ନୂଆ କଟକଣା ସହ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ

Advertisment

ଆନନ୍ଦବଜାରରେ ମହାପ୍ରସାଦ ଖାଇଲେ, ଦୀପ, ଧୂପ ଲଗାଇଲେ

ଆନନ୍ଦବଜାରରେ ମହାପ୍ରସାଦ ଖାଇଲେ, ଦୀପ, ଧୂପ ଲଗାଇଲେ

ନୂଆ କଟକଣା ସହ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ

ପୁରୀ : ଶ୍ରୀମନ୍ଦିରରେ ସୋମବାରଠାରୁ ନୂଆ କଟକଣା ଭିତରେ ଦର୍ଶନ ଆରମ୍ଭ ହୋଇଛି। ଭକ୍ତମାନେ ପୂର୍ବଭଳି ଆନନ୍ଦବଜାରରେ ବସି ମହପ୍ରସାଦ ସେବନ କରିବା ସହ ମହାପ୍ରଭୁଙ୍କୁ ଦୀପ, ଧୂପ ଅର୍ପଣ କରିଛନ୍ତି। ସେପଟେ ତିନିଦିନ ଦର୍ଶନ ବନ୍ଦ ରହିବା ପରେ ଯେଉଁ ସଂଖ୍ୟାରେ ଭକ୍ତମାନେ ଦର୍ଶନ ପାଇଁ ଆସିବେ ବୋଲି ଆଶା କରାଯାଉଥିଲା, ଲଗାଣ ବର୍ଷା ଯୋଗୁ ସେଭଳି ଦେଖିବାକୁ ମିଳିନି। ସୋମବାର ସକାଳୁ ଶ୍ରୀମନ୍ଦିର ଖାଲି ପଡ଼ିଥିବା ଦେଖିବାକୁ ମିଳିଛି। କାଁ ଭାଁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। କିନ୍ତୁ ଅପରାହ୍ନରେ ବର୍ଷା କମିବା ପରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରାୟ ୧୫ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଶ୍ରୀମନ୍ଦିର ପ୍ରଶାସନ ପୂର୍ବ କଟକଣାରେ କୋହଳ ଆଣି ସୋମବାର ଠାରୁ ନୂଆ ଏସ୍‌ଓପି ଲାଗୁ କରିଛି। ପୂର୍ବରୁ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନରେ କଟକଣା ଲାଗିଥିଲା। ଦୀପ, ଧୂପ, ଫୁଲ ଲାଗିବା ନିଷେଧ କରାଯାଇଥିଲା। ସପ୍ତାହକୁ ଦୁଇଦିନ ଶନି ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହୁଥିଲା। କିନ୍ତୁ ଏହି କଟକଣାକୁ ହଟାଇ ଦିଆଯାଇଛି। ଭକ୍ତଙ୍କୁ ଆନନ୍ଦବଜାରରେ ମହାପ୍ରସାଦ ଖାଇବାର ଅନୁମତି ଦିଆଯାଇଛି। ଦୀପ, ଧୂପ ଆଦି ଲଗାଇବାକୁ ଅନୁମତି ଦିଆଯାଇଛି। ଶନିବାର ଦର୍ଶନ କଟକଣାକୁ ହଟାଇ ଦିଆଯାଇଛି। ଏଥର ସପ୍ତାହକୁ ୬ ଦିନ ମହାପ୍ରଭୁଙ୍କ ଦର୍ଶନ ମିଳିବ। କେବଳ ରବିବାର ବିଶୋଧନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ସେପ‌ଟେ ଭିଡ଼ ସମ୍ଭାବନା ଥିବାରୁ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ପର୍ବପର୍ବାଣୀରେ ଦର୍ଶନ ବନ୍ଦ ରଖାଯାଇଛି। ଏଣୁ ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ତିନିଦିନ ଧରି ପୁରୀରେ ଅଟକି ରହିଥିଲେ, ସେମାନେ ଆଜିଠାରୁ ନୂଆ କଟକଣା ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆନନ୍ଦବଜାରରେ ମହାପ୍ରସାଦ ସେବନ ସହ ଦୀପ, ଧୂପ, ଫୁଲ, ତୁଳସୀ ଲଗାଇ ଫେରିଛନ୍ତି।

ପୂର୍ବଭଳି ସିଂହଦ୍ବାର କିଓସ୍କରେ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ଅବା କୋଭିଡ୍‌ ଡବଲ୍‌ ଡୋଜ୍‌ର ପ୍ରମାଣପତ୍ର ଦେଖାଇ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ସହ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି। ସୋମବାରଠାରୁ ରାତି ୭ଟା ବଦଳରେ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ସେପଟେ ପ୍ରବଳ ବର୍ଷା ଯୋଗୁ ସୋମବାର ଚାରିଦ୍ବାର ପ୍ରବେଶ ପଥରେ ପାଣି ଜମି ଥିବା ଦେଖିବାକୁ ମିଳିଛି। ସିଂହଦ୍ବାର ପତିତପାବନଙ୍କ ସମ୍ମୁଖ ଗୁମୁଟରେ ପାଣି ଜମି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe