ଘରକୁ ଠେଙ୍ଗା ପହଞ୍ଚିଲେ ଜଙ୍ଗଲ ଜଗିବା ପାଳି ପଡ଼େ

Advertisment
ଘରକୁ ଠେଙ୍ଗା ପହଞ୍ଚିଲେ ଜଙ୍ଗଲ ଜଗିବା ପାଳି ପଡ଼େ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଞ୍ଚାୟତ କଣ୍ଟାପାଲି ଗାଁକୁ ଠେଙ୍ଗା ପାଳିର ଗାଁ କହିଲେ ସମସ୍ତେ ଜାଣନ୍ତି। ଠେଙ୍ଗା ପାଳି କହିବା ପଛରେ ଲୁଚିରହିଛି ଜଙ୍ଗଲ ଓ ପରିବେଶ ସୁରକ୍ଷାର ଏକ ମହତ ଉଦ୍ଦେଶ୍ୟ। ପ୍ରତିଦିନ ସନ୍ଧ୍ୟାରେ ଗାଁର ଦୁଇଜଣଙ୍କ ଘରେ ଠେଙ୍ଗା ଓ ଟର୍ଚ୍ଚଲାଇଟ ପହଞ୍ଚିବା ପରେ ସେମାନେ ତା’ ପରଦିନ ଜଙ୍ଗଲ ଜଗିବା ପାଳି ପଡ଼ିଥିବା ଜାଣନ୍ତି ଓ ସକାଳୁ ଉଠି ପଖାଳ ଗଣ୍ଡେ ଖାଇ ସନ୍ଧ୍ୟା ପର୍ଯ୍ୟନ୍ତ ଜଙ୍ଗଲ ଜଗିବା କାମରେ ଲାଗିପଡ଼ନ୍ତି। ଏହି ଧାରା କେଉଁ ଆବହମାନ କାଳରୁ ଚାଲିଆସିଛି। ଗ୍ରାମବାସୀ ଏହାକୁ ଏକ ପରମ୍ପରା ଭାବେ ଗ୍ରହଣ ମଧ୍ୟ କରି ସାରିଥିବା କହନ୍ତି। କଣ୍ଟାପାଲି ଗାଁରେ ଶତାଧିକ ପରିବାର ରୁହନ୍ତି। ଏହି ପରିବାର ମଧ୍ୟରେ ୩-୪ ପରିବାର ଚାକିରି କରୁଥିବା ବେଳେ ବାକି ସମସ୍ତେ ଚାଷୀ ଓ ମୁଲିଆ ଶ୍ରେଣୀର ଅଟନ୍ତି।

ଗାଁ ନିକଟକୁ ଲାଗିରହିଛି ୧୨ ଶହ ହେକ୍ଟର ପରିମିତ ଘଞ୍ଚ ଜଙ୍ଗଲ। ଏହି ଜଙ୍ଗଲରେ ଶାଳ, ପିଆଶାଳ, ମହୁଲ, ଚାର, କେନ୍ଦୁ, ଧଉରା ଭଳି ବହୁ କିସମର ଗଛ, ଲତା ଓ ଔଷଧୀୟ ଗୁଳ୍ମ ଭରି ରହିଛି। ଘଞ୍ଚ ଜଙ୍ଗଲ ହୋଇଥିବାରୁ ଏଠା‌ରେ ହାତୀ, ଭାଲୁ, ବାର୍‌ହା, ହରିଣ, କୁଟୁରା, ଠେକୁଆ, ହେଟ୍ଟାବାଘ, ମୟୂର, ଅଜଗର ପ୍ରଭୃତି ଜୀବଜନ୍ତୁ ଭରି ରହିଛନ୍ତି। ଜଙ୍ଗଲ ସହିତ ବନ୍ୟଜନ୍ତୁଙ୍କ ଉପରେ ଜଙ୍ଗଲ ମାଫିଆ ଓ ଶିକାରୀଙ୍କ ସବୁବେଳେ ଲୋଲୁପ ଦୃଷ୍ଟି ଲାଗିରହିଥାଏ। କିଛିବର୍ଷ ତଳେ ଜଙ୍ଗଲ ମାଫିଆଙ୍କ ଆକ୍ରୋଶର ଶିକାର ହୋଇ କିଛି ଗ୍ରାମବାସୀଙ୍କୁ ବର୍ଷାଧିକ କାଳ ଜେଲ୍‌ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥିବା ଗାଁଲୋକ‌େ କହନ୍ତି।

