୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍‌ଘାଟିତ

Advertisment

ଓଡ଼ିଶା ହେଉଛି ପ୍ରଥମ : ପ୍ରଧାନ ବିଚାରପତି

ଓଡ଼ିଶା ହେଉଛି ପ୍ରଥମ : ପ୍ରଧାନ ବିଚାରପତି

୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍‌ଘାଟିତ

କଟକ : ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ ଉଦ୍‌ଘାଟିତ ହୋଇଛି। ଏ କ୍ଷେତ୍ରରେ ଓଡ଼ିଶା ହାଇକୋର୍ଟ ହେଉଛି ପ୍ରଥମ। ଦେଶର ଅଧିକାଂଶ ହାଇକୋର୍ଟ ଗୋଟିଏ ସ୍ଥାନରେ ବସୁଥିବା ବେଳେ କେତେକ ହାଇକୋର୍ଟର ଦ୍ବିତୀୟ ବେଞ୍ଚ୍‌ ରହିଛି। କିନ୍ତୁ, ସବୁ ଜିଲ୍ଲାରୁ ପହଞ୍ଚିବାଯୋଗ୍ୟ ପ୍ରଥମ ହାଇକୋର୍ଟ ହେଉଛି ଓଡ଼ିଶା ହାଇକୋର୍ଟ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ କହିଛନ୍ତି।

ପ୍ରଧାନ ବିଚାରପତି ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭର୍ଚୁଆଲ ବ୍ୟବସ୍ଥାରେ ‌ଯୋଗଦେଇଥିଲେ। ଏହି ଅବସରରେ ସେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଗ୍ରହଣ କରାଯାଇଥିବା ‘ଇ-ଇନିସିଏଟିଭ୍‌’ ସହିତ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ। ଭର୍ଚୁଆଲ ହାଇକୋର୍ଟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଦ୍ବାରା ଛୋଟ ସହରର ପ୍ରତିଭାବାନ ଆଇନଜୀବୀ ହାଇକୋର୍ଟରେ ମାମଲା ପରିଚାଳନାର ସୁଯୋଗ ପାଇପାରିବେ। ସୁପ୍ରିମକୋର୍ଟଙ୍କ ରାୟର ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦ ପାଇଁ ମାଡ୍ରାସ ଆଇଆଇଟି ସହଯୋଗରେ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ଓଡ଼ିଶା ହାଇକୋର୍ଟ ଏହାର ରାୟର ଓଡ଼ିଆ ଅନୁବାଦ ପାଇଁ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ପ୍ରଧାନ ବିଚାରପତି ଏହି ଅବସରରେ ଆଶାପ୍ରକଟ କରିଥିଲେ।

ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓଡ଼ିଶା ହାଇକୋର୍ଟ ଓ ରାଜ୍ୟ ବିଚାରବିଭାଗ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଥିଲେ। ଜିଲ୍ଲା ଗୁଡ଼ିକରେ ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା ଯଦି ସଫଳ ହୁଏ, ତେବେ ଏହା ବାସ୍ତବରେ ଓଡ଼ିଶାରେ ବିଚାର ବିଭାଗର ଚେହେରା ପରବର୍ତ୍ତନ କରିଦେବ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା କରାଯାଇଛି। ଅନ୍ୟ ଜିଲ୍ଲା ଗୁଡ଼ିକରେ ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ପଡ଼ୋଶୀ ଜିଲ୍ଲାର ଆବଶ୍ୟକତା ମଧ୍ୟ ଏହି ୧୦ଟି ଜିଲ୍ଲା ପୂରଣ କରିବ ବୋଲି ମୁଖ୍ୟ ବିଚାରପତି କହିଥିଲେ।

ହାଇକୋର୍ଟ ଆଇଟି ଓ ଏଆଇ କମିଟି ଅଧ୍ୟକ୍ଷ ଜଷ୍ଟିସ ଶୁଭାଶିଷ ତାଳପତ୍ର ସ୍ବାଗତ ଭାଷଣରେ ଭର୍ଚୁଆଲ ହାଇକୋର୍ଟ ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ଆଲୋକପାତ କରିଥିଲେ। କମିଟି ସଦସ୍ୟ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେବା ସହିତ କହିଥିଲେ ଯେ ଦୂରତା ଓ ଖର୍ଚ୍ଚ ସମସ୍ୟା ଭର୍ଚୁଆଲ ହାଇକୋର୍ଟ ସମ‌‌ାଧାନ କରିବ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼ (ରାଉରକେଲା), ଦକ୍ଷଣ ଓଡ଼ିଶାର କଳାହାଣ୍ଡି (ଭବାନୀପାଟଣା), କୋରାପୁଟ (ଜୟପୁର), ଗଞ୍ଜାମ (ବ୍ରହ୍ମପୁର), ଉତ୍ତର ଓଡ଼ିଶାର ବ‌ାଲେଶ୍ବର, ଭଦ୍ରକ, ପୂର୍ବ ଓଡ଼ିଶାର ଖୋର୍ଦ୍ଧା (ଭୁବନେଶ୍ବର) ଓ ପୁରୀରେ ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe