ଭୀମ ନାମ ସାର ‘ଭିମସାର୍‌’; ସ୍ବାସ୍ଥ୍ୟସେବା, ‌ଗବେଷଣା ବାଟବଣା

Advertisment

ଅନୁଷ୍ଠାନ ବଡ଼, ସ୍ବାସ୍ଥ୍ୟ ଭଲ ନାହିଁ

ଅନୁଷ୍ଠାନ ବଡ଼, ସ୍ବାସ୍ଥ୍ୟ ଭଲ ନାହିଁ

ଜାଲ୍‌ ସାର୍ଟିଫିକେଟ୍ କେଳେଙ୍କାରୀ: ଭିମ୍‌ସାର୍‌ରେ ବହୁ ନକଲି ସାର୍ଟିଫିକେଟ୍‌ଧାରୀ କର୍ମଚାରୀ!

New Indian Express

ସମ୍ବଲପୁର, (ଜ୍ଞାନରଂଜନ ମିଶ୍ର): ରୋଗୀ ଗୁରୁତର ହେଲାଣି, କଟକ ନେଇଯା। ମୁଣ୍ଡରେ ମାଡ଼ ହୋଇଛି ଭୁବନେଶ୍ବର ନେଇଯା। ଆଇସିୟୁ ନାହିଁ, ନର୍ସିଂହୋମ୍‌କୁ ନେଇଯା। ଯଦି ରୋଗୀ ଗରିବ ବା ଅସହାୟ, ଅନ୍ୟତ୍ର ନେବାର ସାମର୍ଥ୍ୟ ନାହିଁ, ତାହେଲେ ଏଠାରେ ଭାଗ୍ୟକୁ ଆଦରି ପଡ଼ି ରହୁ। ବିଗତ କେଇ ବର୍ଷ ମଧ୍ୟରେ ପଶ୍ଚିମ ଓଡ଼ିଶାର ପ୍ରାଣ କେନ୍ଦ୍ର ‘ଭିମସାର୍‌ ସଂପର୍କରେ ଲୋକଙ୍କ ମନରେ ସୃଷ୍ଟି ହୋଇଛି ଏଭଳି ଧାରଣା। ରାଜ୍ୟର ତିନି ପ୍ରମୁଖ ଓ ପୁରାତନ ମେଡିକାଲ୍ କଲେଜ୍ ମଧ୍ୟରୁ ରାଜ୍ୟ ସରକାର ଏକମାତ୍ର ଭିମସାର୍‌କୁ ସ୍ବୟଂଶାସିତ ଘୋଷଣା କରିଛନ୍ତି। ଏହି ଅନୁଷ୍ଠାନ ପାଇଁ ସ୍ବତନ୍ତ୍ର ଆଇନ୍‌ ହୋଇଛି। ଏହାପାଇଁ ସ୍ବତନ୍ତ୍ର କ୍ୟାଡର୍‌ ଗଠିତ ହୋଇଛି। କିନ୍ତୁ ସବୁ ଧର୍ମକୁ ଆଖିଠାର ଭଳି। ୨୦୧୫ରେ ରାଜ୍ୟ ସରକାର ଏହାର ନାଁକୁ ‘ଭିମସାର୍‌ (ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ) କରିଦେଲେ। କିନ୍ତୁ ଆଜି ଯାଏ ଏହି ‘ଭୀମ ନାମ ହିଁ ସାର ହୋଇ ରହିଛି। ଲୋକଙ୍କ ଚିକିତ୍ସା ପାଇଁ ୧୯୫୯ ମସିହାରେ ପ୍ରତିଷ୍ଠିତ ଏହି ବିଶାଳ ଅନୁଷ୍ଠାନ କ୍ରମଶଃ ନିଜେ ରୁଗ୍‌ଣ ଓ ଜରାଜୀର୍ଣ୍ଣ ହୋଇ ପଡ଼ିଛି। କଟକର ଏସ୍‌ସିବି ମେଡିକାଲ୍ କଲେଜ୍‌ ଓ ହସ୍‌ପିଟାଲ୍‌କୁ ‘ଏମ୍‌ସ+ ଡାକ୍ତରଖାନାରେ ପରିଣତ କରିବା ଦିଗରେ କାର୍ଯ୍ୟ କରୁଥିବା ଓଡ଼ିଶା ସରକାର ଭିମ୍‌ସାର ପ୍ରତି ଯେ ସଂପୂର୍ଣ୍ଣ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ତାହା ଏହି ଅନୁଷ୍ଠାନକୁ ପାଖରୁ ଦେଖୁଥିବା ଯେକେହି ବିନା ଦ୍ବିଧାରେ ସ୍ବୀକାର କରିବେ।