ଏକତା ଓ ଦୃଢ଼ ସୁରକ୍ଷା ବ୍ୟବସ୍ଥା ତାଙ୍କୁ ଉତ୍ସାହିତ କରିଥିବା ବେଳେ ପ୍ରକୃତିମିତ୍ର ସହିତ ଅନେକ ପୁରସ୍କାର ମଧ୍ୟ ତାଙ୍କୁ ମିଳିସାରିଛି। ଖରା, ବର୍ଷା, ଶୀତ ସବୁ ସମୟରେ ଗାଁ ଲୋକ‌େ ତାଙ୍କର ଦାୟିତ୍ବ ସୁଚାରୁ ରୂପେ ନିର୍ବାହ କରିଥାନ୍ତି। ଜଙ୍ଗଲ ପ୍ରବେଶ ପଥରେ ରହିଛନ୍ତି ଗାଁର ଇଷ୍ଟ ଦେବତା ବାରପାହାଡ଼ ବୁଢ଼ା ଓ ଇଷ୍ଟ ଦେବୀ ମା’ ଦଶମତୀ। ଜଙ୍ଗଲ ଜଗିବା ପୂର୍ବରୁ ଏଠାରେ ପ୍ରଥମେ ମୁଣ୍ଡିଆ ମାରି ଜଙ୍ଗଲ ଭିତରକୁ ପ୍ରବେଶ କରିଥାନ୍ତି। ଏହି ଜଙ୍ଗଲ ତାଙ୍କୁ ଜୀବିକା ଯୋଗାଇ ଦେଉଥିବାରୁ ସେମାନେ ଜଙ୍ଗଲକୁ ନିଜର ଲକ୍ଷ୍ମୀ ବୋଲି ମଧ୍ୟ କହନ୍ତି। ଜଙ୍ଗଲ ଉପରେ ଗାଁର ସର୍ବାଧିକ ଲୋକ ନିର୍ଭର କରିଥାନ୍ତି। ଜଙ୍ଗଲରୁ ଜଙ୍ଗଲଜାତ ସାମଗ୍ରୀ ଶାଳପତ୍ରର ଖଲିଦନା, ମହୁ, ଝୁଣା, ଚାର, ମହୁଲ, ଛତୁ, ଝାଡୁ, କେନ୍ଦୁପତ୍ର ସଂଗ୍ରହ କରି ପରିବାର ଚଳେଇଥାନ୍ତି। ବେଳେ ବେଳେ ସୁଦୂର ଆମେରିକା, ଜର୍ମାନ, ସୁଇଜରଲ୍ୟାଣ୍ଡ, ଆଫ୍ରିକା ପ୍ରଭୃତି ବିଭିନ୍ନ ଦେଶର ପ୍ରକୃତିପ୍ରେମୀ ଏହି ଜଙ୍ଗଲ ପରିଦର୍ଶନରେ ଆସି ଜଙ୍ଗଲ ବୁଲନ୍ତି, ଫଟୋ ଉଠାନ୍ତି। ଏହି ଜଙ୍ଗଲକୁ ନେଇ ଅନେକ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇସାରିଛି। ଗାଁର ଏକତା ଜଙ୍ଗଲ ପ୍ରତି ଭଲ ପାଇବା ଦେଖି ବାହାର ପରିଦର୍ଶକ ଭୁରି ଭୁରି ପ୍ରଂଶସା କରି ଯାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe