ବିସ୍ତାର ହିଁ ଜୀବନ, ସଂକୋଚନ ମରଣ: ସୌମ୍ୟରଂଜନ

ଭର୍ଚୁଆଲ ସତ୍‌ସଙ୍ଗ

ବିସ୍ତାର ହିଁ ଜୀବନ, ସଂକୋଚନ ମରଣ: ସୌମ୍ୟରଂଜନ

ଭୁବନେଶ୍ୱର : ବିସ୍ତାର ହିଁ ଜୀବନ, ସଂକୋଚନ ମରଣ। ବିସ୍ତାର ଆଧୁନିକ ମଣିଷର ଅନ୍ୟ ଏକ ଲକ୍ଷଣ ଓ ଗୁଣ। କିନ୍ତୁ ବିଜ୍ଞାନ ଓ କାରିଗରି କୌଶଳକୁ ନେଇ ଆମେ ଯେତେ ବିସ୍ତାରିତ ହୋଇ ଚାଲିଛେ, ସେହି ଅନୁପାତରେ ନିଜ ବ୍ୟକ୍ତିତ୍ବ, ଆତ୍ମା ଓ ଚିନ୍ତାକୁ ସଂକୁଚିତ କରିଦେଉଛେ। ନିଜକୁ ଆମେ ଏତେ ଭଲ ପାଉଛନ୍ତି ଯେ ଅନ୍ୟ ବିଷୟରେ ଚିନ୍ତା କରିବାର ସମୟ ଆମ ପାଖରେ ନାହିଁ। ଆମେ ସମସ୍ତେ ଗୋଟିଏ କଥା ଚିନ୍ତା କରୁଛେ, ମୋର କ’ଣ ହେବ, ମୁଁ କିପରି ଅଧିକ ପ୍ରଶଂସିତ ହେବି, ମୋର କିପରି ଅଧିକ ଉନ୍ନତି ହେବ। ପୁଞ୍ଜିବାଦୀ ବ୍ୟବସ୍ଥା ଏବଂ ଆଧୁନିକ ବଜାର ସଭ୍ୟତା ଆମକୁ ନିଜ ସଂପର୍କରେ ସଚେତନ ହେବା ପାଇଁ ବାଧ୍ୟ କରୁଛି। କିନ୍ତୁ ଏହା ଏଭଳି ଏକ ପ୍ରତିଯୋଗିତା, ଯେଉଁଠାରେ ସଂପୂର୍ଣ୍ଣ ବିଜୟ ଅସମ୍ଭବ। ତେଣୁ ସବୁ କ୍ଷେତ୍ରରେ ନିଜ କଥା ନ ଭାବି ଅନ୍ୟର କଥା ଚିନ୍ତା କରିବାକୁ ପଡ଼ିବ। ଏହାଦ୍ବାରା ଅନେକ ସମସ୍ୟାର ସମାଧାନ ହେବା ସହ ଆମ ଜୀବନ ଉପଭୋଗ୍ୟ ହୋଇପାରିବ।

publive-image

କଲ୍ୟାଣପୁର ସ୍ବସ୍ତିବନ, ଭୁବନେଶ୍ୱର, ନିମାପଡ଼ା, ନରସିଂହପୁର, ଗୋବିନ୍ଦପୁର, କିଷାନ ନଗର ଓ ସାରକଣା ସତ୍‌ସଙ୍ଗ କେନ୍ଦ୍ର ଆନୁକୂଲ୍ୟ‌‌‌ରେ ଶନିବାର ଅନୁଷ୍ଠିତ ବିଶ୍ବସ୍ତରୀୟ ଭର୍ଚୁଆଲ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରାନ୍ତ ଓ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ନରସିଂହପୁର ସତ୍‌ସଙ୍ଗ ବିହାରର ବିଜୟ କୁମାର ପରିଡ଼ାଙ୍କ ସଂଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ସତ୍‌ସଙ୍ଗର ୨ ଘଣ୍ଟାର ଅନୁଭବକୁ ବିସ୍ତାରିତ କରିବାକୁ ପଡ଼ିବ। ଦିନର ବାକି ୨୨ ଘଣ୍ଟା‌‌‌‌‌ରେ ମଧ୍ୟ ଆମ ମଧ୍ୟରେ ସେଇ ଅନୁଭବର ପ୍ରତିଫଳନ ହେବା ଆବଶ୍ୟକ। କରୋନା ମହାମାରୀ ସମସ୍ତଙ୍କୁ ଭିନ୍ନ ଏକ ଆହ୍ବାନ ଓ ପରାମର୍ଶ ଦେଇଛି। ମଣିଷ ସାମାଜିକ ପ୍ରାଣୀ ହୋଇଥିଲେ ହେଁ କରୋନା ଆମକୁ ଏଭଳି ବିଚଳିତ କରିଛି ଯେ ବର୍ତ୍ତମାନ ସାମାଜିକ ଦୂରତା ମୂଳମନ୍ତ୍ର ହୋଇଛି। କିନ୍ତୁ ଆଧୁନିକ ବିଜ୍ଞାନ ଓ କାରିଗରି କୌଶଳ ଆମ ଭିତରର ଏହି ଦୂରତାକୁ ଏକତା‌ରେ ଆବଦ୍ଧ କରିପାରିଛି। ଏହି ଭର୍ଚୁଆଲ୍‌ ସତ୍‌ସଙ୍ଗ ତାହାର ଜ୍ବଳନ୍ତ ପ୍ରମାଣ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କାର୍ଯ୍ୟକ୍ରମରେ କୃଷ୍ଣନଗର ସତ୍‌ସଙ୍ଗର ପ୍ରତିରିତ୍ବିକ୍‌ ଜ୍ୟୋତିର୍ମୟ ଚୌଧୁରୀ ମୁଖ୍ୟବକ୍ତା, ଲଙ୍ଗଳେଶ୍ବରର ବିଶିଷ୍ଟ ସମାଜସେବୀ ସଂଜୟ କୁମାର ପାତ୍ର ଅତିଥି ବକ୍ତା ଭାବେ ଯୋଗ‌ଦେଇ ବକ୍ତବ୍ୟ ରଖିଥିଲେ। ପରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ ଶ୍ରୀଧର ସୁନ୍ଦର ମିଶ୍ର, ରବୀନ୍ଦ୍ର ନାଥ ବିଶ୍ବାଳ, ବବିତା ନନ୍ଦ, ଦୀପ୍ତିରାଣୀ ଚକ୍ର, ସଂଜୀବ ନାୟକ, ଆଣ୍ଡାମାନ୍‌ରୁ ୩ଥର ସାଂସଦ ହୋଇଥିବା ବିଷ୍ଣୁପଦ ରାୟ, ନରୱେରୁ ରାମକିଙ୍କର ଠାକୁର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମତ ରଖିଥିଲେ। କାର୍ଯ୍ୟକ୍ରମରେ ଜ୍ୟୋତିର୍ମୟୀ ଷଡ଼ଙ୍ଗୀ ଓ ଜୟଶ୍ରୀ ଦାଶ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ କୋଲକାତାରୁ ମନସ୍ମିତା ମଣ୍ଡଳ ଭଜନ ଓ ବ୍ରତତୀ ଚକ୍ର ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe