ଭିମ୍‌ସାର କନିଷ୍ଠ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଜାରି : ଓହରିଲେ ଠିକା କର୍ମଚାରୀ

Advertisment

‌ଆଜି ଆସିବେ ୪ ଜଣିଆ ତଦନ୍ତକାରୀ ଦଳ, ପରିସ୍ଥିତି ସୁଧାରିବାକୁ ପ୍ରୟାସ ଜାରି

‌ଆଜି ଆସିବେ ୪ ଜଣିଆ ତଦନ୍ତକାରୀ ଦଳ, ପରିସ୍ଥିତି ସୁଧାରିବାକୁ ପ୍ରୟାସ ଜାରି

ଭିମ୍‌ସାର କନିଷ୍ଠ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଜାରି : ଓହରିଲେ ଠିକା କର୍ମଚାରୀ

ସମ୍ବଲପୁର : ଭିମ୍‌ସାରରେ ଶୁକ୍ରବାର ମଧ୍ୟ ରୋଗୀସେବା ପ୍ରଭାବିତ ହୋଇଛି। ନିର୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ କନିଷ୍ଠ ଡାକ୍ତରମାନେ ଅଡ଼ି ବସିଛନ୍ତି। ସରକାରଙ୍କ ତଦନ୍ତ ନିର୍ଦେଶ ଦୃଷ୍ଟିରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସେମାନଙ୍କୁ ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ଜିଦ୍‌ରେ ଅଟଳ ଅଛନ୍ତି। ଅନ୍ୟପକ୍ଷରେ ୬ ଦଫା ଦାବି ନେଇ କାର୍ଯ୍ୟବନ୍ଦ କରିଥିବା ଭିମ୍‌ସାରର ଆଉଟସୋର୍ସିଂ କର୍ମଚାରୀମାନେ ଶୁକ୍ରବାରଠାରୁ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି କର୍ମଚାରୀଙ୍କ ବକେୟା ଦରମା ଦିନେ ଦୁଇଦିନ ମଧ୍ୟରେ ଦେବା ପାଇଁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରା ଯାଇଥିବା ଜଣାପଡ଼ିଛି।

ସେପଟେ ନିର୍ଦେଶକଙ୍କ ବିରୋଧରେ କନିଷ୍ଠ ଡାକ୍ତରମାନେ ଆଣିଥିବା ଅଭିଯୋଗର ତଦନ୍ତ ପାଇଁ ଏକ ଚାରିଜଣିଆ ବିିଶେଷଜ୍ଞ ଦଳ ଶନିବାର ଦିନ ବୁର୍ଲାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେମାନେ ଦୁଇ ଦିନ ମଧ୍ୟରେ ସରକାରଙ୍କୁ ଏକ ପ୍ରାଥମିକ ରିପୋର୍ଟ ଦେବେ। ଏହି ରିପୋର୍ଟ ଭିତ୍ତିରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ସେ ଦୃଷ୍ଟିରୁ ତଥା ସ୍ଥାନୀୟ ଅଞ୍ଚଳର ରୋଗୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ସମ୍ବଲପୁର ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ଶୁକ୍ରବାର ପୁଣିଥରେ ଜେଡିଏକୁ ଅନୁରୋଧ କରିଛନ୍ତି। ଆଜି ‌େସ ଭିମ୍‌ସାର ଅଧ୍ୟକ୍ଷ, ମେଡିକାଲ ସୁପରିଣ୍ଟେଡେଣ୍ଟ ଓ ଆନ୍ଦୋଳନକାରୀମାନଙ୍କ ସହ ଏ ନେଇ ଆଲୋଚନା କରିଥିବା ‘ସମ୍ବାଦ’କୁ କହିଛନ୍ତି। ନିର୍ଦେଶକଙ୍କ ସହ ତାଙ୍କର ଏ ନେଇ କିଛି ଆଲୋଚନା ହୋଇପାରି ନଥିଲେ ମଧ୍ୟ ଆସନ୍ତାକାଲି ଭିମ୍‌ସାର ଅଚଳାବସ୍ଥା ଦୂର ହୋଇପାରେ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଚାରିଜଣିଆ ତଦନ୍ତକାରୀ ଟିମ୍ ଶନିବାର ବୁର୍ଲା ଆସୁଥିବା ନେଇ ସେମାନଙ୍କ ନିକଟରେ କିଛି ଖବର ନାହିଁ ବୋଲି ନିର୍ଦେଶକ ଓ ଡିନ୍ କହିଛନ୍ତି।

ଶୁକ୍ରବାର ପ୍ରାୟ ୧୮୦ ଜଣ ଆଉଟସୋର୍ସିଂ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବା ପରେ ଏବେ କାଜୁଆଲଟି ତଥା ବିଭିନ୍ନ ୱାର୍ଡ ଗୁଡ଼ିକରେ ଲାଗି ରହିଥିବା ଆଟେଣ୍ଡାଣ୍ଟ ସମସ୍ୟା ଦୂର ହୋଇଛି। ଗୁରୁବାର ଅନୁଷ୍ଠିତ ବୈଠକରେ ଠିକା କର୍ମଚାରୀଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇ, ସମାଧାନର ପନ୍ଥା ବାହାର କରାଯାଇଥିଲା। ଏହାପରେ ଶୁକ୍ରବାର ସକାଳୁ କର୍ମଚାରୀମାନେ ଆଉ ଆନ୍ଦୋଳନସ୍ଥଳକୁ ନଆସି ସ୍ବୀକାରନାମାରେ ଦସ୍ତଖତ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆନ୍ଦୋଳନରେ ବସିବା ସେମାନଙ୍କର ଭୁଲ ଥିଲା, ଭବିଷ୍ୟତରେ ସେମାନେ ଏଭଳି ଆନ୍ଦୋଳନରେ ବସିବେ ନାହିଁ ଓ ସ୍ବାସ୍ଥ୍ୟ ସେବା ଠିକ୍‌ରେ କରିବେ ବୋଲି ଠିକା କର୍ମଚାରୀ ସ୍ବୀକାରନାମାରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

କିନ୍ତୁ ବଡ଼ ମେଡିକାଲରେ ରୋଗୀ ସେବା ଓ ଜରୁରୀକାଳୀନ ‌ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପ୍ରାୟ ୩୦୦ରୁ ଅଧିକ କନିଷ୍ଠ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଯୋଗୁଁ ସମସ୍ୟା ବଢ଼ିବାରେ ଲାଗିଛି। ଏହାର କୌଣସି ସମାଧାନ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe