ଡଙ୍ଗା‌ପାଳରେ କରୋନା ମୁକାବିଲାର ଅନନ୍ୟ ଦୃଷ୍ଟାନ୍ତ : ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ଦାନକଲେ ସବୁ ଗ୍ରାମବାସୀ

Advertisment
ଡଙ୍ଗା‌ପାଳରେ କରୋନା ମୁକାବିଲାର ଅନନ୍ୟ ଦୃଷ୍ଟାନ୍ତ : ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ଦାନକଲେ ସବୁ ଗ୍ରାମବାସୀ

ଯୁଯୁମୁରା : କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ସାମିଲ ହୋଇ ଦେଶର ବିଭିନ୍ନ କଂପାନି, ସରକାରୀ ଓ ବେସରକାରୀ ସଂସ୍ଥା ତଥା ବ୍ୟକ୍ତିବିଶେଷ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ମାତ୍ର ସମ୍ବଲପୁର ଜିଲ୍ଲାର ଅନ୍ୟତମ ପଛୁଆ ବ୍ଲକ୍‌ ଯୁଯୁମୁରାର ଡଙ୍ଗାପାଳ ଗାଁରେ ଲୋକେ ଏ କ୍ଷେତ୍ରରେ ଏକ ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଏହି ଗାଁର ପ୍ରତ୍ୟେକ ପରିବାର ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଯଥାସାଧ୍ୟ ଦାନ କରିଛନ୍ତି। ଗାଁର ଗରିବ ଦିନ ମଜୁରିଆ ବି ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଗାଁ ଲୋକଙ୍କ ଏହି ଉଦ୍ୟମ କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଗାଁ ଲୋକଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଯଦି କରୁଣା, ସେବା ଓ ମାନବିକତାକୁ ଧନ ବୋଲି ଗ୍ରହଣ କରାଯାଏ ତେବେ ଏହି ଡଙ୍ଗାପାଳ ଗାଁର ଗରିବ ଲୋକମାନେ ହିଁ ସବୁଠାରୁ ଧନୀ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ୍‌ କରିଛନ୍ତି।

ଡଙ୍ଗାପାଳ ଗାଁରେ ପ୍ରାୟ ୩୦୦ ପରିବାର ରହୁଛନ୍ତି। ଅଧିକାଂଶ ଶ୍ରମିକ ଶ୍ରେଣୀର। ଗତ ସପ୍ତାହରେ ଅଞ୍ଚଳର 'ଉତ୍ସବ ପରିବାର ଏବଂ କିଛି ଉତ୍ସାହୀ ଯୁବଗୋଷ୍ଠୀ କରୋନା ଯୁଦ୍ଧରେ ଦେଶକୁ କିଛି ଅର୍ଥଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଗ୍ରାମର ୪ଟି ପଡ଼ାରେ ରହୁଥିବା ପ୍ରାୟ ୩ଶହ ପରିବାର ପାଖକୁ ଯାଇଥିଲେ। ଏହି ସମୟରେ ପ୍ରତିଟି ପରିବାରର ଲୋକେ ନିଜର ସାମର୍ଥ୍ୟ ଅନୁସାରେ କିଛି କିଛି ଟଙ୍କା ସହାୟତା କରିଥିଲେ। ସର୍ବନିମ୍ନ ୨ଟଙ୍କା ଓ ସର୍ବାଧିକ ୨୨୨୨ ଟଙ୍କା ପର୍ଯ୍ୟନ୍ତ ଦାନ ମିଳିଥିଲା। ଏହିପରି ଭାବେ ଗ୍ରାମରୁ ସଂଗୃହୀତ ମୋଟ ୨୫ ହଜାର ୧୬୮ ଟଙ୍କାର ଚେକ୍ ଶୁକ୍ରବାର ଦିନ ବିଡିଓ ସରୋଜ ବିଶ୍ବାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ପ୍ରଦାନ କରାଯାଇଥିଲା। ସେପଟେ, ଡଙ୍ଗାପାଳ ଗ୍ରାମର ଏଭଳି ଅନନ୍ୟ କାର୍ଯ୍ୟ ପରେ ଅନ୍ୟ ଗ୍ରାମବାସୀମାନେ ମଧ୍ୟ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଟଙ୍କା ପ୍ରଦାନ କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି। କଣ କହନ୍ତି ଗ୍ରାମବାସୀ ଗୋଲକ ବିହାରୀ ପ୍ରଧାନ, ସଭାପତି, ଉତ୍ସବ ପରିବାର(ଫ-୧୯୫୩): କରୋନା ମହାମାରୀ ପାଇଁ ଅନେକ ସଂଗଠନ ଦାନ କରୁଛନ୍ତି। କିନ୍ତୁ ଗ୍ରାମର ସମସ୍ତ ଲୋକଙ୍କୁ କିଭଳି ଏଥିରୁ ସାମିଲ କରିପାରିବୁ ତାହା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। ତେବେ ଲୋକଙ୍କ ଇଚ୍ଛାଶକ୍ତି ପାଇଁ ଏଭଳି ଏକ ମହତ୍‌ କାର୍ଯ୍ୟ ହୋଇପାରିଛି। ଏବେ ଅନ୍ୟ ଗ୍ରାମର ଲୋକେ ବି ଏଭଳି ସହାୟତା ପାଇଁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe