ଡିବିରି ଆଲୁଅ ଭରସାରେ ଦେଢ଼ଶୁଲି ପଞ୍ଚାୟତର ୨୫ଟି ଗାଁ

ବିଜୁଳି ଆଲୁଅରୁ ବଞ୍ଚିତ ୨୦୦୦ ରୁ ଊର୍ଦ୍ଧ୍ବ ପରିବାର

ଡିବିରି ଆଲୁଅ ଭରସାରେ ଦେଢ଼ଶୁଲି ପଞ୍ଚାୟତର ୨୫ଟି ଗାଁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ  ସବୁବେଳେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇ ଆସୁଛି। ସ୍ବାଧୀନତାର ସାତ ଦଶନ୍ଧି ପରେ ବି ବିଜୁଳି ଆଲୁଅ ସାତସପନ ହୋଇପଡ଼ିଛି। ଏଭଳି ଏକ ଅଞ୍ଚଳ ହେଉଛି ମଦନପୁର ରାମପୁର ବ୍ଲକର ଦେଢ଼ଶୁଲି ପଞ୍ଚାୟତ। ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଶକ୍ତିମନ୍ତ୍ରୀଙ୍କ ଠାରେ ଗୁହାରି କରିଥିଲେ ମଧ୍ୟ ବିଜୁଳି ଆଲୁଅ ଦେଖିବାର ସୌଭାଗ୍ୟ ଏପର୍ଯ୍ୟନ୍ତ ମିଳିନାହିଁ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ମଦନପୁର ରାମପୁର ବ୍ଲକର ଦେଢଶୁଲି ପଞ୍ଚାୟତ ଏକ ଆଦିବାସୀ ବହୁଳ ଅଞ୍ଚଳ। ଦୁର୍ଗମ ପାହାଡ଼ି ଇଲାକା ଭିତରେ ୨୦୦୦ରୁ ଊର୍ଦ୍ଧ୍ବ ପରିବାର ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ସ୍ବାଧୀନତାର ୭୪ ବର୍ଷ ପରେ ଏହି ପଞ୍ଚାୟତର ୨୫ଟି ଗ୍ରାମବାସୀ ବିଜୁଳି ଆଲୁଅ ଦେଖି ନାହାନ୍ତି। ଏହି ପଞ୍ଚାୟତର ଜାମୁଲି,ବାଗଵିଲା,ବୁଡାକେନ୍ଦୁ, କାଳାଦେଇ,ପାର୍ସେଲପଡ଼ା, ବଣ୍ଡେଲ ପଦର, ଗସ୍କା, ମୁଡିସ, ତନ୍ତୁଳିପଡ଼ା, ସେରଙ୍ଗପଡ଼ା, ଡ଼ମ ଗାଁ, ଦେଢ଼ଶୁଲି, ଟ୍ରାସୁପଡା, ବିରିପୋଡ଼ି, କାଉପଦର, ନାପା ଡୁଲୁ, ପଟାଙ୍ଗି, ରାକ୍ଷାସ ବନ୍ଧ, ରୁବେଟ, କାମରେଙ୍ଗ, ବତୀ ମୁଣ୍ଡା, ପାଜି ବଡଙ୍ଗ, ବାଡେଙ୍ଗ ଦେଇ, ଭେଙ୍ଗେନ ପାଡେଲ, ସିନ୍ଧି ପଦର ଓ ଲଡାମାସ୍କା ଗାଁରେ ବିଦ୍ୟୁତ ସଂଯୋଗ ହୋଇ ନ ଥିବାରୁ ଡିବିରି ଆଲୁଅ ଭରସାରେ ଗ୍ରାମବାସୀ ଆଲୁଅ ଦେଖୁଛନ୍ତି।

ସରକାରୀ କାଗଜ କଲମରେ ୨୫ ଖଣ୍ଡ ଗାଁ ଓ ଘରଗୁଡ଼ିକୁ ବିଦ୍ୟୁତୀକରଣ କରାଯାଇଥିବା ଜଣାପଡ଼ିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। କେଉଁଠି ଖୁଣ୍ଟ ପୋତା ହୋଇଥିବା ବେଳେ ତାର ଟଣା ଯାଇ ନାହିଁ ତ’ କେଉଁଠି ତାର ଟଣା ହୋଇଥିଲେ ମଧ୍ୟ ବିଜୁଳି ନାହିଁ। ଏଭଳି ସ୍ଥିତିରେ ସରକାରୀ ବ୍ୟବସ୍ଥା କେବଳ ଧର୍ମକୁ ଆଖିଠାର ସଦୃଶ ପାଲଟିଛି। ଏନେଇ ସ୍ଥାନୀୟ ସରପଞ୍ଚ ଅସ୍ମିତା ମାଝୀ, ସମାଜସେବୀ ଗୋକୁଳାନନ୍ଦ ବିଶ୍ବାଳ ଓ ସମସ୍ତ ଗ୍ରାମବାସୀ କଳାହାଣ୍ଡି ଜିଲ୍ଲାପାଳ ଓ ଶକ୍ତିମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଏହି ପଞ୍ଚାୟତର ୨୫ ଖଣ୍ଡ ଗାଁକୁ ତୁରନ୍ତ ନିଃଶୁଳ୍କ ବିଦ୍ୟୁତୀକରଣ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe