ବାଲିଗୁଡ଼ା : ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ବିଧାୟକ ଚକ୍ରମଣି କହଁରଙ୍କ ଗଁାଲୋକ ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି। ନୂତନ ପଞ୍ଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ସେମାନେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକ୍ ସାଇନପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନନ୍ଦମାହା ହେଉଛି ବିଧାୟକ ଶ୍ରୀ କହଁରଙ୍କ ନିଜ ଗଁା। ଏହି ଗଁା ସମେତ ୬ଟି ୱାର୍ଡର ବାସିନ୍ଦାଙ୍କ କହିବାନୁସାରେ, ପୂର୍ବରୁ ସେମାନେ କୁଡୁତୁଲି ପଞ୍ଚାୟତରେ ଥିଲେ। ସେମାନଙ୍କ ସହିତ କୌଣସି ପରାମର୍ଶ ନକରି ୬ଟି ୱାର୍ଡକୁ ସାଇନପଡ଼ା ପଞ୍ଚାୟତରେ ମିଶାଇ ଦିଆଗଲା। ଏ ନେଇ ଗ୍ରାମବାସୀ କ.ନୂଆଗାଁ ବିଡିଓ, ବାଲିଗୁଡ଼ା ଉପଜ଼ିଲ୍ଲାପାଳ, ମୁଖ୍ୟ ଶାସନ ସଚିବ ଓ ପଞ୍ଚାୟତିରାଜ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ। ମାତ୍ର, କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ବାଧ୍ୟହୋଇ ଗ୍ରାମବାସୀ ମିଳିତ ବୈଠକ କରି ଭୋଟ ବର୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି। ନନ୍ଦମାହା, କିରାକେତା, ଡାକରଗାଁ, ସିକେଶରୁ, ସାରିଖେତା, ମୁଣ୍ଡାର ଗାଁ, ବିକାଙ୍ଗିଆ. ତିଳକପଡା. ଗାନିପଡା. ଟେଟ୍ରେଗାଁରେ ପ୍ରାୟ ପାଞ୍ଚ ହଜାର ଲୋକ ବସବାସ କରନ୍ତି। କୁଡୁତୁଲି ଓ ସାଇନପଡ଼ା ପଞ୍ଚାୟତକୁ ରାସନ ଚାଉଳ ଓ ବିଧବା, ବାର୍ଦ୍ଧକ୍ୟ ଭତ୍ତା ପାଇଁ ଗଲେ ଦୁଇଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ତେଣୁ ନନ୍ଦମାହାର ଛଅ ୱାର୍ଡ଼କୁ ନେଇ ନୂତନ ପଞ୍ଚାୟତ ଗଠନ କରାଯାଉ ବୋଲି କମଳ ଲୋଚନ କହଁର, ରୁକ୍ମଣୀ କହଁର, ସୀମାଞ୍ଚଳ କହଁରଙ୍କ ସମେତ ସମସ୍ତ ଗ୍ରାମବାସୀ ଦାବି କରିଛନ୍ତି।
Follow Us