ଭର୍ଚୁଆଲ ପାଠପଢ଼ା ବାଟବଣା: ୮ କୋଟିର ସ୍ମାର୍ଟ କ୍ଲାସରୁମ କାମରେ ଆସୁନି

Advertisment

ତଥ୍ୟ ଦେଉ ନାହାନ୍ତି କଲେଜ ଅଧ୍ୟକ୍ଷ, ଅସନ୍ତୋଷ ଝାଡ଼ିଲେ ସ୍ୱତନ୍ତ୍ର ସଚିବ

ତଥ୍ୟ ଦେଉ ନାହାନ୍ତି କଲେଜ ଅଧ୍ୟକ୍ଷ, ଅସନ୍ତୋଷ ଝାଡ଼ିଲେ ସ୍ୱତନ୍ତ୍ର ସଚିବ

ଭର୍ଚୁଆଲ ପାଠପଢ଼ା ବାଟବଣା: ୮ କୋଟିର ସ୍ମାର୍ଟ କ୍ଲାସରୁମ କାମରେ ଆସୁନି

India Today

ଭୁବନେଶ୍ୱର : ଡିଗ୍ରି କଲେଜରେ କେମିତି ଚାଲିଛି ଭର୍ଚୁଆଲ କ୍ଲାସରୁମ ଶିକ୍ଷା? କେତେ ପିଲା ପଢୁଛନ୍ତି? ଶିକ୍ଷକମାନଙ୍କ ଉପସ୍ଥାନ ରହୁଛି କି ନାହିଁ? ସାମଗ୍ରୀଗୁଡ଼ିକ ସଠିକ ଭାବେ ବ୍ୟବହୃତ ହେଉଛି ନା ସେମିତି ପଡ଼ିରହିଛି? ଯଦି ସବୁ କିଛି ଠିକ ଚାଲିଛି ତେବେ ତ୍ରୈମାସିକ ରିପୋର୍ଟ କାହିଁକି ଉଚ୍ଚ ଶିକ୍ଷା ବିଭାଗ ନିକଟରେ ଦାଖଲ ହେଉନି। ୨୦୨୦ରୁ ଭର୍ଚୁଆଲ କ୍ଲାସରୁମ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ କଲେଜ ଅଧ୍ୟକ୍ଷମାନେ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ନିର୍ଦେଶକୁ ପାଳନ କରିନାହାନ୍ତି। ଏମିତି କି ଦୁଇଥର ଚିଠି ଲେଖାଯିବା ପରେ ମଧ୍ୟ କୌଣସି ଗୋଟିଏ ବି କଲେଜ ରିପୋର୍ଟ ଦେଇ ନ ଥିବା ଜଣାପଡ଼ିଛି।

ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ରାଜ୍ୟର ୧୦୧ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ୧୩୫ଟି ସ୍ମାର୍ଟ କ୍ଲାସ୍‌ ରୁମ୍‌(ଭର୍ଚୁଆଲ କ୍ଲାସରୁମ୍‌) ଖୋଲାଯାଇଛି। ଟେଲିକମ୍ୟୁନିକେସନ କନ୍‌ସଲଟାଣ୍ଟସ୍‌ ଇଣ୍ଡିଆ ଲିମିଟେଡ୍‌(ଟିସିଆଇଏଲ୍‌) ସହାୟତାରେ ରାଜ୍ୟ ସରକାର ପ୍ରତି କ୍ଲାସରୁମ୍‌ ଲାଗି ୫ ଲକ୍ଷ ୮୮ ହଜାର ୫୨୫ ଟଙ୍କା ଲେଖାଏ ଖର୍ଚ୍ଚ କରିଛନ୍ତି। ଲକ୍ଷ୍ୟ ଥିଲା ସ୍ନାତକ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଜ୍ଞାନକୌଶଳ ମାଧ୍ୟମ‌ରେ ଶିକ୍ଷା ପ୍ରଦାନ କରିବା। ୨୦୧୯-୨୦ ଶିକ୍ଷାବର୍ଷରୁ ସ୍ମାର୍ଟ କ୍ଲାସରୁମ୍‌ ମାଧ୍ୟମରେ ଶିକ୍ଷାଦାନ କରିବାକୁ ବି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଅଧା ବାଟରେ ଆଣ୍ଠେଇଛି ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ। ଅର୍ଥ ଖର୍ଚ୍ଚ ହୋଇଛି ସତ। ହେଲେ କେଉଁଠି କ୍ଲାସ ରୁମ୍‌ରେ ତାଲା ପଡ଼ିଛି ତ ଆଉ କେଉଁଠି ପିଲା ପଢ଼ୁନାହାନ୍ତି।

ପ୍ରକଳ୍ପ ଠିକ ଭାବେ କାର୍ଯ୍ୟକ୍ଷମ ହେଉ ନ ଥିବା ନେଇ ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କ ସମେତ ଅନ୍ୟ ଅଧିକାରୀମାନେ କଲେଜକୁ ଗସ୍ତ କରିଥିଲେ। ଅଧିକାରୀମାନେ ଦେଖିବାକୁ ପାଇଥିଲେ ଯେ କେଉଁଠି କ୍ଲାସରୁମ୍‌ରେ ଲାଗିଥିବା ଅତ୍ୟାଧୁନିକ ସାମଗ୍ରୀରୁ ଏଯାଏ ଜରି ଖୋଲିନି ତ ଆଉ କେଉଁଠି କ୍ଲାସରୁମ୍‌ରେ ଚେୟାର ବେଞ୍ଚ୍‌ ନ ଥିଲା। ଯେଉଁଥିପାଇଁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ନିର୍ଦେଶ ଦେଇଥିଲେ। କହିଥିଲେ ଯେ ସମସ୍ତ ଅଧ୍ୟାପକ(ଅତିଥି ଓ ଆଡହକ୍‌ ଅଧ୍ୟାପକଙ୍କୁ ମିଶାଇ)ମାନେ ମାସକୁ ଅତି କମ୍‌ରେ ଗୋଟିଏ ଦିନ ଭର୍ଚୁଆଲ କ୍ଲାସରୁମ୍‌ରେ ପିଲାଙ୍କୁ ପଢ଼ାଇବେ। କ୍ଲାସ ରୁମ୍‌ରେ ଲାଗିଥିବା ସାମଗ୍ରୀକୁ ବ୍ୟବହାର କରିବେ। କେଉଁ ଅଧ୍ୟାପକ କେବେ ଭର୍ଚୁଆଲ କ୍ଲାସ କଲେ ସେନେଇ ‌ଏକ ରେଜିଷ୍ଟରରେ ଉଲ୍ଲେଖ କରାଯିବ। ସ୍ବାଭାବିକ ଭାବେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନିଆଯିବ। ପ୍ରତି କଲେଜ ତିନି ମାସ‌ରେ ଥରେ ଉଚ୍ଚଶିକ୍ଷା ବିଭାଗ ନିକଟରେ ତଥ୍ୟ ଦାଖଲ କରିବେ। କେଉଁ ଦିନ କେଉଁ କ୍ଲାସ କରାଗଲା, ବିଷୟବସ୍ତୁ କ’ଣ ଥିଲା, କ୍ଲାସରେ କେତେ ପିଲା ଉପସ୍ଥିତ ଥିଲେ ସେ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ରହିବ। ୨୦୨୦ ଜାନୁଆରିରୁ ମାର୍ଚ୍ଚ ମାସ ମଧ୍ୟରେ ପ୍ରଥମ ରି‌ପୋର୍ଟ ପ୍ରଦାନ କରିବେ। ମାତ୍ର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥିତିରେ କିଛି ବି ସୁଧାର ଆସିନି। ଯେଉଁଥିପାଇଁ ବିଭାଗୀୟ ସ୍ୱତନ୍ତ୍ର ସଚିବ ରାଜଶ୍ରୀ ମହାନ୍ତି ଅସନ୍ତୋଷ ପ୍ରକାଶ କରିବା ସହ ରିପୋର୍ଟ ଦାଖଲ କରିବାକୁ ୧୦୦ କଲେଜ ଅଧ୍ୟକ୍ଷଙ୍କୁ ଆଜି ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe