ଉଦାହରଣ ସୃଷ୍ଟିକଲେ ଗ୍ରାମବାସୀ: ସରପଞ୍ଚ ପଦ ପାଇଁ ୮ ପ୍ରାର୍ଥୀଙ୍କୁ ପରୀକ୍ଷା କଲେ

ଉଦାହରଣ ସୃଷ୍ଟିକଲେ ଗ୍ରାମବାସୀ: ସରପଞ୍ଚ ପଦ ପାଇଁ ୮ ପ୍ରାର୍ଥୀଙ୍କୁ ପରୀକ୍ଷା କଲେ

କୁତ୍ରା : ଏକ ନିଆରା ଉଦ‌ାହରଣ ସୃଷ୍ଟିକଲେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ର ମାଲୁପଡ଼ାର ଗ୍ରାମବାସୀ। ବିକାଶ ଓ ଜନସେବା କରିବେ ବୋଲି ଦାବି କରୁଥିବା ସରପଞ୍ଚ ପ୍ରାର୍ଥୀମାନଙ୍କୁ ଲୋକେ ଏକ ଲିଖିତ ପରୀକ୍ଷାରେ ବସାଇଛନ୍ତି। ସବୁଠୁ କୌତୁହଳର କଥା, ପ୍ରାର୍ଥୀମାନେ ମଧ୍ୟ ଗ୍ରାମବାସୀଙ୍କ କାର୍ଯ୍ୟକୁ ବିରୋଧ କରି ନଥିଲେ। ୮ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୩ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବି ଗ୍ରାମବାସୀ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, କୁତ୍ରା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ୯ ଜଣ ପ୍ରାର୍ଥୀ। କୋଭିଡ୍‌ କଟକଣା ସାମାନ୍ୟ କୋହଳ ହେବାରୁ ପ୍ରାର୍ଥିମାନେ ଘର ଘର ବୁଲି ପ୍ରଚାର ଚଳାଇଛନ୍ତି। ବିଭିନ୍ନ ଢଙ୍ଗରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ପ୍ରାର୍ଥୀ ଚେଷ୍ଟା କରିବା ସହିତ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି। ତେବେ କୁତ୍ରା ବ୍ଲକ୍‌ ଅନ୍ତର୍ଗତ ମାଲୁପଡ଼ାର ସଚେତନ ଭୋଟରମାନେ ପ୍ରଚାର ପାଇଁ ଆସିଥିବା ପ୍ରାର୍ଥିମାନଙ୍କ ସହିତ ଗାଁର ବିକାଶ ନେଇ ଆଲୋଚନା କରିଥିଲେ। ସେମାନେ ସରପଞ୍ଚ ପ୍ରାର୍ଥିମାନଙ୍କୁ ଏକ ଲିଖିତ ପରୀକ୍ଷାରେ ବସିବାକୁ କହିଥିଲେ। ସେଥିରେ ପରୀକ୍ଷା ଦେଇଥିବା ୮ଜଣ ପ୍ରାର୍ଥୀଙ୍କ ଭିତରୁ ୩ ଜଣ କୃତକାର୍ଯ୍ୟ ହୋଇଥିବା ଗ୍ରାମବାସୀ କହିଛନ୍ତି।

publive-image

ପ୍ରଶ୍ନପତ୍ରରେ ଥିବା ପ୍ରଶ୍ନଗୁଡ଼ିକ ହେଲା, (୧) ଆପଣ ସରପଞ୍ଚ ପ୍ରାର୍ଥୀ ହେବାର ୫ ଗୋଟି ଉଦ୍ଦେଶ୍ୟ କଣ? (୨) ଆପଣ ଯଦି ସରପଞ୍ଚ ଭାବେ ନିର୍ବାଚିତ ହେବେ ଆଗାମୀ ୫ ବର୍ଷ ପାଇଁ କଣ ଲକ୍ଷ୍ୟ ରହିବ? (୩) ଯଦି ଆପଣ ଲୋକଙ୍କ ସେବା କରିବା ପାଇଁ ଆସିଛନ୍ତି ତା’ହେଲେ ପୂର୍ବରୁ କରିଥିବା ୫ ଗୋଟି ନିଃସ୍ବାର୍ଥ ସେବା କ’ଣ କ’ଣ? (୪) ଏବେ ଯେମିତି ଘରଘର ବୁଲି ଭୋଟ୍‌ ମାଗୁଛନ୍ତି ନିର୍ବାଚିତ ହେବା ପରେ ସେହିଭଳି ଘର ଘର ବୁଲି ଲୋକଙ୍କ ସମସ୍ୟା ସମାଧାନ କରିବେ କି? (୫) ଆପଙ୍କ ସ୍ଵପ୍ନର ଗ୍ରାମପଞ୍ଚାୟତ କିଭଳି ହେବା ଆବଶ୍ୟକ? (୬) ଆପଣଙ୍କ ଗ୍ରାମ ପଞ୍ଚାୟତରେ କେତୋଟି ଗ୍ରାମ, କେତୋଟି ୱାର୍ଡ ଓ କେତେ ଜନସଂଖ୍ୟା? (୭) ପୂର୍ବରୁ ଥିବା ସରପଞ୍ଚଙ୍କ ବିଷୟରେ ବର୍ଣ୍ଣନା। ଏହି ପରୀକ୍ଷାରେ ସରପଞ୍ଚ ପଦ ପାଇଁ ଛିଡା ହୋଇଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣ ଯୋଗ ଦେଇଥିଲେ। ସେମାନେ ହେଲେ ଅଜିତ ହରୋ, ଅମୃତଲାଲ ଟପ୍ପୋ, ଚଞ୍ଚଳା ଏକ୍କା, ଜିତେନ୍ଦ୍ର ଟପ୍ପୋ, ଦିଲ୍ଲୀପ କୁଲୁ, ନୂଆସ ଡାଙ୍ଗ, ଫିରୋଜ ଡୁଙ୍ଗଡୁଙ୍ଗ, ଭୁବନ କୁଜୁର, ଲଳିତା ବରୁଆ। ତେବେ ୮ ଜଣଙ୍କ ମଧ୍ୟରୁ ଭୁବନ କୁଜୁର, ଲଳିତା ବରୁଆ ଓ ଫିରୋଜ ଡୁଙ୍ଗଡୁଙ୍ଗ ପାସ୍ କରିଥିବା ଗ୍ରାମବାସୀ ଘୋଷଣା କରିଥିଲେ।

ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ବର୍ତ୍ତମାନ ଅନ୍ୟ ପଦର ପ୍ରାର୍ଥୀମାନେ ସେ ଗାଁକୁ ଯିବାପାଇଁ ଭୟ କରୁଛନ୍ତି। ଏଭଳି ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe