son set his mother on fire Photograph: (sambad.in)
ସୁନ୍ଦରଗଡ଼/କୁତ୍ରା/ରାଜଗାଙ୍ଗପୁର: ଅସହ୍ୟ ହେଲା ଅସାମାଜିକ ଯୁବକର ଉତ୍ପୀଡ଼ନ। ସୀମା ଲଂଘିବାରୁ ଶେଷରେ ନିଜକୁ ଜାଳି ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଲାଞ୍ଜିବେର୍ଣ୍ଣାରେ ରହୁଥିବା ଜଣେ ନାବାଳିକା କଲେଜ ଛାତ୍ରୀ। ସଙ୍କଟାପନ୍ନ ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଲାଞ୍ଜିବେର୍ଣ୍ଣା ଗ୍ରାମର ଏହି ୧୭ ବର୍ଷୀୟା ନାବାଳିକା ରାଜଗାଙ୍ଗପୁର ସରବତୀଦେବୀ ମହାବିଦ୍ୟାଳୟରେ +୩ ପାଠ ପଢ଼ୁଥିଲେ। ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଜେ ଦେହରେ ନିଆଁ ଲଗାଇ ଦେଇଥିଲେ। ହୁତୁହୁତୁ ହୋଇ ଜଳିବାବେଳେ ତାଙ୍କ ପାଟି ଶୁଣି ମା’ ଧାଇଁ ଆସି ଝିଅକୁ ଏକ କମ୍ବଳରେ ଘୋଡ଼ାଇ ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଝିଅ ଶରୀରର ୯୦ ପ୍ରତିଶତ ଜଳି ଯାଇଥିଲା। ମୁମୂର୍ଷୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ରାଉରକେଲା
ଆଇଜିଏଚ୍କୁ ନେଇଥିବାବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ଏହି ଘଟଣାକୁ ପୁଲିସ ଗମ୍ଭୀରତାର ସହ ନେଇଛି। ନିଜେ ସୁନ୍ଦରଗଡ଼ ଏସ୍ପି ଡାକ୍ତରଖାନା ଓ ଝିଅ ଘରକୁ ଯାଇ ତଦନ୍ତ କରିଛନ୍ତି। ତ୍ବରିତ କାର୍ଯ୍ୟାନୁଷ୍ଠାନରେ କୁତ୍ରା ଥାନା ଅନ୍ତର୍ଗତ ବୁଡ଼ାକଟା ଗ୍ରାମର ନିଲେଶ ସାହୁ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ନିଲେଶ ବିବାହିତ ଏବଂ ବିଭିନ୍ନ ସମୟରେ ଛାତ୍ରୀଙ୍କୁ ହଇରାଣ କରୁଥିଲା। ଅତ୍ୟାଚାର ସହି ନପାରି ଛାତ୍ରୀଜଣକ ନିଜ ଦେହରେ ନିଆଁ ଲଗାଇ ଜଳି ଯାଇଥିବା ସୁନ୍ଦରଗଡ଼ ଏସ୍ପି ଅମ୍ରିତପାଲ କୌର କହିଛନ୍ତି।
ରାଉରକେଲା ଆଇଜିଏଚ୍ରେ ମୃତ୍ୟୁ ସହ ସଂଘର୍ଷ
ଅଭିଯୁକ୍ତ ଗିରଫ, ପୁଲିସର ତନାଘନା
ଅଭିଯୁକ୍ତ ଏକତରଫା ପ୍ରେମ କରି ବ୍ଲାକ୍ମେଲ୍ କରୁଥିଲା କି ବୋଲି ପଚାରିବାରୁ ସେ ଦିଗରେ ତଦନ୍ତ ଚାଲିଥିବା ଏସ୍ପି କହିଛନ୍ତି। ତେବେ ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ରାତିରେ ଛାତ୍ରୀଙ୍କ ଭାଇ ପାଖକୁ ଫୋନ୍ କଲ ଆସିଥିଲା। ଭଉଣୀକୁ ଜାଳି ଦିଆଯିବ ବୋଲି କେହି ଜଣେ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର। ପୁଲିସ ସେ ଦିଗରେ ମଧ୍ୟ ତଦନ୍ତ ଚଳାଇଥିବା ଏସ୍ପି ଶ୍ରୀମତୀ କୌର ଶନିବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି ଯେ ଜଣେ ପୁରୁଷ ମାନସିକ ଚାପ ଦେଉଥିବାରୁ ନାବାଳିକା ଜଣକ ଏଭଳି ପନ୍ଥା ଗ୍ରହଣ କଲେ। ଗତକାଲି ବିଳମ୍ବିତ ରାତିରେ କିରାସିନି ଢାଳି ସେ ଆତ୍ମଦାହ ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରେ ଏସ୍ପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଥିବାବେଳେ କିଛି ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଥିବା ଜଣାଯାଇଛି।
Follow Us