ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଲା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ

ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଛି। ସିବିଆଇ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଶ୍ରୀ ସେଠୀ ଦାୟର କରିଥିବା ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

Orissa High Court

Orissa High Court Photograph: (sambad.in )

କଟକ: ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଛି। ସିବିଆଇ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଶ୍ରୀ ସେଠୀ ଦାୟର କରିଥିବା ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜୁଲାଇ ୧୮ରେ ହାଇକୋର୍ଟ ଶ୍ରୀ ସେଠୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିବା ସହିତ ତାଙ୍କୁ ପୂର୍ବରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରି ଦିଆଯାଇଥିବା ନିର୍ଦ୍ଦେଶ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ କହିଥିଲେ। ଆଜି ହାଇକୋର୍ଟ ରାୟ ପ୍ରକାଶ କରି ଶ୍ରୀ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ସହିତ ଜୁଲାଇ ୩ର ଅନ୍ତରୀଣ ସୁରକ୍ଷା ନିର୍ଦ୍ଦେଶକୁ ହଟାଇ ଦେଇଛନ୍ତି। ଜଷ୍ଟିସ୍‌ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ସେଠୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି। 

ଏଠାରେ ଉଲ୍ଲେଖଯୋଗ୍ୟ ‌ଯେ ଶ୍ରୀ ସେଠୀଙ୍କ ବାସଭବନରେ ସିବିଆଇ ଚଢ଼ଉ କରିଥିଲା। ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଜିଏମ୍‌ ଚଞ୍ଚଲ ମୁଖାର୍ଜୀ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ବେଳେ ଏହି ଘଟଣାରେ ବିନା କାରଣରେ ତାଙ୍କୁ ଓ ତାଙ୍କ ପରିବାରକୁ ଟଣାଯାଉଛି ବୋଲି ଦର୍ଶାଇ ଶ୍ରୀ ସେଠୀ, ତାଙ୍କ ପତ୍ନୀ ଓ ଝିଅ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜୁନ୍ ୨୦ରେ ହାଇକୋର୍ଟ ଶ୍ରୀ ସେଠୀ ଓ ଅନ୍ୟ ଦୁଇ ଜଣଙ୍କ ତରଫରୁ ଦାୟର ମାମଲାକୁ ଖାରଜ କରିବା ସହିତ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ଉଠାଇ ଦେଇଥିଲେ। ସେହି ଦିନ ଶ୍ରୀ ସେଠୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ସିବିଆଇ ତରଫରୁ ଶ୍ରୀ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ବିରୋଧ କରାଯାଇଥିଲା। ଚଞ୍ଚଲ ମୁଖାର୍ଜୀଙ୍କ ସହିତ ଶ୍ରୀ ସେଠୀଙ୍କ ପରିଚୟ ଥିଲା। ଏହି ଘଟଣାରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ଅର୍ଥ ଦେବଦତ୍ତ ମହାପାତ୍ରଙ୍କ ଗାଡ଼ିରୁ ସିବିଆଇ ଜବତ କରିଥିଲା। ଦେବଦତ୍ତ ମହାପାତ୍ରଙ୍କ ସହିତ ଫୋନ୍‌ରେ ଶ୍ରୀ ସେଠୀ କଥାବାର୍ତ୍ତା ହୋଇଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଆବେଦନକାରୀଙ୍କ ସ୍ବର ନମୁନା ଫୋନ୍ କଲ୍ ରେକର୍ଡ ସହିତ ମେଳ ଖାଉଥିବା ଫରେନ୍ସିକ ସାଇନ୍ସ ଲାବୋରେଟୋରି ରିପୋର୍ଟରୁ ଜଣାପଡ଼ିଛି ବୋଲି ସିବିଆଇ ତରଫରୁ ଦର୍ଶାଯାଇଥିଲା। ସିବିଆଇ ପକ୍ଷରୁ ସ୍ପେସାଲ ପବ୍ଲିକ ପ୍ରସିକ୍ୟୁଟର ସାର୍ଥକ ନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe