ପଞ୍ଚାୟତ ହେବାର ୪ ବର୍ଷ ପରେ ବି ପିଡିଏସ୍ ସାମଗ୍ରୀ ପାଇଁ ୮ କିମି ଯାଉଛନ୍ତି ହିତାଧିକାରୀ

Advertisment
ପଞ୍ଚାୟତ ହେବାର ୪ ବର୍ଷ ପରେ ବି ପିଡିଏସ୍ ସାମଗ୍ରୀ ପାଇଁ ୮ କିମି ଯାଉଛନ୍ତି ହିତାଧିକାରୀ

ଦଶପଲ୍ଲା : ନୂତନ ପଞ୍ଚାୟତ ହେବାର ୪ ବର୍ଷ ପରେ ବି ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କୁ ମିଳୁନି ପିଡିଏସ୍ ସାମଗ୍ରୀ। ବାରମ୍ବାର ଅଭିଯୋଗ ପରେ ବି ହିତାଧିକାରୀମାନଙ୍କୁ ପଞ୍ଚାୟତରେ ଏହା ମିଳିପାରୁ ନାହିଁ। ଏଥିପାଇଁ ଏବେ ବି ହିତାଧିକାରୀମାନେ ୮ କିମି ବଣ ପାହାଡ଼ ଓ ବୃତଙ୍ଗ ନଦୀ ପାର ହୋଇ ଅନ୍ୟ ପଞ୍ଚାୟତକୁ ଯାଉଛନ୍ତି। ପୁଣି ଏହି ପିଡିଏସ୍ ସାମଗ୍ରୀ ପାଇଁ ଜୀବନ ବାଜି ଲାଗୁଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଦୁଡ଼ା ପଞ୍ଚାୟତରେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗରିବ ହିତାଧିକାରୀମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଜନାରେ ପିଡିଏସ୍ ସାମଗ୍ରୀ ଯୋଗାଇ ଆସୁଥିବା ବେଳେ ଏହି ସାମଗ୍ରୀ ହିତାଧିକାରୀମାନଙ୍କ ନିକଟରେ ଅପହଞ୍ଚ ହୋଇ ରହିଛି। ପ୍ରତ୍ୟେକ ମାସରେ ଏହି ସାମଗ୍ରୀ ପାଇଁ ଦୁଡା ପଞ୍ଚାୟତର ହିତାଧିକାରୀମାନେ ଦୀର୍ଘ ୮ କିମି ବାଣିଗୋଛା ପଞ୍ଚାୟତକୁ ଯାଉଥିବା ଦେଖିବାକୁ ମିଳିଛି।

ଗତ ୪ ବର୍ଷ ତଳେ ଦଶପଲ୍ଲା ବ୍ଲକ୍‌ ଦୁଡାକୁ ନୂତନ ପଞ୍ଚାୟତ ଭାବେ ଘୋଷଣା କରାଯାଇଥିଲା। ପଞ୍ଚାୟତ ଘୋଷଣା ପରେ ସେଠାରେ ନିର୍ବାଚନ କରାଯାଇ ପଞ୍ଚାୟତ ପ୍ରତିନିଧି ନିର୍ବାଚିତ କରାଯାଇଥିଲା। ମାତ୍ର ଦୁର୍ଭାଗ୍ୟର ବିଷୟ ଏବେ ବି ଏହି ପଞ୍ଚାୟତବାସୀଙ୍କ ପାଇଁ ଗମନାଗମନର ସୁବିଧା ହୋଇ ପାରିନଥିବା ବେଳେ ପିଡିଏସ୍ ସାମଗ୍ରୀ ମଧ୍ୟ ପଞ୍ଚାୟତ ଅଫିସରେ ପହଞ୍ଚି ପାରୁନାହିଁ। ଦୁଡ଼ା ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବା ବେଳେ ଏହି ପଞ୍ଚାୟତରେ ୯୦ ପ୍ରତିଶତ ଲୋକ ଆଦିବାସୀ। ପ୍ରତ୍ୟେକ ମାସରେ ଏହି ପଞ୍ଚାୟତର ଲୋକମାନେ ବାଣିଗୋଛା ପଞ୍ଚାୟତକୁ ପିଡିଏସ୍ ସାମଗ୍ରୀ ପାଇଁ ଯାଇଥାନ୍ତି। ମାତ୍ର ଦୀର୍ଘବର୍ଷ ଧରି ବୃତଙ୍ଗ ନଦୀର ପୋଡାପଣ୍ଡାଠାରେ ଏକ ସେତୁ ନିର୍ମାଣ ହେଉଥିବା ବେଳେ ଏହା ଅର୍ଦ୍ଧନିର୍ମତ ଅବସ୍ଥାରେ ରହିଛି। ଫଳରେ ହିତାଧିକାରୀମାନେ ବହୁ କଷ୍ଟରେ ଏହି ପିଡିଏସ୍ ସାମଗ୍ରୀକୁ ମୁଣ୍ଡରେ ମୁଣ୍ଡାଇ ବିପଦପୂର୍ଣ୍ଣ ଭାବେ ବୃତଙ୍ଗ ନଦୀ ପାର ହୋଇ ଘରକୁ ଫେରିଥାନ୍ତି। ଅର୍ଦ୍ଧନିର୍ମିତ ଅବସ୍ଥାରେ ଏହି ପୋଲ କାର୍ଯ୍ୟ ପଡି ରହିଥିବା ବେଳେ ଗମନାଗମନ ପାଇଁ ଲୋକମାନଙ୍କୁ ନାନା ହଇରାଣ ହେବାକୁ ପଡ଼ୁଛି। ଏପରିକି ଦଶପଲ୍ଲା ବ୍ଲକର ମୁଖ୍ୟ କାର୍ଯ୍ୟାଳୟକୁ , ସ୍ବାସ୍ଥ୍ୟକେନ୍ଦ୍ର ଓ ସ୍କୁଲ୍ ଯିବା ପାଇଁ ସମସ୍ତଙ୍କୁ ୪୦ କିମି ଆସିବାକୁ ପଡିଥାଏ। ଏବେ ବାଣିଗୋଛା ପଞ୍ଚାୟତରୁ ପିଡିଏସ୍ ସାମଗ୍ରୀ ନେବା ପାଇଁ ବୃତଙ୍ଗ ନଦୀରେ ପାଣି ଥିବାରୁ ଅର୍ଦ୍ଧନିର୍ମିତ ପୋଲ ଉପରେ ନିଶୁଣି ପକାଇ ହିତାଧିକାରୀମାନେ ସାମଗ୍ରୀ ଧରି ବିପଦସଂକୁଳ ଭାବେ ଯାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe