ଦଶପଲ୍ଲା: ରାଜପଥରେ ଦିନକୁ ଦିନ ବୃଦ୍ଧିପାଉଛି ମାଫିଆଙ୍କ ଦୌରାତ୍ମ୍ୟ ସହ ଚୋରା ଚାଲାଣ

ଚେକ୍‌ପୋଷ୍ଟ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି

ଦଶପଲ୍ଲା: ରାଜପଥରେ ଦିନକୁ ଦିନ ବୃଦ୍ଧିପାଉଛି ମାଫିଆଙ୍କ ଦୌରାତ୍ମ୍ୟ ସହ ଚୋରା ଚାଲାଣ

ଦଶପଲ୍ଲା : ଦିନକୁ ଦିନ ବଢ଼ୁଛି ମାଫିଆଙ୍କ ପ୍ରାଦୁର୍ଭାବ। ବୃଦ୍ଧିପାଉଛି ଚୋରା ଚାଲାଣ। ଯାନବାହାନ ଯାଞ୍ଚ ତଥା ଚୋରାଚାଲାଣ ରୋକିବା ପାଇଁ ରାଜପଥ ଉପରେ ରହିଥିବା ଚେକ୍‌ପୋଷ୍ଟଗୁଡ଼ିକୁ ଉଠାଇ ଦିଆଯିବା ଦ୍ବାରା ମାଫିଆଙ୍କ ପାଇଁ ରାଜପଥ ଏବେ ସୁରକ୍ଷିତ ପାଲଟିଛି। ଅହରହ ଜଙ୍ଗଲଜାତ ଦ୍ରବ୍ୟଠାରୁ ଆରମ୍ଭ କରି ଗଞ୍ଜେଇ ଏବଂ ଗୋରୁ ଆଦି ଚାଲାଣ ହେଉଛି। ୨୦୧୮ ମସିହାରେ ସରକାର ରାଜ୍ୟର ସମସ୍ତ ସ୍ଥାନରୁ ଏହି ଚେକ୍‌ପୋଷ୍ଟଗୁଡ଼ିକୁ ଉଠାଇ ଦେବା ପରଠାରୁ ନାନା ସମସ୍ୟା ସୃଷ୍ଟି ହେଉଛି ଏବଂ ସମସ୍ତ ସମସ୍ୟା ପ୍ରତି ପ୍ରଶାସନ ଆଖିବୁଜି ଦେଇଛି।

ଚୋରା ଚାଲାଣ ସମ୍ପର୍କରେ ଯଦିଓ କେତେବେଳେ ସୂଚନା ମିଳୁଛି ପୁଲିସ, ବନ ବିଭାଗ ଏବଂ ଅବକାରୀ ବିଭାଗକୁ ନାକେଦମ୍ ହେବାକୁ ପଡ଼ୁଛି। ମାଫିଆଙ୍କ ଦୌରାତ୍ମ୍ୟ ଏତେମାତ୍ରାରେ ବୃଦ୍ଧି ପାଉଛି ଯେ ସେମାନଙ୍କ ସାମ୍ନାକୁ ଯିବାକୁ ଏସବୁ କର୍ମଚାରୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ରାଜପଥ ଉପରେ କୌଣସି ପ୍ରତିବନ୍ଧକ ରହୁନଥିବା ହେତୁ ଖାଲି ହାତରେ ପୁଲିସ, ବନ ବିଭାଗ ଏବଂ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ କରିବା ପାଇଁ ଅଧିକାରୀ ମାନେ ସାହସ ଜୁଟାଉ ନାହାନ୍ତି। ପୂର୍ବରୁ ରାଜପଥର ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ ଚେକ୍‌ପୋଷ୍ଟ ରହିଥିଲା। ସେସବୁ ସ୍ଥାନରେ ବନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ଯାଞ୍ଚ କରାଯାଉଥିଲା। ମାଫିଆମାନେ ବିଭିନ୍ନ ସାମଗ୍ରୀ ଚୋରାଚାଲାଣ କରିବାକୁ ସାହସ ଜୁଟାଉ ନଥିଲେ। କୌଣସି ଚୋରାଚାଲାଣ ସମ୍ପର୍କରେ ସୁରାକ୍ ମିଳିଲେ ସଂପୃକ୍ତ ବ୍ୟକ୍ତି ଓ ଦ୍ରବ୍ୟକୁ ସହଜରେ ଧରିହେଉଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ି ହେଉକି ଅପରାଧ ଘଟାଇ ଖସି ପଳାଉଥିବା ଅପରାଧୀଙ୍କୁ ଧରିବାରେ ଏହା ସହାୟକ ହେଉଥିଲା। ମାତ୍ର ଏବେ ଚୋରାଚାଲାଣ ହେଉ କି ଅପରାଧୀଙ୍କୁ ଧରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ଫେଲ୍ ମାରୁଛି।

publive-image

ପୂର୍ବ ଓ ପଶ୍ଚିମ ଓଡ଼ିଶାକୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସଂଯୋଗ କରୁଛି। ଏହି ରାସ୍ତା ଦେଇ ଦୈନିକ ଅବାଧରେ ମୂଲ୍ୟବାନ କାଠ ଚାଲାଣ ସହ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଏବଂ ଗଞ୍ଜେଇ ଆଦି ଚାଲାଣ ହେଉଛି। ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ବାଣୀଗୋଛାଠାରେ ଏକ ଚେକ୍‌ପୋଷ୍ଟ ରହିଥିଲା। ସେହିଭଳି ଦଶପଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାର ପଙ୍କୁଆ, ଦଶପଲ୍ଲାରୁ ନୟାଗଡ଼କୁ ସଂଯୋଗ କରୁଥିବା ରାସ୍ତାର ତ୍ରିନାଥ ଛକ ଏବଂ ଦଶପଲ୍ଲାରୁ କଟକ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାର କୃଷ୍ଣପଲ୍ଲୀଠାରେ ଚେକ୍‌ପୋଷ୍ଟ ରହିଥିଲା। ଯାହା ଦ୍ବାରା ଚୋରାଚାଲାଣ କରିବାରେ ମାଫିଆଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହେଉଥିଲା। ଏହି ଚେକ୍‌ପୋଷ୍ଟ ଦ୍ବାରା ବନ ବିଭାଗଠାରୁ ଆରମ୍ଭ କରି ପୁଲିସ ଏବଂ ଅବକାରୀ ବିଭାଗକୁ ଅନେକ ସଫଳତା ମିଳୁଥିଲା। ମାତ୍ର ୨୦୧୮ ମସିହା ପରଠାରୁ ରାଜ୍ୟରେ ଚୋରାଚାଲାଣ ବୃଦ୍ଧି ପାଇବା ସହ ଅପରାଧୀମାନେ ଅପରାଧ ଘଟାଇ ଖସିଯିବାରେ ସକ୍ଷମ ହେଉଛନ୍ତି।

ଅନ୍ୟ ପାର୍ଶ୍ବରେ, ଦେଖିବାକୁ ଗଲେ ଦଶପଲ୍ଲା ଓ ଗଣିଆ ବନାଞ୍ଚଳରୁ ଅହରହ ମୂଲ୍ୟବାନ କାଠ ଚାଲାଣ ହେଉଛି। ମାଫିଆମାନେ କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳକୁ ଏସବୁ କାଠ ଚାଲାଣ କରୁଛନ୍ତି। ଏହି ରାଜପଥ ଏବେ ଗଞ୍ଜେଇ ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ମାଫିଆଙ୍କୁ ଧରିବାରେ ମଧ୍ୟ ପ୍ରଶାସନ ବିଫଳ ହେଉଛି। ଚେକ୍‌ପୋଷ୍ଟଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରାଗଲେ ଚୋରାଚାଲାଣ ରୋକିବାରେ ପ୍ରଶାସନକୁ ସଫଳତା ମିଳିବ। ଜଙ୍ଗଲ ଲୁଟ୍‌ ହୋଇ ଯେପରି କାଠ ଚାଲାଣ ହୋଇଚାଲିଛି ସେଥିରୁ ମଧ୍ୟ ବନାଞ୍ଚଳ ବର୍ତ୍ତିଯିବ। ଏଥିପ୍ରତି ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe