ପ୍ରଶାସନ ଶୁଣିଲାନି: ଅଧପନ୍ତରିଆ ରାସ୍ତାର ନିର୍ମାଣ କାମ ପାଇଁ ଗ୍ରାମବାସୀ ଅଣ୍ଟା ଭିଡ଼ିଲେ

ପ୍ରଶାସନ ଶୁଣିଲାନି: ଅଧପନ୍ତରିଆ ରାସ୍ତାର ନିର୍ମାଣ କାମ ପାଇଁ ଗ୍ରାମବାସୀ ଅଣ୍ଟା ଭିଡ଼ିଲେ

ବୈପାରିଗୁଡା: ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କ୍ରମରେ ଚାରି ବର୍ଷ ତଳେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହେଲେ ୧୦ ରୁ ୧୨ ଖଣ୍ଡ ଗ୍ରାମର ଲୋକେ ଉପକୃତ ହେବେ ବୋଲି ଆଶା ବାନ୍ଧି ବସିଥିଲେ। ତେବେ ରାସ୍ତା ନିର୍ମାଣ ନାଁରେ ମାଟି ପକେଇ ଦେବା ପରେ ଆଉ ଆଗକୁ ବଢିଲା ନାହିଁ, ଯାହାଫଳରେ ଗ୍ରାମବାସୀଙ୍କ ଆଶା ଆଶାରେ ହିଁ ରହିଗଲା।  ଏସଂପର୍କରେ ପ୍ରଶାସନକୁ ଜଣାଇବା ପରେ ମଧ୍ୟ କଥା ରହିଲା ନାହିଁ। ଶେଷରେ ଗ୍ରାମବାସୀମାନେ ରାସ୍ତା କାମ ସଂପୂର୍ଣ୍ଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର କାଳିଆଯୋଡି ଗ୍ରାମରେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ କାଳିଆଯୋଡି ଠାରୁ ସିଲପାଝୋଲି ଗ୍ରାମ ଯାଏ ତିନି କିଲୋମିଟର ବାଟ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକ୍ରମରେ ରାସ୍ତା ନିର୍ମାଣ ପାଇଁ ଆଦେଶ ମିଳିବା ପରେ ରାସ୍ତା କାମ ଆରମ୍ଭ ହୋଇଥିଲା। ତେବେ ମାଟି ପକେଇବା ପରେ ଅଚାନକ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଗଲା। ଏହାରି ଭିତରେ ଚାରି ବର୍ଷ ବିତିଗଲାଣି। ଅଥଚ ଆଜି ମଧ୍ୟ ରାସ୍ତା ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଏହି ରାସ୍ତା ଉପରେ କାଳିଆଯୋଡି, ସିଲପାଝୋଲି ସମେତ ଭିଙ୍ଗରାଯୋଡି, ବାଙ୍କୁଲିଯୋଡି, ଜାମଗୁଡା, ଧୋବାଅଟାଳ, କଦଳୀପଦର ଏବଂ ବଡପଡା ସହ ଆଖପାଖ ଗାଆଁର ଲୋକମାନେ ନିର୍ଭର କରିଥାନ୍ତି।

ପଞ୍ଚାୟତ ସଦର ମହକୁମା ତଥା ବ୍ଲକ ସଦର ମହକୁମାକୁ ଯିବା ପାଇଁ ଏଇ ଗୋଟିଏ ମାତ୍ର ରହିଥିବା ବେଳେ ରାସ୍ତା ଅଭାବରୁ ନାହିଁ ନଥିବା ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିଶେଷ କରି ବର୍ଷା ଦିନେ ଏହି ରାସ୍ତାରେ ପାଦ ପକେଇବା ମଧ୍ୟ ଅସମ୍ଭବ ହୋଇପଡ଼େ ବୋଲି ଅଭିଯୋଗ କରିଛନ୍ତି। ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୈାଣସି ପଦକ୍ଷେପ ନିଆନଯିବାରୁ ଏବେ ଗ୍ରାମବାସୀମାନେ ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମ ଗୁଡିକରେ ପ୍ରତ୍ୟେକ ଘରୁ ୧୦ ରୁ ୧୫ ଟଙ୍କା ଚାନ୍ଦା ଆକାରରେ ଆଦାୟ କରି ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡିଥିବା ଭିଙ୍ଗିରାଯୋଡିର ଓ୍ବାର୍ଡ ମେମ୍ବର ଶେଖର ଖିଲ ପ୍ରକାଶ କରିଛନ୍ତି। ରାସ୍ତାର ଦୁରାବସ୍ଥା ତଥା ଏହାର ନିର୍ମାଣ ପାଇଁ ସଂପୃକ୍ତ ଗ୍ରାମଗୁଡିକର ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବିନୀତ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe