ଅତ୍ୟାଧୁନିକ ମେସିନ୍‌ ଭିମ୍‌ସାରକୁ ବୋଝ! କୁସା ମେସିନ୍‌ କଟକ ପଠାଇବାକୁ କର୍ତ୍ତୃପକ୍ଷ ବ୍ୟାକୁଳ

Advertisment
ସପ୍ତାହେ ହେବ ଭିମ୍‌ସାରରେ ୱାଇଫାଇ ସେବା ବାଧାପ୍ରାପ୍ତ

ଡିଏମଇଟିଙ୍କୁ ଚିଠି ଲେଖି ଅନୁରୋଧ କଲେ ଅଧୀକ୍ଷକ
କଟକରେ ଯଦି ଚାଲିବ ଏଠି କାହିଁକି ନୁହେଁ

ସମ୍ବଲପୁର : ଗତବର୍ଷ ଜୁନ୍‌ ମାସରେ ଏକକାଳୀନ ୪୦ଟି ଭେଣ୍ଟିଲେଟରକୁ ଡାକ୍ତରଖାନା କ୍ୟାମ୍ପସରୁ ଫେରାଇ ଦେଇଥିଲେ ଭିମ୍‌ସାର କର୍ତ୍ତୃପକ୍ଷ। ଏ ନେଇ ସମ୍ବଲପୁରରେ ବେଶ୍‌ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏବେ ପୁଣି ଗୋଟିଏ ଅତି ମୂଲ୍ୟବାନ ଓ ଅତ୍ୟାଧୁନିକ ମେସିନକୁ ଭିମ୍‌ସାରରୁ କଟକ ପଠାଇଦେବା ପାଇଁ ଯୋଜନା ଚାଲିଛି। ଭିମ୍‌ସାରରେ ଏହି ମେସିନ୍‌ ଚଳାଇବା ଲାଗି ଯୋଗ୍ୟ ଓ ଦକ୍ଷ ଲୋକ ନଥିବାରୁ ତାହା ଉପଯୋଗ ହୋଇପାରୁନି ବୋଲି ଦର୍ଶାଇ ଏହାକୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି।

ଏହି ମେସିନ୍‌ଟିର ନାଁ ହେଲା କାଭିଟ୍ରନ ଅଲଟ୍ରାସୋନିକ୍‌ ସର୍ଜିକାଲ ଆସ୍ପାରେଟର ବା ସଂକ୍ଷେପର ‘କୁସା ମେସିନ୍‌। ଭିମ୍‌ସାର ନ୍ୟୁରୋସର୍ଜରି ବିଭାଗକୁ ଏହି ଅତ୍ୟାଧୁନିକ ମେସିନ୍‌ ଆସିଥିଲା। ସ୍ନାୟୁ ଓ ମାସଂପେଶୀର ଜଟିଳ ଅସ୍ତ୍ରୋପଚାର ସମୟରେ ଏହି ମେସିନ୍‌ ଖୁବ୍‌ ଉପଯୋଗୀ। ଅସ୍ତ୍ରୋପଚାର ବେଳେ ଏହି ଯନ୍ତ୍ର ବ୍ୟବହୃତ ହୋଇଥିଲେ ସଂକ୍ରମଣର ହାର ବହୁତ କମିଯାଏ ଓ ଶୀଘ୍ର ଆରୋଗ୍ୟରେ ଏହା ସହାୟକ ହୋଇଥାଏ। ଏହି ମେସିନ କେବେ ଭିମ୍‌ସାର ଆସିଥିଲା ସେ ତଥ୍ୟ ଏବେ କେହି ଦେଇ ପାରୁନାହାନ୍ତି। କିନ୍ତୁ ବର୍ଷାଧିକ କାଳ ଏହା ଅନୁପଯୋଗ ହୋଇ ରହିବା ପରେ ଏହାକୁ କଟକ ପଠାଇଦେବାକୁ ନିଷ୍ପତ୍ତି ନିଆଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ମେସିନ୍‌କୁ ତୁରନ୍ତ ଏଠାରୁ କଟକ ନେବା ବ୍ୟବସ୍ଥା କରିବାକୁ ଭିମ୍‌ସାର କର୍ତ୍ତୃପକ୍ଷ ଡିଏମ୍‌ଇଟିଙ୍କୁ ଚିଠି ଲେଖିଛନ୍ତି। ଆବଶ୍ୟକ ପ୍ରଶିକ୍ଷଣପ୍ରାପ୍ତ ସର୍ଜରି ଡାକ୍ତରଙ୍କ ଅଭାବରୁ ଏହି ମେସିନ୍‌କୁ କଟକ ପଠାଇଦେବା ପାଇଁ ଡିଏମଇଟିକୁ ଆବେଦନ କରାଯାଇଥିବା ସ୍ବୀକାର କରିଛନ୍ତି ଭିମସାର ଅଧୀକ୍ଷକ ପ୍ରଫେସର ଜୟଶ୍ରୀ ଦୋରା। ଏସ୍‌ସିବି ମେଡିକାଲରେ ଯଦି କୁସା ମେସିନ ଚଳାଇବା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଡାକ୍ତର ଅଛନ୍ତି, ଭିମସାରରେ କାହିଁକି ନାହାନ୍ତି ଓ ଯଦି ନାହାନ୍ତି ତେବେ ଏଠାକାର ଡାକ୍ତରଙ୍କୁ ଏହି ପ୍ରଶିକ୍ଷଣର ବ୍ୟବସ୍ଥା କାହିଁକି କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି। କର୍ତ୍ତୃପକ୍ଷ କିନ୍ତୁ ଏ ନେଇ ମୁହଁ ଖୋଲୁନାହାନ୍ତି।

ବିଶେଷଜ୍ଞଙ୍କ ଅନୁସାରେ, ମସ୍ତିଷ୍କ, ପାକସ୍ଥଳୀଠାରୁ ଆରମ୍ଭ କରି ଗୁରୁତ୍ବପୂର୍ଣ୍ଣ ଅଂଗରେ ଲାପାରୋସ୍କୋପିକ ସର୍ଜରୀ ବେଳେ ଜୀବନ୍ତ ଜୀବକୋଷକୁ ନଷ୍ଟ ନକରି ଏହି ମେସିନ୍‌ କେବଳ ନଷ୍ଟ ହୋଇ ଯାଇଥିବା ଜୀବକୋଷକୁ କାଢ଼ି ଅଲଗା କରିଦିଏ। ଜୀବନ୍ତ କୋଷିକାର ସୂକ୍ଷ୍ମ ଆବରଣ ବି ଅତୁଟ ରହେ। ବର୍ତ୍ତମାନ ଭିମ୍‌ସାରରେ ସ୍ବତନ୍ତ୍ର ଅପଗ୍ରେଡେଡ୍‌ ସୁପରସ୍ପେସାଲିଟି ବିଭାଗ ଖୋଲିବା ପାଇଁ କୋଠା ନିର୍ମାଣ କରାଯାଉଛି। ଏଥିରେ ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରି, ୟୁରୋସର୍ଜରି ବିଭାଗ ରହିବ। ଏଥିରେ ସ୍ବତନ୍ତ୍ର ନିଯୁକ୍ତି ସହିତ ଅତ୍ୟାଧୁନିକ ମେସିନ୍‌ ଆଣିବା ପାଇଁ ଯୋଜନା ରହିଛି। ଏଭଳି ସ୍ଥିତିରେ କୁସା ମେସିନ ବିଶେଷ ଉପଯୋଗରେ ଆସିପାରିଥାନ୍ତା। ମାତ୍ର ସେହି ବିଭାଗ ଖୋଲିବା ପୂର୍ବରୁ ମେସିନ୍‌ କଟକ ପଠାଇବାକୁ ଭିମସାର କର୍ତ୍ତୃପକ୍ଷ କାହିଁକି ତରବର ତାହା ଜଣାପଡ଼ୁନି।

ଭିମସାର ନ୍ୟୁରୋ ସର୍ଜରି ବିଭାଗର ବରିଷ୍ଠ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ସମୟରେ ସମ୍ଭବତଃ ଏହି ମେସିନ ଭିମସାର ଅଣାଯାଇଥିବା କୁହାଯାଉଛି। ଏହାକୁ ନେଇ ଭିମସାର ପକ୍ଷରୁ ସ୍ପଷ୍ଟ କରାଯାଇ ପାରୁ ନାହିଁ। ତାଙ୍କର ବଦଳି ପରେ ଜଣେ ସହକାରୀ ପ୍ରଫେସର ଏହି ବିଭାଗ ଚଳାଉଛନ୍ତି। ଜଣେ ପ୍ରଫେସରଙ୍କ ବଦଳି ପରେ ନୂଆ ପ୍ରଫେସର ମଧ୍ୟ କାହିଁକି ନିଯୁକ୍ତି କରାଗଲା ନାହିଁ ଏହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁସା ମେସିନ କେବଳ ଉଦାହରଣ ମାତ୍ର, ଭିମସାରରେ ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ମେସିନ ରହିଛି ଯାହାର ଉପଯୋଗ କରାଯାଉ ନାହିଁ। ସମୟକ୍ରମରେ ଏସବୁ ବି ଫେରିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe