Times of India
କଟକ : ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଶୁକ୍ରବାର ଦିନ ଉଦ୍ଘାଟିତ ହୋଇଥିବା ବେଳେ ଏ ସଂପର୍କିତ ଏସଓପି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମାମଲାର ଇ-ଫାଇଲିଂ କେମିତି କରାଯିବ ଓ କୋର୍ଟ ଫି କିପରି ଇ-ପେମେଣ୍ଟ ପୋର୍ଟାଲ ମାଧ୍ୟମରେ ଆଇନଜୀବୀ ଦାଖଲ କରିବେ ଉଲ୍ଲେଖ କରାଯାଇଛି। ଇ-ଫାଇଲ କରାଯାଉଥିବା ଆବେଦନ ଗୁଡିକ ହାଇକୋର୍ଟର ଷ୍ଟାମ୍ପ ରିପୋର୍ଟର ଯାଞ୍ଚ କରିବେ, ଯଦି ଏଥିରେ କିଛି ତ୍ରୁଟି ରହିଥିବ ତେବେ ମାମଲା ଦାୟର କରିଥିବା ଆଇନଜୀବୀଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏ ନେଇ ସୂଚନା ଯିବ। ଆବେଦନରେ କଣ ତ୍ରୁଟି ରହିଛି ସେ ନେଇ ହାଇକୋର୍ଟ ୱେବସାଇଟରୁ ସ୍ପଷ୍ଟ ତଥ୍ୟ ମିଳିବ। ଏହାପରେ ଇ-ଫାଇଲିଂ ବ୍ୟବସ୍ଥା ମାଧ୍ୟମରେ ଏପରି ତ୍ରୁଟି ଦୂର କରାଯାଇ ପାରିବ। ବିଚାରାଧୀନ ମାମଲାରେ ଅନ୍ତରୀଣ ଆବେଦନ ଓ ନଥିପତ୍ର ଇ-ଫାଇଲିଂ ବ୍ୟବସ୍ଥାରେ ଦାଖଲ କରାଯାଇ ପାରିବ।
ଜରୁରୀ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ଲାଗି ଆଇନଜୀବୀମାନେ ହାଇକୋର୍ଟ ଅନ୍ ଲାଇନ ମେନସନିଂ ପୋର୍ଟାଲକୁ ଯାଇ ମେନସନ୍ କରି ପାରିବେ। ମାମଲା ଯଦି ଶୁଣାଣି ପାଇଁ ତାଲିକାଭୁକ୍ତ ହୁଏ ତେବେ ଆଇନଜୀବୀଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଆପେ ସୂଚନା ଯିବା ପାଇଁ ବ୍ୟବସ୍ଥା କରାଯାଇଛି। ମାମଲାର ଭର୍ଚୁଆଲ ଶୁଣାଣି ପ୍ରସଂଗରେ ରହିଥିବା ବ୍ୟବସ୍ଥା ଓ ନିୟମ ସଂକ୍ରାନ୍ତରେ ଏସଓପିରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ/ରାୟର ସାର୍ଟିଫାଏଡ କପି ମିଳିବା ପ୍ରସଂଗରେ ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ଜାରି କରାଯାଇଥିବା ସାଧାରଣ ଏସଓପି ସହିତ ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ପାଇଁ ସ୍ବତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼ (ରାଉରକେଲା), ଦକ୍ଷଣ ଓଡ଼ିଶାର କଳାହାଣ୍ଡି (ଭବାନୀପାଟଣା), କୋରାପୁଟ (ଜୟପୁର), ଗଞ୍ଜାମ (ବ୍ରହ୍ମପୁର), ଉତ୍ତର ଓଡ଼ିଶାର ବାଲେଶ୍ବର, ଭଦ୍ରକ, ପୂର୍ବ ଓଡ଼ିଶାର ଖୋର୍ଦ୍ଧା (ଭୁବନେଶ୍ବର) ଓ ପୁରୀରେ ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା କରାଯାଇଛି।
Follow Us