The New Indian Express
ବ୍ରହ୍ମପୁର : ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିଲାନି କି, ଟୋପାଏ ପାଣି ପାଇଁ ଗାଁକୁ କୌଣସି ଯୋଜନାରେ ସାମିଲ କରାଗଲାନି। ଆଲୋକୀକରଣ ବ୍ୟବସ୍ଥା ନକହିବା ଭଲ। ସବୁ ବିକାଶମୂଳକ ଯୋଜନା କେବଳ ପ୍ରତିଶ୍ରୁତିରେ ସୀମିତ ରହିଗଲା। ଏପରିକି ଦୁଇ ଦୁଇଟି ନିର୍ବାଚନକୁ ବର୍ଜନ କରିବା ଓ ଆଇନ୍ର ଆଶ୍ରୟ ନେବା ସତ୍ତ୍ବେ କୌଣସି ସୁଫଳ ମିଳିଲା ନାହିଁ। ଫଳରେ ତୃତୀୟ ଥର ପାଇଁ ଅର୍ଥାତ୍ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ମାଣିକ୍ୟପୁର ପଞ୍ଚାୟତ ଅଧୀନ ମହେଶ୍ବପୁର ଗ୍ରାମବାସୀ ସାମୂହିକ ନିଷ୍ପତ୍ତି ନେଇଛନ୍ତି। ପଞ୍ଚାୟତ ସହ ସେମାନଙ୍କ କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି।
ମିଳିଥିବା ସୂଚନାନୁସାରେ, ଖଲ୍ଲିକୋଟ ବ୍ଲକ୍ର ମହେଶ୍ବରପୁର ଗ୍ରାମ ଖଲ୍ଲିକୋଟ ବ୍ଲକ୍ ଗଠନ ସମୟରୁ କହ୍ନେଇପୁର ପଞ୍ଚାୟତରେ ଅଧୀନରେ ବହୁବର୍ଷ ଧରି ରହିଥିଲା। ହେଲେ ୨୦୧୭ରେ ପଞ୍ଚାୟତ ପୁନର୍ଗଠନ ପ୍ରକ୍ରିୟା ମୁତାବକ, ଏହି ଗ୍ରାମକୁ ମାଣିକ୍ୟପୁର ପଞ୍ଚାୟତ ସହ ସାମିଲ କରାଗଲା। କିନ୍ତୁ ଦୁଃଖର କଥା ହେଲା, ମାଣିକପୁର ଓ ମହେଶ୍ବରପୁର ଗ୍ରାମ ମଧ୍ୟରେ ବହୁବାର ଦାବି ସତ୍ତ୍ବେ ୩ କିଲୋମିଟର ପକ୍କା ରାସ୍ତା ନିର୍ମାଣ କରାଯାଇପାରିଲାନି। ଫଳରେ ଗ୍ରାମବାସୀ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପଞ୍ଚାୟତିରାଜ ଅଧିକାରୀ ଓ ରାଜ୍ୟ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନେଙ୍କୁ ଲିଖିତ ଭାବେ ପ୍ରତିବାଦ ଜଣାଇଥିଲେ। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବା ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ୨୦୧୭ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ। ତଥାପି ପ୍ରଶାସନ ସେମାନଙ୍କ ଦାବିକୁ ଗୁରୁତ୍ବର ସହ ଗ୍ରହଣ କରି ନଥିଲା। ଫଳରେ ୨୦୧୯ ମସିହାରେ ଗ୍ରାମବାସୀ ବିଧାନସଭା ଓ ଲୋକସଭା ଭୋଟକୁ ବର୍ଜନ କରିବା ସହ ଓଡ଼ିଶା ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ।
ବର୍ତ୍ତମାନସୁଦ୍ଧା ଗ୍ରାମରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରୁନି। ପାନୀୟଜଳ ସଙ୍କଟ ଲାଗିରହିଥିବା ବେଳେ ଅର୍ଦ୍ଧାଧିକ ବିଦ୍ୟୁତ୍ ଖୁଣ୍ଟରେ ଲାଗିଥିବା ସୌର ଆଲୋକ ଭିଭିଗଲାଣି। ବ୍ଲକ୍ କାର୍ଯ୍ୟାଳୟର କର୍ମଚାରୀମାନେ ଗାଁରେ ଥିବା ବିଭିନ୍ନ ହିତାଧିକାରୀଙ୍କୁ ଆସି ଭତ୍ତା ବାଣ୍ଟୁଛନ୍ତି। କହ୍ନେଇପୁର ପଞ୍ଚାୟତରେ ଖାଦ୍ୟ ନିରାପତ୍ତା ଚାଉଳ ବଣ୍ଟନ କରାଯାଉଛି। ଗ୍ରାମରେ ବହୁ କଲ୍ୟାଣକାରୀ ଯୋଜନା ଆଜି ବି ଅପହଞ୍ଚ ପାଲଟିଛି। ଫଳରେ ଲଗାତାର ତୃତୀୟ ଥର ପାଇଁ  ତଥା ପଞ୍ଚାୟତ ନିର୍ବାଚନକୁ ମଧ୍ୟ ବର୍ଜନ କରିବାକୁ ଗ୍ରାମବାସୀ ଦୃଢ଼ ନିଷ୍ପତ୍ତି ନେଇଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ, ଏଠାରେ ୪୫୦ ପରିବାରର ପ୍ରାୟ ୨୨୦୦ ଭୋଟର୍ ରହିଥିବା ବର୍ତ୍ତମାନ ତାହା ୨୬୦୦ ରୁ ୨୭୦୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗ୍ରାମର କୌଣସି ଶ୍ରମିକଙ୍କୁ ମନରେଗା ଯୋଜନାରେ ସାମିଲ କରାଯାଇନି। ବିଭିନ୍ନ ଉନ୍ନୟନ କାମରେ ବ୍ୟାପକ ହେରଫେର୍ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
                            
                        
                        
                        
                    
  
 Follow Us