Villagers surround the Deputy Collector's office Photograph: (sambad.in)
ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଓଏସ୍ଆର୍ଟିସି(ମୁଖ୍ୟମନ୍ତ୍ରୀ ବସ୍ ସେବା) ବସ୍କୁ ଗ୍ରାମବାସୀ ବନ୍ଧକ ରଖିଛନ୍ତି । ଘଟଣାରୁ ପ୍ରକାଶ ଯେ, ବେଶ୍ କିଛିଦିନ ହେବ ଗୋବିନ୍ଦପୁର ପଞ୍ଚାୟତବାସୀ ତାଙ୍କ ଗ୍ରାମଦେଇ ଯାଉଥିବା ବସ୍ ଘୋଷରା, ପତ୍ରାପାଲି, ଷେଣ୍ଢପୁର ଦେଇ ଇନ୍ଦୁପୁରରେ ବାହାରିଲେ ପଞ୍ଚାୟତବାସୀ ଉପକୃତ ହେବେ ବୋଲି ଦାବି କରିଥିଲେ।
ଏଥିନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବଣାଇ ବିଡିଓଙ୍କ ପର୍ଯ୍ୟନ୍ତଙ୍କ ନିକଟରେ ଦାବି କରିଥିଲେ ହେଁ ସୁଫଳ ନ ମିଳିବାରୁ ଗତ ୧୯ ତାରିଖ ଦିନ ଲହୁଣୀପଡ଼ା ଠାରେ ସୁନ୍ଦରଗଡ଼ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଥିବାରୁ ସେଠାରେ ଜିଲ୍ଲାପାଳଙ୍କୁ ପୁନଃ ଅଭିଯୋଗ କରି ଅଗଷ୍ଟ ୨ ତାରିଖ ମଧ୍ୟରେ ପ୍ରଶାସନ ନିଷ୍ପତ୍ତି ନନେଲେ ୩ ତାରିଖ ଠାରୁ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିବେ ଓ ଏଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ।
ଗତକାଲି ଓଏସ୍ଆର୍ଟିସି ବସ୍ଟି ଗୋବିନ୍ଦପୁର ଯାଇଥିଲା ଓ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଫେରି ଆସିବା ସମୟରେ ଶତାଧିକ ଗ୍ରାମବାସୀ ବସ୍କୁ ଅଟକ ରଖି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରଖିଥିଲେ। ଅଦ୍ୟାବଧି ଗ୍ରାମବାସୀ ବସ୍କୁ ବନ୍ଧକ। ପ୍ରଶାସନିକ ଅଧିକାରୀ ଅବା ପୁଲିସ କେହି ଗ୍ରାମକୁ ନଆସିବା ଫଳରେ ବସ୍ ଏବେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରହିଛି।
ଉଲ୍ଲେଖଯୋଗ୍ଯ, ଓଏସ୍ଆର୍ଟିସି ବସ୍ ନମ୍ବର ଓଡ଼ି ୧୬ଏଲ-୯୩୪୮ର ରୁଟ୍ ଚାର୍ଟ ବୋର୍ଡରେ ଭାଲୁପାଣି ଭାୟା କେନ୍ଦ୍ରିକଳା, ଗୋବିନ୍ଦପୁର, କେନାଭେଟା, ଟୁଣିଆପାଲୀ, ଚନ୍ଦ୍ରପୁର ଦେଇ ଯିବା ଲେଖା ଅଛି। ସେଥିପାଇଁ ବସ୍ ଗୋବିନ୍ଦପୁରରୁ କେନାଭେଟା ଯିବାକୁ ହେଲେ ପୁଣି ମୁଖ୍ୟ ୧୪୩ ନମ୍ବର ଜାତୀୟ ରାଜପଥକୁ ଫେରି ରୁଟ୍ରେ ଯାଇ ଫେରୁଥିଲା।
ଏହାକୁ ବିରୋଧ କରି ଗ୍ରାମବାସୀ ଗ୍ରାମ ଭିତରେ ଥିବା ରାସ୍ତା ଦେଇ ଯିବାକୁ ବାଧ୍ୟ କରିଥିଲେ । ଏଥିନେଇ ଗୋବିନ୍ଦପୁର ସରପଞ୍ଚ ଯମୁନା ନାୟକଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି, ଗାଁ ମଝିରେ ବସ୍ ଚାଲିବାର ନିଷ୍ପତ୍ତି ହେଉ ବୋଲି ଦାବି କରି ଗ୍ରାମବାସୀ ବସ୍କୁ ଅଟକ ରଖିଛନ୍ତି। ଦୁର୍ଭାଗ୍ଯର ବିଷୟ ଗତ କାଲି ଅପରାହ୍ନରୁ ବସ୍କୁ ବନ୍ଧକ ରଖିବା ପରେ ମଧ୍ଯ ବିଡିଓଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ନୀରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ବସ୍ ନିରୀକ୍ଷକ ବଣାଇ ଥାନାରେ ଗତ କାଲି ଅଭିଯୋଗ କରିଛନ୍ତି ଓ ପୁଲିସ ମଧ୍ଯ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ସରପଞ୍ଚ ପ୍ରକାଶ କରିଛନ୍ତି।
ଗୁରୁବାର ସକାଳୁ ଗ୍ରାମର ଶତାଧିକ ମହିଳା ଓ ଗ୍ରାମବାସୀ ମିଶି ରାସ୍ତାରେ ଚାଲି ଚାଲି ଆସି ବଣାଇ ଉପ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଉପ ଜ଼ିଲ୍ଲାପାଳ ସ୍ଵାଗତିକା ଦଳପତିଙ୍କ ନିକଟରେ ଦାବି ଜଣାଇଥିଲେ। ଉପ ଜ଼ିଲ୍ଲାପାଳ ଏହାର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି l ତେବେ ଗ୍ରାମବାସୀମାନେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି।
sundargarh
Follow Us