ସ୍ବାଧୀନତା ପରଠାରୁ ସର୍ବାଧିକ ସ୍ବାସ୍ଥ୍ୟ ମନ୍ତ୍ରୀ ପଶ୍ଚିମ ଓଡ଼ିଶାରୁ ହୋଇଛନ୍ତି। ବର୍ତ୍ତମାନର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଏହି ଅଞ୍ଚଳର। କିନ୍ତୁ ପଶ୍ଚିମ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଏକ କୋଟିରୁ ଅଧିକ ଜନସାଧାରଣ ନିର୍ଭର କରୁଥିବା ଏହି ପୁରାତନ ଅନୁଷ୍ଠାନ ପ୍ରତି କାହାରି ଆନ୍ତରିକତା ଦେଖିବାକୁ ମିଳି ନାହିଁ। ଏଠାରେ ଡାକ୍ତର ସମସ୍ୟା କେଉଁ କେତେ କାଳରୁ ଲାଗି ରହିଛି। ଗୋଟିଏ ସମୟରେ ବହୁ ଡାକ୍ତର ଏଠାରେ ଚାକିରି କରି କଟକ, ଭୁବନେଶ୍ବରରେ ରହି ଘରୋଇ ଚିକିତ୍ସାରେ ମାତୁଥିଲେ। ଏହି ଫେରାରି ଡାକ୍ତର ସମସ୍ୟାର ସମାଧାନ ପାଇଁ ସ୍ବତନ୍ତ୍ର ଭିମସାର୍‌ କ୍ୟାଡର୍‌ ବ୍ୟବସ୍ଥା କରାଗଲା। କିନ୍ତୁ ଉକ୍ତ ବ୍ୟବସ୍ଥାର କୌଣସି ସୁଫଳ ମିଳିପାରି ନାହିଁ।

publive-image vimsar.ac.in

ଦିନେ ଓଡ଼ିଶାର ପ୍ରଥମ ସଫଳ କିଡ୍‌ନି ପ୍ରତିରୋପଣ କରି ଗୌରବ ସାଉଁଟି ଥିବା ବୁର୍ଲା ବଡ଼ ଡାକ୍ତରଖାନାର ନେଫ୍ରୋଲଜି ବିଭାଗରେ ୪ ବର୍ଷ ହେଲା ଜଣେ ବି ବିଶେଷଜ୍ଞ ଡାକ୍ତର ନାହାନ୍ତି। ମେଡିସିନ୍ ବିଭାଗର କିଛି ଡାକ୍ତରଙ୍କ ଭରସାରେ ରୋଗୀଙ୍କ ଡାଏଲିସିସ୍‌ ହେଉଛି। ନ୍ୟୁରୋଲଜି, ୟୁରୋଲଜି, ରେଡିଓଲଜି ଆଦି ବିଭାଗରେ ମାତ୍ର ଜଣେ ଲେଖାଏଁ ଡାକ୍ତର ଅଛନ୍ତି। ଡାକ୍ତର ଅଭାବରୁ ନ୍ୟୁରୋଲଜିରେ କେବଳ ୨ ଦିନ ଓପିଡି ହେଉଥିଲା ବେଳେ ରୋଗୀ ଭର୍ତ୍ତି କରାଯାଉ ନାହିଁ। ଅନେକ ବିଭାଗରେ ଆବଶ୍ୟକତା ଅନୁଯାୟୀ ପ୍ରଫେସର୍‌, ଆସୋସିଏଟ୍ ପ୍ରଫେସର୍‌ ନାହାନ୍ତି। ୬୦ ବର୍ଷର ଏହି ଅନୁଷ୍ଠାନରେ ଆଜି ଯାଏଁ ଗେଷ୍ଟ୍ରୋଏଣ୍ଟ୍ରୋଲଜି, କାର୍ଡିଓଥେରାପିକ୍ ସର୍ଜରି, କ୍ଲିନିକାଲ୍ ହେମାଟୋଲଜି, ପ୍ଲାଷ୍ଟିକ୍ ସର୍ଜରି, ପେଡିଆଟ୍ରିକ୍ ସର୍ଜରି, ରୁମାଟୋଲଜି ଭଳି ସୁପର୍ ସ୍ପେସାଲିଟି ବିଭାଗ ଖୋଲିପାରି ନାହିଁ।

ଭିମ୍‌ସାର୍‌ କ୍ୟାନ୍‌ସର ହସ୍‌ପିଟାଲ୍ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ବର୍ତ୍ତମାନ ଥିବା କର୍କଟ ବିଭାଗରେ କେବଳ ରେଡିଓଥେରାପି ଅଛି। ସର୍ଜିକାଲ, ମେଡିକାଲ୍ ଅଙ୍କୋଲଜି ନାହିଁ। ଏହି ବିଭାଗରେ ଆଇଏମ୍‌ଆର୍‌ଟି ମେସିନ୍ ନଥିବାବେଳେ ପୁରୁଣା କୋବାଲ୍‌ଟ ୬୦ରେ କାମ ଚାଲୁଛି। ଆଶ୍ଚର୍ଯ୍ୟଜନକ ଭାବେ ଏହି ବଡ଼ ଡାକ୍ତରଖାନାର ‌ଟ୍ରମା କେୟାର୍‌ ୟୁନିଟ୍ ଆରମ୍ଭ ହେଲା ଦିନଠୁ ଅଚଳ ହୋଇପଡ଼ିଛି। ବର୍ନ ୟୁନିଟ୍ ନାମକୁ ମାତ୍ର ରହିଛି। ପ୍ରାୟ ସବୁ ରୋଗୀଙ୍କୁ ଆଇଜିଏଚ୍ ରାଉରକେଲା ବା କଟକ ରେଫର୍ କରାଯାଉଛି। ରୋଗୀ ତୁଳନାରେ ଆଇସିୟୁ ସଂଖ୍ୟା ଅତି କମ ରହିଛି। ପ୍ରାୟ ସବୁବେଳେ ୧୬ରୁ ୧୮ଟି ଆଇସିୟୁ କାର୍ଯ୍ୟକ୍ଷମ ରହୁଛି। ତେଣୁ ଆଇସିୟୁ ଆବଶ୍ୟକ କରୁଥିବା ଅଧିକାଂଶ ରୋଗୀ ଘରୋଇ ଡାକ୍ତରଖାନା ଯାଉଛନ୍ତି ବା ଉପଯୁକ୍ତ ଚିକିତ୍ସା ନପାଇ ଜୀବନ ହାରୁଛନ୍ତି। ପିଲାମାନଙ୍କ ଆଇସିୟୁ (ପିକୁ) ମଧ୍ୟ ମାତ୍ର ୨ଟି ରହିଛି। ଏହି ଗୁରୁତ୍ବପୂର୍ଣ୍ଣ ଡାକ୍ତରଖାନାରେ ଆଜି ପର୍ଯ୍ୟନ୍ତ ଅକ୍ସିଜେନ୍ ସେଣ୍ଟ୍ରାଲ୍ ଲାଇନ୍‌ ବ୍ୟବସ୍ଥା ହୋଇପାରି ନାହିଁ।

