୧୦ ଜିଲ୍ଲାରେ ବୁଲିବ ଚକ୍ଷୁ ମୋବାଇଲ ଭ୍ୟାନ୍‌

Advertisment
୧୦ ଜିଲ୍ଲାରେ ବୁଲିବ ଚକ୍ଷୁ ମୋବାଇଲ ଭ୍ୟାନ୍‌

ଭୁବନେଶ୍ୱର : ରାଜ୍ୟରେ ୧୦ଟି ଜିଲ୍ଲାରେ ବୁଲିବ ଚକ୍ଷୁ ମୋବାଇଲ ଭ୍ୟାନ୍‌। ଚକ୍ଷୁ ରୋଗକୁ ତୃଣମୂଳସ୍ତରରେ ଚିହ୍ନଟ କରିବା ପାଇଁ ଏହି ଭ୍ୟାନ୍‌ ବୁଲିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସାର୍ବଜନୀନ ଚକ୍ଷୁ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଲୋକମାନଙ୍କ ପାଇଁ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି।

ସୂଚନା ଅନୁଯାୟୀ, କୋରାପୁଟ, ରାୟଗଡ଼ା, କନ୍ଧମାଳ, ମାଲକାନାଗିରି ଓ ନବରଙ୍ଗପୁର ଭଳି ଜିଲ୍ଲାରେ ଏହି ମୋବାଇଲ ଭ୍ୟାନ୍‌ ବୁଲିବ। ଏଥିରେ ଜଣେ ଲେଖାଏଁ ଅପଟ୍ରୋମେଟ୍ରିକ୍‌ ଆସିଷ୍ଟାଣ୍ଟଙ୍କ ସମେତ ସମସ୍ତ ଡାକ୍ତରୀ ସରଞ୍ଜାମ ରହିବ। ସପ୍ତାହରେ ଥରେ ଏହି ଭ୍ୟାନ୍‌ ଜିଲ୍ଲାରେ ବୁଲିବା ସହିତ ଲୋକମାନଙ୍କ ଚକ୍ଷୁ ପରୀକ୍ଷା କରାଯିବ। ଯେଉଁ ଜିଲ୍ଲାରେ ଏହି ମୋବାଇଲ ଭ୍ୟାନ୍‌ ବୁଲିବ ସେହି ଜିଲ୍ଲାରେ ଥିବା ଗୋଟିଏ ସିଏଚ୍‌ସି ଓ ଅନ୍ୟ ୨୦ଟି ଜିଲ୍ଲାରେ ଥିବା ୨ଟି ଲେଖାଏଁ ସିଏଚ୍‌ସିକୁ ଭିଜନ୍‌ ସେଣ୍ଟର୍‌ରେ ପରିଣତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଏହାସହ ରାଜ୍ୟରେ ପ୍ରଥମଥର ଲାଗି ଚକ୍ଷୁ ପରୀକ୍ଷା ବ୍ୟବସ୍ଥାକୁ ଡିଜିଟାଇଜେସନ୍‌ କରାଯିବ। ଚକ୍ଷୁ ପରୀକ୍ଷା କରୁଥିବା ପ୍ରତ୍ୟେକ ରୋଗୀଙ୍କୁ ଏକ ଚୁକ୍ଷସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ। ଏହି କାର୍ଡରେ ରୋଗୀଙ୍କ ସମସ୍ତ ତଥ୍ୟ ରହିବ। ଫଳରେ ପରବର୍ତୀ ସମୟରେ ଯଦି ସେହି ରୋଗୀ ଜଣକ ଜିଲ୍ଲା ବାହାରେ ଅନ୍ୟ କୌଣସି ସରକାରୀ ଡାକ୍ତରଖାନାରେ ନିଜର ଚିକିତ୍ସା କରନ୍ତି ତେବେ ସେଠାରେ ମଧ୍ୟ ରୋଗୀଙ୍କ ସମସ୍ତ ତଥ୍ୟ ଡାକ୍ତର ଜାଣିପାରିବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ଏକ ସ୍ୱତନ୍ତ୍ର ସଫ୍‌ଟେଓ୍ଵୟାର ପ୍ରସ୍ତୁତ କରାଯିବ। ଏନ୍‌ଆଇସି ଜରିଆରେ ଏହା କାର୍ଯ୍ୟକାରୀ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୨କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ୍ରପ୍‌ ବା ଡାଏବେଟିକ୍‌ ରେଟିନୋପ୍ୟାଥି ଓଡ଼ିଶା ପ୍ରୋଜେକ୍ଟ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହି ଆପ୍‌ ଜରିଆରେ ମଧ୍ୟ ଚକ୍ଷୁ ରୋଗୀଙ୍କ ସମସ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ବ୍ୟବସ୍ଥା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe