଆଜି ବଡ଼ଭୀମାଗୁଡା ଗ୍ରାମବାସୀ ଧୋଡ୍ରା-ସିଂଶାରୀ ରାସ୍ତାର ବଡ଼ଭୀମାଗୁଡା ଏବଂ ମାଝୀଗୁଡା ଛକ ନିକଟରେ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଥିଲେ। ଝରିଗାଁ ଆରଡବ୍ଲୁଏସ୍‌ଏସ୍‌ କନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜ ବାଗ ଏବଂ ଧୋଡ୍ରା ପିଇଓ ସଦାନନ୍ଦ ହିଆଲ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ବୁଧବାର ବଡ଼ଭୀମାଗୁଡ଼ା ଏବଂ ମାଝୀଗୁଡ଼ା ଠାରେ ନୂତନ ନଳକୂପ ଖନନ ହେବା ସହ ନୂତନ ନଳକୂପ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଟେଙ୍କର ଯୋଗେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ କରାଯିବା ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe