କାଗଜକଲମରେ ସୀମିତ ଭିମ୍‌ସାର ସ୍ବୟଂଶାସନ: ଶୁଣୁନାହାନ୍ତି ସରକାର, କାମଚଳାରେ ଚାଲିଛି ଶାସନ

Advertisment

ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବାର ଜୀବନରେଖା ଭିମ୍‌ସାର। ପଶ୍ଚିମ ଓଡ଼ିଶାବାସୀଙ୍କ ଲମ୍ବା ଲଢ଼େଇ ପରେ ଭିମ୍‌ସାରକୁ ମିଳିଥିଲା ସ୍ବୟଂଶାସନ କ୍ଷମତା। ହେଲେ, ସେହି ସ୍ବୟଂଶାସନ କାଗଜକଲମରେ ହିଁ ସୀମିତ ରହିଯାଇଛି।

ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବାର ଜୀବନରେଖା ଭିମ୍‌ସାର। ପଶ୍ଚିମ ଓଡ଼ିଶାବାସୀଙ୍କ ଲମ୍ବା ଲଢ଼େଇ ପରେ ଭିମ୍‌ସାରକୁ ମିଳିଥିଲା ସ୍ବୟଂଶାସନ କ୍ଷମତା। ହେଲେ, ସେହି ସ୍ବୟଂଶାସନ କାଗଜକଲମରେ ହିଁ ସୀମିତ ରହିଯାଇଛି।

dgdgdg

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବାର ଜୀବନରେଖା ଭିମ୍‌ସାର। ପଶ୍ଚିମ ଓଡ଼ିଶାବାସୀଙ୍କ ଲମ୍ବା ଲଢ଼େଇ ପରେ ଭିମ୍‌ସାରକୁ ମିଳିଥିଲା ସ୍ବୟଂଶାସନ କ୍ଷମତା। ହେଲେ, ସେହି ସ୍ବୟଂଶାସନ କାଗଜକଲମରେ ହିଁ ସୀମିତ ରହିଯାଇଛି। ବିଜେଡି ସରକାର ଭିମ୍‌ସାର ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଥିଲେ। ନୂଆ ସରକାର କ୍ଷମତାସୀନ ପରେ ବି ତତ୍ପରତା ଦେଖିବାକୁ ମିଳିନାହିଁ। କାର୍ଯ୍ୟକାଳ ସରିବାର ଏକ ବର୍ଷ ପରେ ନୂଆ କାର୍ଯ୍ୟନିର୍ବାହୀ ପରିଷଦ ଗଠନ ହୋଇ ପାରିନଥିବାରୁ କୌଣସି ଗୁରୁତ୍ବପୂର୍ଣ୍ଣ ନି‌ଷ୍ପତ୍ତି ନିଆଯାଇପାରୁନାହିଁ। ଏପଟେ କାମଚଳା ନିର୍ଦ୍ଦେଶକଙ୍କୁ ନେଇ ଭିମ୍‌ସାର ଚାଲିଛି। 

ଗତ ଫେବ୍ରୁଆରି ୨୦୨୨ରେ ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ଚାକିରିରୁ ଅବସର ନେଇଥିଲେ। ପ୍ରଫେସର ମେହେରଙ୍କ ଅବସରର ପ୍ରାୟ ଦେଢ଼ବର୍ଷ ହେଲା କାମଚଳା ନିର୍ଦ୍ଦେଶକ ପଦ ଖାଲି ରହିଛି। ସ୍ଥାୟୀ ନି‌ର୍ଦ୍ଦେଶକ ନିଯୁକ୍ତି ଦିଗରେ ପଦକ୍ଷେପ ନିଆଯାଉନାହିଁ। ଗତ ୧୧ ଅକ୍ଟୋବର ୨୦୨୩ରୁ ଭିମ୍‌ସାର କାର୍ଯ୍ୟନିର୍ବାହୀ ପରିଷଦର ୩ ବର୍ଷିଆ କାର୍ଯ୍ୟକାଳ ସଂପୂର୍ଣ୍ଣ ହୋଇଛି। ଗତ ଏପ୍ରିଲ ମାସରେ ଭାରପ୍ରାପ୍ତ ନିର୍ଦ୍ଦେଶକ ଭିମ୍‌ସାରର କାର୍ଯ୍ୟନିର୍ବାହୀ ପରିଷଦ ଗଠନ ପାଇଁ ସଦସ୍ୟଙ୍କ ତାଲିକା ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଇଥିଲେ। ହେଲେ, ତାହା ନାଲିଫିତା ତଳେ ଚାପି ହୋଇରହିଛି। ନିର୍ଦ୍ଦେଶକଙ୍କ ସଚିବାଳୟ ପାଇଁ ଆବଶ୍ୟକ ଅଧିକାରୀ ଓ କର୍ମଚାରୀଙ୍କୁ ବି ନିଯୁକ୍ତି ଦିଆଯାଇନାହିଁ। ଭିମ୍‌ସାର ପରିଚାଳନା ସମିତିରେ ସ୍ବାସ୍ଥ୍ୟମନ୍ତ୍ରୀ, ଆର୍‌ଡିସି, ଜିଲ୍ଲାପାଳ ପ୍ରମୁଖ ସଦସ୍ୟ ନାହାନ୍ତି। ‌ତେଣୁ ଡିସେମ୍ବର ୨୦୨୩ରେ ରାଜଧାନୀରେ ଅନୁଷ୍ଠିତ ପରିଚାଳନା ସମିତି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ, ଆର୍‌ଡିସି ଓ ଜିଲ୍ଲାପାଳଙ୍କୁ ଏଥିରେ ସାମିଲ, ଭିମ୍‌ସାର ନିର୍ଦ୍ଦେଶକ ପଦ ପାଇଁ ବୟସ, ଯୋଗ୍ୟତା ଓ ଦରମା ସହିତ ଅନ୍ୟାନ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଥିଲା। ଆଗକୁ ନିର୍ବାଚନ ଥିବାରୁ ତତ୍କାଳୀନ ବିଜେଡି ସରକାର ପଶ୍ଚିମ ଓଡ଼ିଶାରେ କାଳେ ଏଭଳି ସଂଶୋଧନକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହେବା ଆଶଙ୍କା କରି କାର୍ଯ୍ୟକାରୀ କରିନଥିଲେ। ସେପଟେ ବିଜେପି ସରକାରକୁ ଆସିବା ପରେ ତାହା କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେଇନାହିଁ। 

