ଭୁବନେଶ୍ବର : ବରିଷ୍ଠ ପ୍ରଶାସକ ବିଷ୍ଣୁପଦ ସେଠୀଙ୍କ ଇଂରାଜୀ କବିତା ପୁସ୍ତକ ‘ବିୟଣ୍ଡ୍ ହିୟର୍ ଆଣ୍ଡ୍ ଅଦର୍ସ ପୋଏମ୍ସ୍’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକାର୍ପଣ କରିଛନ୍ତି। ଏଥିରେ ଶ୍ରୀ ସେଠୀଙ୍କ ୬୧ଟି କ୍ଷୁଦ୍ର କବିତା ସ୍ଥାନ ପାଇଛି। ଏହି କବିତାଗୁଡ଼ିକ ଜୀବନର ଅନୁଭୂତି, ମୃତ୍ୟୁର ଉପଲବ୍ଧି ଓ ଦାର୍ଶନିକ ଅନୁଧ୍ୟାନର ଏକ ପ୍ରତିଫଳନ। ମୋଟ୍ ଉପରେ କହିଲେ ଏହି ପୁସ୍ତକ ଏକ ଯାତ୍ରା ଯାହା କି ଜୀବନର ଅସଂଖ୍ୟ ପ୍ରକାର ଭେଦ ଓ ତାହା ପରର ଅଜ୍ଞାତ ଜଗତକୁ ଖୋଜିବାକୁ ଚେଷ୍ଟା କରିଛି।
ନୂଆଦିଲ୍ଲୀର ହର୍ ଆନନ୍ଦ ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ମୁଖବନ୍ଧ ଲେଖିଛନ୍ତି ବିଶିଷ୍ଟ କବି ହରପ୍ରସାଦ ଦାସ। ୧୬୧ ପୃଷ୍ଠା ବିଶିଷ୍ଟ ଏହି ବହିର ପ୍ରଚ୍ଛଦ ଆଙ୍କିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ। ସୂଚନାଯୋଗ୍ୟ ଯେ ଶ୍ରୀ ସେଠୀ ସମ୍ପ୍ରତି ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ। ଏହା ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ଜଣେ ଉଚ୍ଚକୋଟୀର ସାରସ୍ବତ ସ୍ରଷ୍ଟା ଭାବେ ସେ ପରିଚିତ।
Follow Us