ବର୍ବରତାର ସୀମା ଲଂଘିଲା ବନ ବିଭାଗ, ହାତୀ ଶିକାର ଅଭିଯୁକ୍ତଙ୍କ ପତ୍ନୀଙ୍କୁ ଅଚେତ ଅବସ୍ଥାରେ ପକାଇ ଚାଲିଗଲା

Advertisment
ବର୍ବରତାର ସୀମା ଲଂଘିଲା ବନ ବିଭାଗ, ହାତୀ ଶିକାର ଅଭିଯୁକ୍ତଙ୍କ ପତ୍ନୀଙ୍କୁ ଅଚେତ ଅବସ୍ଥାରେ ପକାଇ ଚାଲିଗଲା

ବୌଦ୍ଧ: ବୌଦ୍ଧ ବନ ବିଭାଗ ଔଷଧ ବିକଳରେ ତାଟିଆ କାମୁଡ଼ିବା ସ୍ଥିତିରେ ପହଞ୍ଚିଛି। ୩ ଦିନରେ ଦୁଇଟି ଦନ୍ତା ହାତୀଙ୍କ ଦାନ୍ତ ବିହୀନ ଗଳିତ ଶବ ଉଦ୍ଧାର ପରେ ବାଉଳାଚାଉଳା ହେଉଛି। ତଦନ୍ତ କରିବା ବେଳେ ଭୁଲ ପଦକ୍ଷେପ ଗ୍ରହଣ କରି ହରଡ଼ଘଣାରେ ବି ପଡ଼ିଛି। ବନ ବିଭାଗର ଆକ୍ରୋଶର ଶିକାର ହୋଇ ଅଟକ ଥିବା ଜଣେ ହାତୀ ଶିକାର ଅଭିଯୁକ୍ତଙ୍କ ପତ୍ନୀ ବି ଆକ୍ରୋଶର ଶିକାର ହୋଇଛନ୍ତି। ଏବେ ସେ ବୌଦ୍ଧ ଡାକ୍ତରଖାନାର ଶଯ୍ୟାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଘଟଣାକୁ ନେଇ ବିରିଗଡ଼ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଶନିବାର ମଧ୍ୟାହ୍ନରେ ଶତାଧିକ ପୁରୁଷ ଓ ମହିଳା ରେଞ୍ଜ ଅଫିସ ଘେରାଉ କରିଥିଲେ। ଦୀର୍ଘ ସମୟ ବିକ୍ଷୋଭ ପ୍ରଦର୍ଶନ ପରେ କିଛି ସର୍ତ୍ତ ରଖି ଧାରଣାରୁ ହଟିଛନ୍ତି। ପ୍ରକାଶଥାଉ କି, ଶୁକ୍ରବାର ମଧ୍ୟାହ୍ନରେ ବନ ବିଭାଗ ହାତୀ ଶିକାର ଘଟଣାରେ ସନ୍ଦିଗ୍ଧ ବିରିଗଡ଼ ଗ୍ରାମର ସୁଦର୍ଶନ ମାଝୀଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲା। ପରିବାରର ମୁରବିଙ୍କୁ ନେଉଥିବାରୁ ସୁଦର୍ଶନଙ୍କ ସ୍ତ୍ରୀ ମଧ୍ୟ ୪ ଜଣ ଛୁଆଙ୍କୁ ନେଇ ଗାଡ଼ିରେ ବସିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ପୁଲିସ ସହାୟତାରେ ସଂପୃକ୍ତ ମହିଳାଙ୍କୁ ସଂଜ୍ଞାହୀନ ଓ ପିନ୍ଧା ଲୁଗା ଏପଟସେପଟ ଅବସ୍ଥାରେ ଥାଇ ତାଙ୍କୁ ପିଣ୍ଡାରେ ଶୁଆଇ ଚାଲି ଯାଇଥିଲା ବନ ବିଭାଗ। ଜଡ଼ ହୋଇ ପଡ଼ି ରହିଥିବା ମହିଳାଙ୍କୁ ଘେରି ଛୁଆମାନେ କାନ୍ଦ ବୋବାଳି କରିବା ଦେଖି ଗ୍ରାମର ମହିଳାମାନେ ଲୁଗା ପିନ୍ଧାଇଥିଲେ। ପରେ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମହିଳା ଜଣକ ଜୀବନ ସହ ସଂଗ୍ରାମ କରୁଥିବାରୁ ଶନିବାର ଅପରାହ୍ନରେ ଗ୍ରାମର ପୁରୁଷ ଓ ମହିଳାମାନେ ରେଞ୍ଜ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

publive-image

ବିଜେପି ନେତା ସୁଶାନ୍ତ ପ୍ରଧାନଙ୍କ ସହ ଓମ ପ୍ରକାଶ ମିଶ୍ର ଓ ନାରାୟଣ କର୍ମୀ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ଅସୁସ୍ଥ ମହିଳାଙ୍କ ଚିକିତ୍ସା ଦାୟିତ୍ବ ବନ ବିଭାଗ ବହନ କରିବା ଓ ଗାଁକୁ ଯାଇ ମହିଳାଙ୍କୁ ହଇରାଣ ନ କରିବା ସର୍ତ୍ତରେ ଲୋକେ ଆନ୍ଦୋଳନରୁ ଓହରିଥିଲେ। ତେବେ ମହିଳାଙ୍କୁ ସୁସ୍ଥ ଅବସ୍ଥାରେ ଗାଁରେ ଛଡ଼ା ଯାଇଥିବା ଡିଏଫଓ ଦେବପ୍ରିୟ କମ୍ପ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଏହା ପୂର୍ବରୁ ୩ ଜଣଙ୍କୁ କୋର୍ଟ ଚାଲାଣ କରିବା ସହ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ୩ ଜଣ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe