ଭିମ୍‌ସାର କୋଭିଡ୍ ହସ୍‌ପିଟାଲ୍ ଶଯ୍ୟା ଓ ଆଇସିୟୁ ବଢ଼ିବ, ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ

Advertisment
ଭିମ୍‌ସାର କୋଭିଡ୍ ହସ୍‌ପିଟାଲ୍ ଶଯ୍ୟା ଓ ଆଇସିୟୁ ବଢ଼ିବ, ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ

ସମ୍ବଲପୁର : ଭିମସାର୍‌ କୋଭିଡ୍ ହସ୍‌ପିଟାଲ୍‌ର ସାଧାରଣ ଶଯ୍ୟା ଓ ଆଇସିୟୁ ସଂଖ୍ୟା ବଢ଼ିବ। ଉଭୟ ସାଧାରଣ ଓ ଆଇସିୟୁ ଶଯ୍ୟାକୁ ପ୍ରାୟ ଦୁଇଗୁଣା କରିବାକୁ ନିଷ୍ପତ୍ତି ହୋଇଛି। ବୁଧବାର ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା କୋଭିଡ୍ ହସ୍‌ପିଟାଲ୍ ଯାଇ ଭିମ୍‌ସାର୍‌ ନିର୍ଦ୍ଦେଶକ ପ୍ରଲଳିତ ମେହେର ଏବଂ ଅନ୍ୟ ଅଧିକାରୀଙ୍କ ସହ ଏ ନେଇ ଯୋଜନା କରିଛନ୍ତି। ବର୍ତ୍ତମାନ କୋଭିଡ୍ ହସ୍‌ପିଟାଲ୍ ଚାଲିଥିବା ୮ ମହଲା ବିଶିଷ୍ଟ କୋଠାରେ ଶଯ୍ୟା ବୃଦ୍ଧି କରିବା ପାଇଁ ଯଥେଷ୍ଟ ସ୍ଥାନ ଉପଲବ୍‌ଧ ଅଛି। ଏହାଛଡ଼ା କୋଭିଡ୍ ଡାକ୍ତରଖାନା ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଓ ଉପକରଣ ଯଥା ଶଯ୍ୟା, ଭେଣ୍ଟିଲେଟର୍‌ ଆଦି ଉପଲବ୍‌ଧ ‌ଅଛି। ଏକ ଅତିରିକ୍ତ ମହଲାରେ ବି ଅକ୍ସିଜେନ୍ ଯୋଗାଣ ପାଇଁ ପାଇପ୍‌ ଲାଇନ୍‌ ବ୍ୟବସ୍ଥା କରାଯାଇଛି। ତେଣୁ କମ୍ ସମୟ ମଧ୍ୟରେ ଡାକ୍ତରଖାନାର କଳେବରକୁ ଦୁଇଗୁଣା କରାଯାଇ ପାରିବ ବୋଲି ହୃଦୟଙ୍ଗମ କରି ଏନେଇ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିବାକୁ ଆଲୋଚନା ବେଳେ ନିଷ୍ପତ୍ତି ହୋଇଛି।

ବର୍ତ୍ତମାନ ଭିମସାର୍‌ କୋଭିଡ୍ ଡାକ୍ତରଖାନାରେ ୧୦୦ ସାଧାରଣ ଶଯ୍ୟା ଓ ୨୦ ଆଇସିୟୁ ରହିଛି। ଆଇସିୟୁ ସଂଖ୍ୟା ୪୦ରୁ ଅଧିକ କରିବାକୁ ତଥା ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରିବାକୁ ଜିଲ୍ଲାପାଳ କହିଥିବା ଭିମସାର୍‌ ନିର୍ଦ୍ଦେଶକ ପ୍ର. ଲଳିତ ମେହେର ସୂଚନା ଦେଇଛନ୍ତି। ଏନେଇ କାମ ଆରମ୍ଭ ହୋଇଥିଲା ବେଳେ ଯଥାଶୀଘ୍ର ସମ୍ଭବ ପରିବର୍ଦ୍ଧିତ ଡାକ୍ତରଖାନାକୁ ରୋଗୀଙ୍କ ସେବାରେ ଲଗାଯିବ ବୋଲି ସେ କହିଛନ୍ତି। ଜିଲ୍ଲାପାଳ ଓ ଅଧିକାରୀ ମାନେ ନିଜ ଗସ୍ତ ସମୟରେ କୋଭିଡ୍ ଭିତରକୁ ଯାଇ ଏହାର କଳେବର ବୃଦ୍ଧି ପାଇଁ ସର୍ବେକ୍ଷଣ କରିଥିଲେ। ଉପସ୍ଥିତ ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ଏଥିପାଇଁ ଅତିରିକ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ କହିଥିଲେ। ‌ସେହିପରି ଦରକାରୀ ଆସବାବପତ୍ର, ଉପକରଣ, ଯନ୍ତ୍ରପାତି ଆଦିର ଉପଲବ୍‌ଧତା, ଅତିରିକ୍ତ ଆବଶ୍ୟକତାର ସମୀକ୍ଷା କରିଥିଲେ। ଭିମ୍‌ସାର୍‌ କୋଭିଡ୍ ହସ୍‌ପିଟାଲ୍‌ର ଏହି କଳେବର ବୃଦ୍ଧି ଯୋଜନା ପାଇଁ ସରକାରଙ୍କ ମଞ୍ଜୁରି ମିଳି ସାରିଥିବା ଜଣାପଡ଼ିଛି। ଏନେଇ ଆବଶ୍ୟକ ଅତିରିକ୍ତ କର୍ମଚାରୀ ଓ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ସେହିପରି ଜିଲ୍ଲାରେ ତଥା ପଶ୍ଚିମ ଓଡ଼ିଶାରେ ବୃଦ୍ଧି ପାଉଥିବା ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଦୁଇଟି ଘରୋଇ ହସ୍‌ପିଟାଲ୍‌ରେ କୋଭିଡ୍ ଚିକିତ୍ସା ପାଇଁ ମଧ୍ୟ ଆଲୋଚନା ଚାଲିଛି। ଖୁବ୍ ଶୀଘ୍ର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ। ଭିମସାର୍‌ କୋଭିଡ୍ ହସ୍‌ପିଟାଲ୍‌ରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ଶଯ୍ୟା ଓ ଆଇସିୟୁ ଅଭାବ ହୋଇପାରେ ବୋଲି ବୁଧବାର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହାପରେ ସରକାରଙ୍କ ତରଫରୁ ଶଯ୍ୟା ଓ ଆଇସିୟୁ ସଂଖ୍ୟା ବୃଦ୍ଧି ପାଇଁ ତତ୍ପରତା ପ୍ରକାଶ ପାଇଛି। ବର୍ତ୍ତମାନ ୧୨ଟି ଭେଣ୍ଟିଲେଟର୍‌ କାର୍ଯ୍ୟକ୍ଷମ ଥିବାବେଳେ ଅଧିକ ଭେଣ୍ଟିଲେଟର୍‌ ଲଗାଇବାକୁ ଦୁଇଟି ଭିନ୍ନଭିନ୍ନ ବିଶେଷଜ୍ଞ ଦଳ ବୁର୍ଲା ଆସିବେ ବୋଲି ଜଣା ପଡ଼ିଛି। ବୁଧବାର ଭିମସାର୍‌ କୋଭିଡ୍ ହସ୍‌ପିଟାଲ୍‌ରେ ୯୨ ଜଣ ରୋଗୀ ଥିଲାବେଳେ ସ୍ଥିତି ନିୟନ୍ତ୍ରଣରେ ଥିବା ନିର୍ଦ୍ଦେଶକ ପ୍ର. ମେହେର କହିଛନ୍ତି। ଆଜି ଜିଲ୍ଲାପାଳଙ୍କ ସମୀକ୍ଷା ବେଳେ ପିଡି ସୁକାନ୍ତ ତ୍ରିପାଠୀ, ଭିମସାର୍‌ ଅଧୀକ୍ଷକ ପ୍ର. ଲାଲ୍‌ମୋହନ ନାୟକ, କୋଭିଡ୍ ହସ୍‌ପିଟାଲ୍ ଇନ୍‌ଚାର୍ଜ ଡା. ଜଗନ୍ନାଥ ହାତୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe