Photo by Indian Express
ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଅଳଗୁମ ନିକଟରେ ଥିବା ବାରବା ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡକୁ ନେଇ ଗ୍ରାମବାସୀ ତଟସ୍ଥ। ଗତ ନଭେମ୍ବର ୨୦ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମରେ ବାରମ୍ବାର ଆକସ୍ମିକ ଅଗ୍ନିକାଣ୍ଡ ଘଟଣା ଗ୍ରାମବାସୀଙ୍କୁ ଭୟଭୀତ କରିଦେଇଛି। କେତେବେଳେ ଯେ କାହାଘରେ ନିଆଁ ଲାଗିବ ସେ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସମସ୍ତେ ନିଜ ନିଜ ଘର ଜଗି ରହିଛନ୍ତି। ଘରେ ଚୁଲି ଜଳୁନି। ମାତ୍ର ଅଗ୍ନିକାଣ୍ଡ ଘଟୁଅଛି। ଏହାକୁ ନେଇ ଗୁଜବ ବି ଜୋର୍ ଧରିଛି। କିଏ କହୁଛି ଦେବକୁଟ ତ କିଏ କହୁଛି ଗୁଣିଗାରେଡି ଯୋଗୁ ଏପରି ହେଉଛି।
ଗ୍ରାମରେ ଛବି ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ, ବିଶ୍ୱନାଥ ପ୍ରଧାନ, ସୁକାନ୍ତ ପ୍ରଧାନ, ସୁଦର୍ଶନ ପ୍ରଧାନ, ହାରିବନ୍ଧୁ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ଅନ୍ତର୍ଯାମୀ ପ୍ରଧାନ, ଅଭିମନ୍ୟୁ ପ୍ରଧାନ, ବିରସନ ପ୍ରଧାନ ଓ ମଧୁସୂଦନ ପ୍ରଧାନ ପ୍ରମୁଖ ୧୧ଟିପରିବାର ରହୁଛନ୍ତି। ହେଲେ ଗାଁରେ ଆକସ୍ମିକ ଅଗ୍ନିକାଣ୍ଡ ଲୋକଙ୍କ ନିଦ ହଜାଇ ଦେଇଛି। ନିଆଁ ଲାଗିବାର ସମୟ ହେଉଛି ସନ୍ଧ୍ୟା। ହଠାତ୍ ଜଣକ ଘର ଭିତରୁ ନିଆଁ ବାହାରୁଛି। ନିଆଁ ଲିଭାଇବାକୁ ପାଣି ଧରି ଗଲା ବେଳକୁ ମନକୁ ମନ ନିଆଁ ଲିଭି ଯାଉଛି l ପୁଣି ଲାଗୁଛି ଅନ୍ୟ ଜଣକ ଘରେ। ସନ୍ଧ୍ୟା ହେଲେ ଗ୍ରାମରେ କୋକୁଆଭୟ, ପିଲାଠୁ ବୁଢ଼ା ସମସ୍ତେ ଜଗି ରହୁଛନ୍ତି ନିଜ ଘରକୁ କାଳେ ଘରେ ନିଆଁ ଲାଗିଯିବ। ଏପରିକି ଗାଁ’ରେ ଜଗି ରହୁଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ l ହେଲେ କେହି ବି ଏହି ଅଗ୍ନିକାଣ୍ଡ ଘଟଣାକୁ ବୁଝି ପାରୁନାହାନ୍ତି l ଗୁଣି ସନ୍ଦେହରେ ଗ୍ରାମକୁ ଗୁଣିଆ ଡକରା ହେଉଛନ୍ତି l ତନ୍ତ୍ରମନ୍ତ୍ର ଦ୍ୱାରା ସମସ୍ୟା ସମାଧାନ ନିମନ୍ତେ ଉଦ୍ୟମ ହେଉଛି l ସୂଚନା ଯୋଗ୍ୟ ଯେ , ଏହି ଗ୍ରାମ ନିକଟସ୍ଥ ସିଂହାକୁଦା ଗ୍ରାମରେ ପ୍ରାୟ ୨୦ ବର୍ଷ ତଳେ ଏହିପରି ଆକସ୍ମିକ ଅଗ୍ନିକାଣ୍ଡ ଘଟଣା ଘଟିଥିଲା l
Follow Us