ପାଥୋଲଜି ଚିକିତ୍ସାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥିଲା ବେଳେ ଏଠାରେ ଥାଇରଏଡ୍‌, ଟ୍ରପୋନିନ୍ ଆଇ ଭଳି ଜରୁରୀ ପରୀକ୍ଷା ବ୍ୟବସ୍ଥା ନାହିଁ। ଇମିନ୍ୟୁ ସାଇଟୋକେମିଷ୍ଟ୍ରି ସୁବିଧା ନାହିଁ। ଇଲେକ୍ଟ୍ରୋନିକ୍ ମାଇକ୍ରୋସ୍କୋପ୍‌, ଅଟୋ ଆନାଲାଇଜର୍‌ ସମେତ ଆବଶ୍ୟକ ସଂଖ୍ୟକ ଆର୍‌ଟିପିସିଆର୍‌ ମେସିନ୍ ନାହିଁ। ପ୍ଲାଜ୍‌ମା ଥେରାରସିସ୍ ମେସିନ୍ ଥିଲେ ବି କାମରେ ଆସୁ ନାହିଁ। ଏଆର୍‌ଟି ସେଣ୍ଟର୍‌ରେ ପୁରୁଣା ମେସିନ୍‌ରେ ସିଡି୪ କାଉଣ୍ଟ ହେଉଛି ଯାହା ଠିକ୍‌ରେ ଜଣାପଡ଼ୁ ନାହିଁ। ଡେଣ୍ଟାଲ୍ ଏକ୍ସରେ ଭଳି ସାଧାରଣ ବ୍ୟବସ୍ଥା ବି ନାହିଁ। ରାତିବେଳା ଜରୁରୀ ଆବଶ୍ୟକ ଥିଲେ ବି ଅଲ୍‌ଟ୍ରାସାଉଣ୍ଡ‌ ହୋଇପାରୁ ନାହିଁ।

publive-image Telegraph India

ଭିମ୍‌ସାର୍‌ ଓପିଡିକୁ ଦୈନିକ ହାରାହାରି ୨ ହଜାର ରୋଗୀ ଆସୁଥିଲା ବେଳ ବିଭିନ୍ନ ବିଭାଗର ୱାର୍ଡରେ ଦୈନିକ ହାରାହାରି ୨୫୦ ଜଣ ଭର୍ତ୍ତି ହେଉଛନ୍ତି। ବହୁ ବର୍ଷ ହେଲା ଏହାର ଶଯ୍ୟା ସଂଖ୍ୟା ୧୧୦୦ରେ ସୀମିତ ରହିଛି। ଫିମେଲ୍ ମେଡିସିନ୍‌, ପ୍ରସୂତି ଓ ସ୍ତ୍ରୀରୋଗ‌, ଶିଶୁରୋଗ ଆଦି ବିଭାଗରେ ଶଯ୍ୟାର ଉତ୍କଟ ଅଭାବ ରହିଛି। ଅନେକ ୱାର୍ଡରେ ବର୍ଷ ସାରା ରୋଗୀ ତଳେ ଗଡ଼ିବା ଏକ ସାଧାରଣ ଦୃଶ୍ୟ ପାଲଟିଛି। କେବଳ ରୋଗୀ ନୁହନ୍ତି, ତାଙ୍କ ପରିଜନ ମଧ୍ୟ ଏଠାରେ ବହୁ ହଟହଟା ହୁଅନ୍ତି। କେତେକ ୱାର୍ଡରେ ରୋଗୀ ପରିଜନଙ୍କ ରହିବା ପାଇଁ ବ୍ୟବସ୍ଥା ନଥିବାରୁ ସେମାନେ ଶୀତକାକରରେ, ଖରାବର୍ଷାରେ ରାତିରାତି ଧରି ଖୋଲା ଆକାଶ ତଳେ ପଡ଼ି ରହନ୍ତି।

ଭିମ୍‌ସାର୍‌ ପାଇଁ ଅନେକ ସମୟରେ ଅନେକ ଘୋଷଣା ହୋଇଛି। କିନ୍ତୁ ସବୁ ଘୋଷଣା ଫମ୍ପା ସାବ୍ୟସ୍ତ ହୋଇଛି। ଲୋକଙ୍କ ଉପଚାର ପାଇଁ ତିଆରି ବୁର୍ଲା ବଡ଼ ଡାକ୍ତରଖାନା ଏବେ ନିଜେ ବ୍ୟାଧିଗ୍ରସ୍ତ ହୋଇ ପଡ଼ିଥିବାରୁ ସରକାର ଏହାର ଚିକିତ୍ସା ପାଇଁ ଔଷଧ ବ୍ୟବସ୍ଥା କରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe