ଓଡ଼ିଶା ଜନସେବା ମଞ୍ଚର ଆଭାସୀ କାର୍ଯ୍ୟକ୍ରମ: ‘ସାମ୍ବାଦିକତାକୁ ସୌମ୍ୟରଂଜନଙ୍କ ଅବଦାନ ଅତୁଳନୀୟ’

Advertisment
ସାମ୍ନାକୁ ଆସିଲା ବିଦ୍ୟୁତ୍‌ ବିଲ୍‌ରେ କେଳେଙ୍କାରୀ: ଗ୍ରାହକଙ୍କଠୁ ନେଇଥିବା ଅଧିକ ଟଙ୍କା ସୁଧ ସହ ଫେରାଅ

ଭୁବନେଶ୍ବର : ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ୭୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଓଡ଼ିଶା ଜନସେବା ମଞ୍ଚ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ଯୁବ ଆଇନଜୀବୀ ବିକାଶ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା କହିଲେ, ସାମ୍ବାଦିକତାକୁ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। ବିଭିନ୍ନ ଗଣମାଧ୍ୟମରେ କାମ କରୁଥିବା ୯୦ ପ୍ରତିଶତ ସାମ୍ବାଦିକଙ୍କ ମୂଳଦୁଆ ‘ସମ୍ବାଦ’ରୁ ପଡ଼ିଛି। ‘ସମ୍ବାଦ’ ସେମାନଙ୍କୁ ଗଢ଼ିଛି କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ସାମ୍ବାଦିକତା ବ୍ୟତୀତ ରାଜନେତା ଭାବେ ମଧ୍ୟ ଶ୍ରୀ ପଟ୍ଟନାୟକ ଜଣେ ସଫଳ ବ୍ୟକ୍ତିତ୍ବ। ସେ ସାଂସଦ, ବିଧାୟକ ଭାବେ ଲୋକଙ୍କ ସେବା କରିଛନ୍ତି। କର୍ମଠ ବ୍ୟକ୍ତିତ୍ବ ପାଇଁ ସେ ଚିରନମସ୍ୟ।

ଆର୍ଯ୍ୟସମାଜ, ଓଡ଼ିଶାର ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ, ହରେକୃଷ୍ଣ ମହତାବ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ସୌମ୍ୟରଂଜନ ପଟ୍ଟନାୟକ ଓଡ଼ିଶା ଜନଜୀବନର ନେତୃତ୍ବ ନେଉଛନ୍ତି। ସେ ଏକମାତ୍ର ବ୍ୟକ୍ତି, ଯିଏ ଭାଷା, ସାହିତ୍ୟ, ସଂସ୍କୃତି, ଶିକ୍ଷା ଆଦି ସବୁ ଦିଗରେ ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ସ୍ବପ୍ନ ଦେଖିବା ସହ ତାହାକୁ ସାକାର କରିବାକୁ ଉଦ୍ୟମ କରୁଛନ୍ତି। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଲେ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଚାକିରି ଛାଡ଼ି ଓଡ଼ିଆ ସାମ୍ବାଦିକତାକୁ ଶ୍ରୀ ପଟ୍ଟନାୟକ ନୂତନ ଦିଗ ଦେଇଛନ୍ତି। ‘ବାସି ଖବରର ଯୁଗ ଶେଷ’ ଭଳି ଆହ୍ବାନ ଦେଇ ତାଙ୍କ ଦ୍ବାରା ୧୯୮୪ ମସିହାରେ ଗଢ଼ା ‘ସମ୍ବାଦ’ ଗଣମାଧ୍ୟମ ଜଗତକୁ ନୂଆ ଦିଶା ଦେଇ ଆସୁଛି। ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ଗଣମାଧ୍ୟମ ଜଗତରେ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ବ। ସେ ଅନେକ ରାଜନୈତିକ ଦଳର ସଦସ୍ୟ ହୋଇଛନ୍ତି। କିନ୍ତୁ କେବେ ବି ‘ସମ୍ବାଦ’କୁ କେଉଁ ରାଜନୈତିକ ଦଳର ହାତବାରିସି ହେବାକୁ ଦେଇନାହାନ୍ତି। ସାମ୍ବାଦିକତା ଧର୍ମକୁ ପାଳନ କରି ଜନଗଣଙ୍କ ସମସ୍ୟାକୁ ‘ସମ୍ବାଦ’ ସବୁବେଳେ ଗୁରୁତ୍ବ ଦେଇଆସୁଛି।

ସାହିତ୍ୟିକ ବୈଷ୍ଣବ ସାମଲ କହିଲେ, ରାଜନୀତିର ଲକ୍ଷ୍ୟ ନୁହେଁ କ୍ଷମତା। ସ୍ବାଭିମାନକୁ ରଖି ଲୋକଙ୍କ ସେବା କରିବା ହିଁ ସଫଳ ରାଜନେତାଙ୍କ ଲକ୍ଷଣ। ଶ୍ରୀ ପଟ୍ଟନାୟକ କ୍ଷମତା ସିଂହାସନକୁ ଗରୁତ୍ବ ନଦେଇ କୋଟି କୋଟି ଓଡ଼ିଆଙ୍କ ପାଇଁ କାମ କରିଛନ୍ତି। ଭାଷାର ସୁରକ୍ଷା ପାଇଁ ଉଜ୍ଜ୍ବଳ ବର୍ତ୍ତିକା ସଦୃଶ ଭାଷାକୁ ସମ୍ମାନ ଦେବାକୁ ଓଡ଼ିଆଙ୍କୁ ଶିଖାଇଛନ୍ତି। ସାମ୍ବାଦିକ ସତ୍ୟ ରାୟ କହିଲେ, ସୌମ୍ୟବାବୁ ନୀତି ଆଦର୍ଶକୁ ଆଧାର କରି ଜୀବନକୁ ଚଳଚଞ୍ଚଳ କରି ରଖିଛନ୍ତି। ମଧୁବାବୁଙ୍କୁ ଓଡ଼ିଶା ଭୁଲିବାକୁ ବସିଥିବା ସମୟରେ ସେ ହିଁ ମଧୁବାବୁଙ୍କୁ ପୁଣିଥରେ ଓଡ଼ିଶାବାସୀଙ୍କ ଜନମାନସକୁ ଆଣିପାରିଥିଲେ। ରାଜନୀତି ଅପେକ୍ଷା ସାମ୍ବାଦିକତାର ବିକାଶ ପାଇଁ ଅଧିକ ତତ୍ପରତା ପ୍ରକାଶ କଲେ ତାଙ୍କର ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ସାପ୍ତାହିକ ‘ପଲ୍ଲୀଠାରୁ ଦିଲ୍ଲୀ’ର ସମ୍ପାଦକ ଉମାଶଙ୍କର ସାହୁ, ଶ୍ରୀ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ମଞ୍ଚର ଅଧ୍ୟକ୍ଷ ଭାବଗ୍ରାହୀ ରାଉତ କହିଥିଲେ ଯେ କଳା ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଶ୍ରୀ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। ସେ ଜଣେ ସାଲିସ୍‌ବିହୀନ ବ୍ୟକ୍ତିତ୍ବ। ଅନୁଷ୍ଠାନ ସମ୍ପାଦିକା ବାଣୀ ରାଉତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe