ପାହାଡ଼ କାଟି ଗାଁକୁ ୩ କିମି ରାସ୍ତା ନିର୍ମାଣ କଲେ ତେନ୍ତୁଳିଗୁଡାବାସୀ

Advertisment

ସରକାରୀ ବ୍ୟବସ୍ଥାକୁ ଶକ୍ତ ଚାପୁଡ଼ା, ଭୋଟ ବର୍ଜନ ଚେତାବନୀ

ସରକାରୀ ବ୍ୟବସ୍ଥାକୁ ଶକ୍ତ ଚାପୁଡ଼ା, ଭୋଟ ବର୍ଜନ ଚେତାବନୀ

ପାହାଡ଼ କାଟି ଗାଁକୁ ୩ କିମି ରାସ୍ତା ନିର୍ମାଣ କଲେ ତେନ୍ତୁଳିଗୁଡାବାସୀ

ଜୟପୁର/ଦଶମନ୍ତପୁର: ଛଅ ଖଣ୍ଡ ଗାଁକୁ ଯାତାୟାତ ପାଇଁ ନାହିଁ ରାସ୍ତା। ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଖରା, ଶୀତରେ ଜଙ୍ଗଲ, ବର୍ଷା ଦିନରେ ଉଛୁଳା ନାଳ ଓ କାଦୁଅ ପଚ ପଚ ରାସ୍ତା ପାର ହେବାକୁ ପଡେ। ରାସ୍ତା ପାଇଁ ପ୍ରଶାସନ ନିକଟରେ ହାରି ଗୁହାରି କରି ଥକିବା ପରେ ଶେଷରେ ହାତରେ କୋଡି କୋଦାଳ ଧରି ପିଲାଠୁ ବୁଢ଼ା ସଭିଁଏ ଶ୍ରମ ଲଗାଇ ପାହାଡ଼ କାଟି ଗାଁକୁ ନିର୍ମାଣ କରିଛନ୍ତି ୩ କିମି ରାସ୍ତା। ସରକାରୀ ବ୍ୟବସ୍ଥାକୁ ଶକ୍ତ ଚାପୁଡ଼ା ଦେଇ ନିଜ ନାଆର ନିଜେ ନାଉରି ସାଜିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତ ତେନ୍ତୁଳିଗୁଡା ଗ୍ରାମବାସୀ।

ତେନ୍ତୁଳିଗୁଡା ଗ୍ରାମରେ ବସବାସ କରୁଛନ୍ତି ୫୦ରୁ ଊର୍ଦ୍ଧ୍ବ ପରିବାର। ସମସ୍ତ ପରିବାର ଗଉଡ ସମ୍ପ୍ରଦାୟର। ଲୁଲା ପଞ୍ଚାୟତରୁ କେମିଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସରିଛି। କିନ୍ତୁ କେମିଲିରୁ ତେନ୍ତୁଳିଗୁଡା ଯିବା ପାଇଁ ନିତିଦିନିଆ ରାସ୍ତା ନାହିଁ। ଫଳରେ ତେନ୍ତୁଳିଗୁଡା ଗ୍ରାମବାସୀଙ୍କ ସହ ଆଖପାଖ ଅଞ୍ଚଳର ଛଅ ଖଣ୍ଡ ଗାଁ କଉଡ଼ିପଦର, ହରଡ଼ାପୁଟ, ଚିନ୍ଦରଯୋଡି, ଦଲିମାଳ, ଡମଯୋଡି, ସୋରିଷପଦରବାସୀଙ୍କୁ ଦୈନିକ ଜଙ୍ଗଲ ରାସ୍ତାରେ ହିଁ ପଞ୍ଚାୟତ କାର୍ଯ୍ୟାଳୟଠୁ ଆରମ୍ଭ କରି ବ୍ଲକ୍ ସଦର ମହକୁମା ସହ ମେଡ଼ିକାଲ୍ ଏବଂ ସ୍କୁଲକୁ ଯିବାକୁ ପଡୁଛି। ଖରା, ଶୀତରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉନଥିବା ବେଳେ ବର୍ଷା ଦିନରେ ଯମ ଯନ୍ତ୍ରଣା ଭୋଗୁଛନ୍ତି। ଜଙ୍ଗଲ ରାସ୍ତା କାଦୁଅରେ ଭର୍ତ୍ତି ସହ ରାସ୍ତାରେ ୩ଟି ନାଳ ପଡୁଥିବାରୁ ଗ୍ରାମବାସୀ ଜୀବନକୁ ବାଜି ଲଗାଇ ନାଳ ପାର ହେଉଛନ୍ତି।

ବର୍ଷା ଦିନରେ ନାଳ ପାର ହେଉଥିବା ସମୟରେ ବୁଡ଼ି ଗ୍ରାମର ୭ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି। ବର୍ଷା ଦିନରେ ଗାଁରୁ ବାହାରିବା ମୁସ୍କିଲ୍ ହୋଇ ପଡୁଥିବା ବେଳେ ହିତାଧିକାରୀ ଚାଉଳ, ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ବର୍ଷା ମାସରେ ପିଲାଙ୍କ ପାଠପଢ଼ାରେ ଡୋରି ଲାଗେ। ତଥାପି ପ୍ରଶାସନ ରାସ୍ତା ନିର୍ମାଣ ନେଇ ଚେତୁନି। ଭୋଟ ସମୟରେ ନେତା, ପ୍ରଶାସନିକ ଅଧିକାରୀ ଗାଁକୁ ଯାଇ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଆସୁଥିବା ବେଳେ ପରବର୍ତ୍ତୀ ସମୟରେ ରାସ୍ତା ନିର୍ମାଣ ତ ଦୂରର କଥା ଗାଁ ମାଟି ମାଡ଼ୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଗାଁକୁ ରାସ୍ତା ନିର୍ମାଣ ସ୍ବପ୍ନ ପାଲଟିବା ପରେ ଗ୍ରାମବାସୀ ଏକଜୁଟ୍ ହୋଇ ଗତ ୭ ଦିନ ଧରି ପାହାଡ଼ ଓ ଜଙ୍ଗଲ କାଟି ରାସ୍ତା ନିର୍ମାଣ କରିଛନ୍ତି। ରାସ୍ତା ନିର୍ମାଣ ପରେ ଗ୍ରାମବାସୀ ଖୁସି ପ୍ରକାଶ କରିଥିବା ବେଳେ ପ୍ରଶାସନକୁ ପାନେ ଦେବା ପାଇଁ ଆଗାମୀ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ନେତା, ମନ୍ତ୍ରୀଙ୍କୁ ଗାଁରେ ପୂରାଇ ଦିଆଯିବନି ବୋଲି କହିଛନ୍ତି ଗ୍ରାମର ସଦନ ଗଉଡ଼, ଖଗପତି ଗଉଡ଼, କୁମୁଧନ ଗଉଡ଼, ମନିଚା ଗଉଡ଼, ଭଗବତୀ ଗଉଡ଼। ଗ୍ରାମବାସୀ ଜଙ୍ଗଲ, ପାହାଡ଼ କାଟି ଗାଁକୁ ରାସ୍ତା ନିର୍ମାଣ କରୁଥିବା ବେଳେ ଏହାର ପ୍ରଭାବ ପରିବେଶ ଉପରେ ପଡୁଥିବା କହିଛନ୍ତି ପରିବେଶବିତ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe