ଇଏ କି ମାନବିକତା ! ପୁଅ ମୃତ୍ୟୁର ଦଶାହରେ ଗାଁ ଲୋକେ ମାଗିଲେ ବାକିଆ ବିବାହ ଭୋଜି

Advertisment
ଇଏ କି ମାନବିକତା ! ପୁଅ ମୃତ୍ୟୁର ଦଶାହରେ ଗାଁ ଲୋକେ ମାଗିଲେ ବାକିଆ ବିବାହ ଭୋଜି

ଫୁଲବାଣୀ: ଦିନକୁ ଦିନ ମଣିଷ ସାମାନ୍ୟ ସ୍ବାର୍ଥ ପାଇଁ ନିଜ ମାନବିକତା ହରାଇବାରେ ଲାଗିଛି। ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବାବେଳେ ଉକ୍ତ ପରିବାର ଉପରେ ଗାଁ ଲୋକ ଆଉ ଏକ ବୋଝ ଲଦି ଦେଇଛନ୍ତି। ଦଶାହରେ ବାକିଆ ବିବାହ ଭୋଜି ଦାବି କରି ନିଜ ମାନବିକତାକୁ ଦଳି ମକଚି ଦେଇଛନ୍ତି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡୁଲି ଗାଁରେ ଘଟିଥିବା ଏହି ଘଟଣା ବୁଦ୍ଧିଜୀବୀ ମହଲକୁ ସ୍ତବ୍ଧ କରି ଦେଇଛି।

ସୁଡୁଲି ଗାଁର ଆଦିବାସୀ ବୃଦ୍ଧ ଚିତ୍ତରଂଜନ ମଲିକଙ୍କ ଏକ ମାତ୍ର ଭେଣ୍ଡିଆ ପୁଅ ବନମାଳି ମଲିକଙ୍କର ଅଜଣା ‌ରୋଗରେ ଗତ ୧୨ ଦିନ ତଳେ ମୃତ୍ୟୁ ହୋଇଯାଇଥିଲା। ଏକ ମାତ୍ର ଭେଣ୍ଡିଆ ପୁଅକୁ ହରାଇ ପରିବାର ଭାଙ୍ଗି ପଡ଼ିଛନ୍ତି। ସେ ପରିବାରର ରୋଜଗାରିଆ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁ ପରେ ପିତାମାତାଙ୍କ ସହ ବନମାଳିଙ୍କ ଏକ ମାତ୍ର ୫ବର୍ଷର ଝିଅ ଏବଂ ତାଙ୍କ ବିଧବା ପତ୍ନୀ ଏବେ ବେସାହାରା ହୋଇପଡ଼ିଛନ୍ତି। ଏହା ସହିତ ବନମାଳିଙ୍କ ବିଧବା ପତ୍ନୀ ଏବେ ୫ ମାସର ଗର୍ଭବତୀ ଅଛନ୍ତି।

ଅନ୍ୟ ପକ୍ଷରେ ବନମାଳିଙ୍କ ମୃତ୍ୟୁରେ ଆଦିବାସୀ ପରମ୍ପରା ଅନୁସାରେ ତାଙ୍କର ତିନି ଭଉଣୀ ୩ଟି ଛେଳି ଉପହାରସ୍ବରୂପ ଆଣିଥିଲେ। ଦଶାହ ଭୋଜି ପାଇଁ ବନମାଳିଙ୍କ ଗରିବ ବାପା ଚିତ୍ତରଂଜନ  ମଧ୍ୟ କଂସାବାସନ ଓ ଅଳଙ୍କାର ବିକ୍ରି କରି ଗୋଟିଏ ଛେଳି କିଣିଥିଲେ। ବନମାଳିଙ୍କ ଦଶାହ ଅବସରରେ ସାହିଭାଇଙ୍କୁ  ଭୋଜି ଦେବା ପାଇଁ ଏହି ୪ଟି ଛେଳି ରଖାଯାଇଥିଲା। ମାତ୍ର, ବନମାଳିଙ୍କ ବିବାହ ସମୟରେ ‌ତାଙ୍କ ବାପା ଚିତ୍ତରଂଜନ ସାହିଭାଇଙ୍କୁ ଭୋଜି ଦେଇ ପାରି ନଥିଲେ। ଦୁର୍ଭାଗ୍ୟବଶତଃ ବନମାଳିଙ୍କର ମୃତ୍ୟୁ ହୋଇଗଲା।

ଦଶାହରେ ଚିତ୍ତରଂଜନ ଗାଁ ଲୋକଙ୍କୁ ଡାକିଥିଲେ। ହେଲେ ସାହିଭାଇ ବନମାଳିଙ୍କ ମୃତ୍ୟୁରେ ଦଶାହ ଭୋଜିରେ ଯୋଗଦେଲେ, କିନ୍ତୁ ବାକିଆ ବିବାହ ଭୋଜି ଦାବି କରିଥିଲେ।  ଗରିବ ଆଦିବାସୀ ଚିତ୍ତରଂଜନ ଦୁଇଦୁଇଟି ଭୋଜି ଦେବାକୁ କେଉଁଠୁ ଏତେ ଟଙ୍କା ଆଣିବେ ସେ ଚିନ୍ତାରେ ପଡ଼ିଯାଇଥିଲେ। ତେବେ ଦଶାହ ଭୋଜି ପାଇଁ ଆସିଥିବା ୪ଟା ଛେଳିକୁ ସାହିଭାଇ ବିବାହ ଭୋଜି ବାବଦକୁ ଦାବି କରି ସେଥିରେ ଭୋଜି ଖାଇଛନ୍ତି।  ଦଶାହ ଭୋଜି ପରେ ଦେବେ ବୋଲି କହିଛନ୍ତି। ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଗରିବ ଆଦିବାସୀ ଚିତ୍ତରଂଜନଙ୍କୁ ସାହିଭାଇଙ୍କ ଏଭଳି ଅମାନବୀୟ ଆଚରଣ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଚିତ୍ତରଂଜନ ଗରିବ ଓ ନିରୀହ ହୋଇଥିବାରୁ ଏହାର ପ୍ରତିବାଦ ମଧ୍ୟ କରିପାରିନାହାନ୍ତି। ଆଦିବାସୀ ଅଞ୍ଚଳର ଲୋକେ କେତେ ସଚେତନତ ଓ କେତେ ଉନ୍ନତ  ତାଙ୍କର ଏଭଳି ମାନବିକତା ସ୍ପଷ୍ଟ କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe