କରନ୍ଦାଗଡ଼ ଆଦିବାସୀଙ୍କ ଦୁଃଖ କେହି ଶୁଣିଲେନି, ଚାନ୍ଦା କରି ରାସ୍ତା ପାଇଁ ପାହାଡ଼ କାଟିଲେ

Advertisment

ବିଦ୍ୟୁତ୍, ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ଅପହଞ୍ଚ

ବିଦ୍ୟୁତ୍, ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ଅପହଞ୍ଚ

କରନ୍ଦାଗଡ଼ ଆଦିବାସୀଙ୍କ ଦୁଃଖ କେହି ଶୁଣିଲେନି, ଚାନ୍ଦା କରି ରାସ୍ତା ପାଇଁ ପାହାଡ଼ କାଟିଲେ

ବେଗୁନିଆପଡ଼ା: ମନରେଗା ଯୋଜନାରେ ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ପ୍ରଶାସନକୁ କହି ଗୁହାରି କରିବା ପରେ ଶେଷରେ ନିଜେ ପାହାଡ଼ କାଟି ରାସ୍ତା ତିଆରି କରିବାକୁ ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ। ଏଥିପାଇଁ ନିଜେ ଚାନ୍ଦା ବି ବାହାର କରିବା ସହ ପାଳି କରି ରାସ୍ତାକାମକୁ ଜଗୁଛନ୍ତି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଘୋଡ଼ାପଡ଼ା ପଞ୍ଚାୟତର ପାହାଡ଼ ଓ ବଣ ଘେରା କରନ୍ଦାଗଡ଼ ଗାଁ ଆଦିବାସୀଙ୍କ ଏହି ପ୍ରୟାସ ଚର୍ଚ୍ଚାର ବିଷୟ ପାଲଟିଛି।

publive-image

ମୋଟ ୧୩ଟି ପରିବାର ରହୁଥିବା ଏହି ଗ୍ରାମକୁ ରାସ୍ତା ନାହିଁ। ରୋଗୀ ଓ ପ୍ରସୂତିଙ୍କୁ ନେବାକୁ ଦୋଳା ହିଁ ଏକ ମାତ୍ର ଭରସା। ଆଉ ବର୍ଷା ହେଲେ ସ୍ଥିତି ଦୁର୍ଦ୍ଦିନ। କିନ୍ତୁ ଏହା ମଧ୍ୟରେ ବାରମ୍ବାର ବେଗୁନିଆପଡ଼ା ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ମନରେଗା ଯୋଜନାରେ ରାସ୍ତା ନିର୍ମାଣ କରିବା ପାଇଁ ବହୁବାର ଲିଖିତ ଭାବେ ଗୁହାରି କଲେ। ତେବେ ପ୍ରତିଶ୍ରୁତିକୁ ଛାଡ଼ିଲେ ଆଉ କିଛି ବି ମିଳିଲା ନାହିଁ। ‌ଶେଷରେ ନିଜେ ଶ୍ରମଦାନ କରି ରାସ୍ତା ତିଆରି କରିବାକୁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଏଥିପାଇଁ ପରିବାର ପିଛା ୨୫ହଜାର ଟଙ୍କା ଚାନ୍ଦା ଆଦାୟ କରାଗଲା। ବର୍ତ୍ତମାନ ସେମାନେ ଜାନିବିଲି ଠାରୁ ରାସ୍ତା କାମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଜେସିବି ମେସିନ୍ ବି ଭଡ଼ାରେ ଆଣି ନିୟୋଜିତ କରିବା ସହ ପ୍ରତିଦିନ ୨ଜଣ ଲେଖାଏଁ ପାଳି କରି କାମ ତଦାରଖ କରୁଛନ୍ତି। ଧାରଉଧାର କରି ଆଣିଥିବା ଟଙ୍କାରେ ମାଟି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପ୍ରୟାସ ଜାରି ରଖିଥିବା ସହ ଆଗକୁ ସରକାରୀ ସହାୟତା ପାଇବାକୁ ଆଶା ବାନ୍ଧିଛନ୍ତି।

publive-image

ଅନ୍ୟପକ୍ଷରେ ବେଗୁନିଆପଡ଼ା ବ୍ଲକ୍‌ ସଦରମହକୁମାଠୁ ୧୭ କିଲୋମିଟର ଦୂର ଗ୍ରାମରେ ସ୍ବାସ୍ଥ୍ୟଠୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ସମେତ ଅନେକ ମୌଳିକ ସୁବିଧା ଏମାନଙ୍କ ପାଇଁ ଅପହଞ୍ଚ ପାଲଟିଛି। ଚନ୍ଦନପୁର ଠାରୁ ୧୦ କିଲୋମିଟର ରାସ୍ତା ଗଲେ ପଡ଼େ ଆଦିବାସୀଅଧ୍ୟୁଷିତ ଗ୍ରାମ ଜାନିବିଲି। ସେଠାରୁ ପାହାଡ଼ ଘାଟି ରାସ୍ତା ୫ କିଲୋମିଟର ଗଲେ କରନ୍ଦାଗଡ଼ ପଡ଼ିଥାଏ। ଏହି ଗ୍ରାମରେ ବିଦ୍ୟୁତ୍ ସେବା ନାହିଁ। ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସୋଲାର ଲାଇଟ୍ ବ୍ୟବସ୍ଥା କରାଯାଇଥିବା ବେଳେ ମୋଟ ୧୨ଟି ସୋଲାର୍ ପ୍ଲେଟ୍ ମଧ୍ୟରୁ ୫ଟି ଖରାପ ହୋଇଗଲାଣି। ଫଳରେ ଗ୍ରାମବାସୀ ରାତି ହେଲେ ଡିବିରି ଆଲୁଅରେ ଚଳୁଛନ୍ତି। ସେହିପରି ପିଇବା ପାଣି ଲାଗି ବୋରିଂ କରାଯାଇ ସୋଲାର୍ ବ୍ୟବସ୍ଥା ହୋଇଥିଲେ ବି ବର୍ତ୍ତମାନ ତାହା ଅଚଳ ହୋଇ ପଡ଼ିରହିଥିବାରୁ ଗ୍ରାମବାସୀ ନିକଟରେ ଥିବା କୂଅ ଉପରେ ନିର୍ଭରଶୀଳ।

publive-image

ଶିକ୍ଷା ବ୍ୟବସ୍ଥା ନକହିବା ଭଲ। ୭ କିମି ଦୂରରେ ଅର୍ଥାତ୍ ରାଇପଡା ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। କିନ୍ତୁ ଗ୍ରାମର ପିଲା ମାନେ ସେଠାକୁ ଯିବା ଅସମ୍ଭବ। ସେହିପରି ୫ କିଲୋମିଟର ଦୂର ଜାନିବିିଲିରେ ପ୍ରାଥମିକ ବିଦ୍ୟାଳୟ ଅଛି। ଗ୍ରାମର ସୁରେଶ ଶବର, ସୁମନ୍ତ ଶବର ଓ ଶରତ ଶବର ବର୍ତ୍ତମାନ କୋଦଳା ଠାରେ ଥିବା ଆଶ୍ରମ ସ୍କୁଲରେ ବର୍ତମାନ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। କିନ୍ତୁ ମୋବାଇଲ୍ ନେଟୱର୍କ ନଥିବାରୁ ସେମାନେ ଅନଲାଇନ୍ ପାଠପଢ଼ାରୁ ବଞ୍ଚିତ। ରୁନି ଶବର, ନାଗେଶ୍ୱରୀ ଶବର, ସରିତା ଓ ମିନି ଶବର ପୋଲସରା ନିକଟସ୍ଥ ଲୁଣିଆପଡା ଆଶ୍ରମ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ରହି ପାଠ ପଢ଼ୁଥିବା ବେଳେ ଅନ୍ୟ ପିଲାଙ୍କ ଭବିଷ୍ୟତ ଅନ୍ଧାର। ୬ଜଣଙ୍କୁ ଇନ୍ଦିରା ଆବାସରେ ସାମିଲ କରାଯାଇଛି। କିନ୍ତୁ କଞ୍ଚାମାଲ୍ ନେବା ଅଧିକ ଖର୍ଚ୍ଚାନ୍ତ ହେଉଥିବାରୁ ଘର ବି ଅଧାପନ୍ତରିଆ ହୋଇ ପଡ଼ି ରହିଛି। ସ୍ୱଚ୍ଛ ଅଭିଯାନରେ ୧୩ଟି ପାଇଖାନା ଅର୍ଥ ଅନୁଦାନ ଅଭାବରୁ ତାହା ବି ନିର୍ମାଣ ହୋଇପାରିନି।

publive-image

ବିପ୍ର ଶବର, ଗ୍ରାମବାସୀ
ପ୍ରଶାସନକୁ ଦୁଃଖ କହିବା ସତ୍ତ୍ବେ ରାସ୍ତାଟିଏ ତିଆରି ହୋଇପାରୁନି। ଫଳରେ ଚାନ୍ଦା କରି ରାସ୍ତା ତିଆରି କରୁଛୁ। ପ୍ରଶାସନ ସହାୟତାର ହାତ ବଢ଼ାଇଲେ ଭଲ ହେବ।

ମହାଲକ୍ଷ୍ମୀ ଶବର, ଗ୍ରାମବାସୀ
ଆମ ଗାଁ ବଣ ଭିତରେ ଅଛି ବୋଲି ସରକାର ଆମ ଗୁହାରି ଶୁଣୁନାହାନ୍ତି। ପାଣି କି ବିଦ୍ୟୁତ୍ ସେବା ନାହିଁ। ପିଲାଙ୍କ ପାଠପଢ଼ା ଓ ଭବିଷ୍ୟତକୁ ନେଇ ଚିନ୍ତା ରହୁଛି।

ବେଦବର ପ୍ରଧାନ, ବିଡ଼ିଓ, ବେଗୁନିଆପଡ଼ା
ପାହାଡ଼କୁ ମେସିନ ଦ୍ୱାରା କାଟି ମନରେଗା ଯୋଜନାରେ କାମ କରିବା କଷ୍ଟସାଧ୍ୟ ଓ ଏହା ନିୟମ ବିରୋଧ। ଏଣୁ ସେମାନେ ମେସିନ ସାହାଯ୍ୟରେ କାମ କରି ରାସ୍ତା ବାହାର କରିବା ପରେ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ଯଥାସମ୍ଭବ ସାହାଯ୍ୟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe