ଲୋକସେବା ଭବନ ପରିଦର୍ଶନ କଲେ ୩୯ ନ୍ୟାୟିକ ସେବା ଶିକ୍ଷାନବିଶ

Advertisment
ଲୋକସେବା ଭବନ ପରିଦର୍ଶନ କଲେ ୩୯ ନ୍ୟାୟିକ ସେବା ଶିକ୍ଷାନବିଶ

ଭୁବନେଶ୍ବର : ନ୍ୟାୟିକ ‌ସେବା ଶିକ୍ଷାନବିଶଙ୍କ ତାଲିକ କାର୍ଯ୍ୟକ୍ରମର ଅଂଶଭ‌ାବେ ଆଜି ୩୯ଜଣ ଶିକ୍ଷାନବିଶ ଅଧିକାରୀ ଲୋକସେବା ଭବନ ପରିଦର୍ଶନ କରିଛନ୍ତି। ଏଥିପାଇଁ ଲୋକସେବା ଭବନ କନଭେନସନ ସେଣ୍ଟରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର ମହାପାତ୍ର ଶିକ୍ଷାନବିଶମାନଙ୍କୁ ପ୍ରଶାସନିକ ବ୍ୟବସ୍ଥା ଓ କାର୍ଯ୍ୟ ପଦ୍ଧତି ଉପରେ ଅବଗତ କରାଇଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ବ୍ୟବସ୍ଥାପକ, ନ୍ୟାୟପାଳିକା ଓ କାର୍ଯ୍ୟନିର୍ବାହୀ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ସ୍ତମ୍ଭଭାବେ କାର୍ଯ୍ୟ କରିଥାନ୍ତି। ଓଡ଼ିଶାରେ ଏବେ ନ୍ୟାୟିକ ସେବା ଯୋଗାଣ କ୍ଷେତ୍ରରେ ଏକ ଉଚ୍ଚମାନର ରୂପାନ୍ତରିକରଣ ସଂଗଠିତ ହେଉଛି। ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକ୍ରମେ ପ୍ରାୟ ୧୪ଲକ୍ଷ ମକଦ୍ଦମାର ସବିଶେଷ ବିବରଣୀକୁ ଡିଜିଟାଇଜ୍ କରାଯାଇଛି। ବିଭିନ୍ନ କୋର୍ଟରେ ଭିତ୍ତିଭୂମି ବିକାଶ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରୟୋଗ ପାଇଁ ବ୍ୟବସ୍ଥା କରାଯାଉଥିବା ଶ୍ରୀ ମହାପାତ୍ର କହିଥିଲେ। ପ୍ରମୁଖ ସଚିବ ସୁରେନ୍ଦ୍ର ମହାପାତ୍ର କହିଥିଲେ ଯେ ନିରପେକ୍ଷତା, ସ୍ବଚ୍ଛତା, ସମଭାବାପନ୍ନତା ଓ ସମାନତା ଆଦି ଆଦର୍ଶ ମାଧ୍ୟମରେ ଉତ୍ତମ ପ୍ରଶାସନ ଅଧିକ ସମୃଦ୍ଧ ହୋଇପାରିବ।

କାର୍ଯ୍ୟକ୍ରମଟି ୩ଟି ବୈଠକରେ ଶେଷ ହୋଇଥିଲା। ସରକାରୀ କାର୍ଯ୍ୟଧାରା ନିୟମ, ବିଭିନ୍ନ ସେବା ସର୍ତାବଳୀ, ପୁଲିସର ଭୂମିକା, ଦାୟିତ୍ବ ଓ ପରିସର, ୫-ଟି ଓ ମୋ-ସରକାର, ପଞ୍ଚାୟତିରାଜ ଅନୁଷ୍ଠାନର କାର୍ଯ୍ୟବିଧି, ବଜେଟ୍‌ ପ୍ରସ୍ତୁତି, ପାଣ୍ଠି ଆବଣ୍ଟନ, ଆବଣ୍ଟିତ ବଜେଟ୍ ପାଣ୍ଠିର ଉପଯୁକ୍ତ ବିନିଯୋଗ ଉପରେ ଆଲୋଚନା ହୋଇଥିଲା। ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଆଇନ ବିଭାଗ ସଚିବ ପ୍ରତାପ କୁମାର ପାତ୍ର, ଅତିରିକ୍ତ ସଚିବ ପ୍ରଣୟ କୁମାର ଦାସ, ମୁଖ୍ୟ ଶାସନ ସଚିବଙ୍କ ସ୍ବତନ୍ତ୍ର ଅଧିକାରୀ ଦିଲ୍ଲୀପ ରାଉତରାଏ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ରାଜ୍ୟ ବଜେଟ୍ ନିର୍ଦେଶକ ସତ୍ୟପ୍ରିୟ ରଥ, ଓକାକ୍‌ର ମହାପ୍ରବନ୍ଧକ ମଧୁମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଦେବବ୍ରତ ମଲ୍ଲିକ, ଶିବ ନାରାୟଣ ସାହୁ, ସାଗରିକା ହୋତା ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe