ଢେଙ୍କାନାଳ : ଓଲିଉଡ୍ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ତାଙ୍କ ଭାଇ ଜିତେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଢେଙ୍କାନାଳ ସହରର ମୁକ୍ତାଦେଇପୁର ଶାସନ ସ୍ଥିତ ନିଜ ଘରେ ଶକ୍ତି ମିଶ୍ର ଥିବା ବେଳେ ଗତ ରବିବାର ଅପରାହ୍ଣ ୪ ଟା ସମୟରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କ ପାଟି ବାଟେ ରକ୍ତ ବାହାରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବର କିମ୍ସ ହସ୍ପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଥିବା ବେଳେ ଏବେ ସୁସ୍ଥ ଅଛନ୍ତି। ପୂର୍ବରୁ ସେ ଲିଭର ସିରୋସିସ୍ରେ ପୀଡ଼ିତ ଥାଇ କିମସ୍ରେ ଚିକିତ୍ସିତ ହେଉଥିଲେ। ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଗତ ରବିବାର ଦିନ ହଠାତ୍ ତାଙ୍କ ପାଟିରୁ ରକ୍ତ ବାହାରିଥିଲା। ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବାରୁ ଆଜି ତାଙ୍କୁ ମିନି ଆଇସିୟୁକୁ ଅଣାଯିବ। ଏହାପରେ କିଛି ପରୀକ୍ଷା ପରେ ଦୁଇତିନି ମଧ୍ୟରେ ସେ ଘରକୁ ଫେରି ଆସିବେ । ବର୍ତ୍ତମାନ ତାଙ୍କ ପାଖରେ ପତ୍ନୀ ଏବଂ ପୁଅ ରହିଥିବା ତାଙ୍କ ଭାଇ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। କଣ୍ଠଶିଳ୍ପୀ ଶକ୍ତିଙ୍କ ଅସୁସ୍ଥ ଖବର ପାଇବା ପରେ ସଙ୍ଗୀତପ୍ରେମୀମାନେ ବିଭିନ୍ନ ଦେବଦେବୀଙ୍କଠାରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
Follow Us