ସ୍ଥାୟୀ ଡିନ୍‌ ନଥିବାରୁ ଭିମ୍‌ସାର କୁଳସଚିବ ପ୍ରଫେସର ପ୍ରଦୀପ ମହାନ୍ତି ଏବେ ଡିନ୍‌ ପଦର ଅତିରିକ୍ତ ଦାୟିତ୍ବରେ ରହିଛନ୍ତି। ଯାହାକି, ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ନିୟମର ବିରୁଦ୍ଧାଚରଣ କରୁଛି। କେବଳ ସେତିକି ନୁହେଁ, ସୁପର୍‌ ସ୍ପେସାଲିଟି ହସ୍‌ପିଟାଲ କୋଠା ନିର୍ମାଣ କାର୍ଯ୍ୟ ପ୍ରାୟ ସଂପୂର୍ଣ୍ଣ ହୋଇଥିଲେ ବି ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଟ୍ରମା କେୟାର ଦିଗରେ ବି କିଛି ଅଗ୍ରଗତି ଘଟିନାହିଁ। ଭିମ୍‌ସାର ନାମରେ ବହୁ ଜମି ଥିବା ସତ୍ତ୍ବେ ଏହା କେଉଁଠି ସ୍ଥାପନ କରାଯିବ, ସେ ଦିଗରେ ନିଷ୍ପତ୍ତି ହୋଇ ପାରୁନାହିଁ। ମା’ ଓ ଶିଶୁ ହସ୍ପିଟାଲ (ଏମ୍‌ସିଏଚ୍‌) ସ୍ଥାପନରେ ବି ସେଭଳି କିଛି ସମସ୍ୟା ଅନ୍ତରାୟ ସୃଷ୍ଟି କରୁଛି। ତେଣେ କ୍ୟାନ୍‌ସର ହସ୍ପିଟାଲ ଅବସ୍ଥା ମଧ୍ୟ ସେଇୟା। ବହୁ ଡାକ୍ତର ପଦ ଖାଲିପଡ଼ିଛି। ସମଗ୍ର ପଶ୍ଚିମ ଓଡ଼ିଶା ସହିତ ସୀମାନ୍ତ ଛତିଶଗଡ଼ ଓ ଝାଡ଼ଖଣ୍ଡ ଅଞ୍ଚଳର ରୋଗୀ ଶୀଘ୍ର ଆରୋଗ୍ୟ ଲାଭ ଆଶା ନେଇ ଭିମ୍‌ସାରକୁ ଆସିଥାନ୍ତି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଆସୁଥିବା ବେଳେ ଉପଯୁକ୍ତ ଚିକିତ୍ସା ଅଭାବରୁ ବହୁ ରୋଗୀ ନର୍ସିଂହୋମକୁ ଯାଉଛନ୍ତି କିମ୍ବା ରେଫର୍ ହୋଇ କଟକ ବଡ଼ ଡାକ୍ତରଖାନା ଯିବାକୁ ବାଧ୍ୟ‌ ହେଉଛନ୍ତି। ମୁକେଶ ମହାଲିଙ୍ଗ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା। ମାତ୍ର, ତାହା ଆଶାରେ ରହିଯାଇଛି। ଅବଶ୍ୟ, ଆସନ୍ତା ୧୪ ତାରିଖ ଦିନ ଉତ୍ତରାଞ୍ଚଳ ଆର୍‌ଡିସି ଭିମ୍‌ସାର ସମସ୍ୟା ନେଇ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ଏକ ବୈଠକ ଡାକିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe