ଜୁଲାଇ ୨୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ବି ଭକ୍ତଶୂନ୍ୟ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ବଡ଼ଦାଣ୍ଡରେ ସାନ୍ଧ୍ୟ ଆଇନ୍‌ ଲଗାଇ ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ଶୃଙ୍ଖଳିତ ରଥଯାତ୍ରା ତଥା ସେବାୟତ ସଂକ୍ରମଣ ରୋକିବା ପାଇଁ ଶ୍ରୀମନ୍ଦିର ଦର୍ଶନ କଟକଣା ଅବଧିକୁ ବୃଦ୍ଧି କରିଛି। ଶ୍ରୀମନ୍ଦିର କୋଭିଡ୍‌ କମିଟି ସହ ଆଲୋଚନାକ୍ରମେ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଛି।

ଶ୍ରୀମନ୍ଦିର କୋଭିଡ୍‌ କମିଟିର ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଭର୍ଚୁଆଲ୍‌ରେ ମୋଡ୍‌ରେ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ସମେତ ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡ. କେ. ବିଶାଳ ସିଂହ, ଶ୍ରୀମନ୍ଦିର ବରିଷ୍ଠ ପ୍ରଶାସନିକ ଅଧିକାରୀ, କୋଭିଡ୍‌ କମିଟିରେ ଥିବା ବରିଷ୍ଠ ସେବାୟତମାନେ ଏହି ଭର୍ଚୁଆଲ୍‌ ବୈଠକରେ ଉପସ୍ଥିତ ଥିଲେ। ଆଗକୁ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ନୀଳାଦ୍ରି ବିଜେ, ସୁନା‌ବେଶ ଆଦି ଥିବାରୁ ଶ୍ରୀମନ୍ଦିରରେ ଦର୍ଶନ କଟକଣା ବଳବତ୍ତର ରଖିବାକୁ ସମସ୍ତେ ମତ ଦେଇଥିଲେ। ସମସ୍ତଙ୍କ ସହମତିକ୍ରମେ ଦର୍ଶନ ଅବଧିକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କୁମାର କହିଛନ୍ତି।

ଡ. କୁମାର କହିଛନ୍ତି ଯେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ରଥଯାତ୍ରା ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କୁ ନିୟମାବଳୀକୁ କଡ଼ାକଡ଼ି ପାଳନ କରାଯିବ। ଜୁନ୍‌ ୨୪ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୧୨ରେ ରଥଯାତ୍ରା ଓ ଜୁଲାଇ ୨୩ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ପରେ ଆମେ ହାତରେ ଆଉ ଦୁଇଦିନ ରଖିଛୁ। ଏହା ଭିତରେ ଅନ୍ୟ ଏକ ବୈଠକ ଡାକି ଶ୍ରୀମନ୍ଦିର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ। ସେ ସମୟରେ ଯଦି ସଂକ୍ରମଣ କମିଥାଏ, ଆମେ ନିଶ୍ଚିତ ଶ୍ରୀମନ୍ଦିର ଖୋଲିବାକୁ ଗୁରୁତ୍ବ ଦେବୁ। ବାକି ପୂର୍ବ ଏସ୍‌ଓପିରେ ଥିବା ସମସ୍ତ କଟକଣା ବଳବତ୍ତର ରହିଛି। ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରାର ନୀତି ନିର୍ଘଣ୍ଟ ସରିଛି। ଦିନେ ଦୁଇଦିନ ଭିତରେ ଛତିଶାନିଯୋଗ ବୈଠକ ଡକାଯିବ। ଛତିଶାନିଯୋଗ ବୈଠକ ପରେ ନୀତିରେ ଚୂଡ଼ାନ୍ତ ମୋହର ବାଜିବ ବୋଲି ଡ. କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe