ରାଉରକେଲା : ରାଜ୍ୟରେ ଦ୍ବିତୀୟ ସ୍ମାର୍ଟସିଟିର ମାନ୍ୟତା ପାଇଛି ରାଉରକେଲା। କିନ୍ତୁ ସହର ହୋଇପାରିନି ସ୍ମାର୍ଟ କି ସହରବାସୀ ହୋଇନାହାନ୍ତି ସ୍ମାର୍ଟନେସ୍। କାରଣ ହେଉଛି ପ୍ରକଳ୍ପର କଚ୍ଛପ ଗତି। ବର୍ଷ ବର୍ଷ ଧରି ଚାଲୁଥିବା କୋଟି କୋଟି ଟଙ୍କାର ପ୍ରକଳ୍ପ ସରୁନି। ପ୍ରତିବାଦର ସ୍ବର ଉଠାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ଉଭୟ କଂଗ୍ରେସ ଓ ବିଜେପି। ଶାସକ ଦଳ ବିଜେଡି ମଧ୍ୟ ମୁହଁ ଖୋଲୁନି। ଜିଲ୍ଲା କଂଗ୍ରେସ ବିରୋଧ କରୁଛି ସତ କିନ୍ତୁ ଏହାର କୌଣସି ପ୍ରଭାବ ପ୍ରଶାସନ ଉପରେ ପଡୁ ନାହିଁ। ବିଜେପି କେବେ କେମିତି କାଁ କାଁ ସ୍ବର ଉଠାଇ ଚୁପ୍ ରହୁଛି। ଯାହାର ଭରଫୁର ଫାଇଦା ଉଠାଉଛନ୍ତି ସରକାରୀ ବାବୁ ଓ କାମ ନେଇଥିବା ଠିକା ସଂସ୍ଥା। ଖର୍ଚ୍ଚ ନ ହୋଇ ପଡିଥିବା କୋଟି କୋଟି ଟଙ୍କା ଫେରିଯିବା ଭୟରେ ବିଭାଗୀୟ ଅଧିକାରୀ ଗୋଟିଏ କାମ ନ ସରୁଣୁ, ଅନ୍ୟ କାମ ଆରମ୍ଭ କରି ଦେଉଛନ୍ତି।
/sambad/media/post_attachments/wp-content/uploads/2021/07/a11f1d82-9821-4d9d-9d9c-e1e702e35b6b.jpg)
ଗୋଟିଏ କି ଦୁଇଟି ପ୍ରକଳ୍ପ ନୁହେଁ ସ୍ମାର୍ଟସିଟିର ଏମିତି ମାଳ ମାଳ ପ୍ରକଳ୍ପ କାମ ଚାଲିଛି। କେଉଁଠି ଅଧପନ୍ତରିଆ ହୋଇ ପଡିଛି ତ ଅନ୍ୟ କେଉଁଠି କାମର ୧୦% ଆରମ୍ଭ ମଧ୍ୟ ହୋଇ ନାହିଁ। ସବୁଠୁ ଆଶ୍ଚର୍ଯ୍ୟ କଥା, ବିକାଶମୂଳକ କାମକୁ ନେଇ ଜନ ପ୍ରତିନିଧିମାନେ ଥରୁଟିଏ ମୁହଁ ଖୋଲୁ ନାହାନ୍ତି। କାମର ଅଗ୍ରଗତି ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ମଧ୍ୟ ବସୁ ନାହିଁ। ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ସହର ବିକାଶକୁ ଯେମିତି ଭୁଲି ଯାଇଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କିଛିଟା କାମ କରୁଛନ୍ତି, କିନ୍ତୁ ତାହା ସହରବାସୀଙ୍କୁ ଏତେଟା ସନ୍ତୁଷ୍ଟ କରି ପାରି ନାହିଁ। ଅନ୍ୟପଟେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଗୋଟିଏ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟି ପଦବୀର ଦାୟିତ୍ବ ଲଦି ଦିଆଯାଇଛି। ଏସବୁ କାରଣରୁ ସହରର ମାଳ ମାଳ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି।
ଉଦାହରଣ ସ୍ବରୂପ ୩୪୦ କୋଟିର ସ୍ବରେଜ ବ୍ୟବସ୍ଥା ୨୦୧୭ରେ ଆରମ୍ଭ ହୋଇଥିବା ପ୍ରକଳ୍ପ ୨୦୨୦ ଶେଷ ସୁଦ୍ଧା ସରିବା କଥା। ବିଡମ୍ବନା, ଅଧିକ ଦେଢ଼ବର୍ଷ ବିତିଯାଇଥିଲେ ହେଁ ଅଧପନ୍ତରିଆ। ସହରର ପ୍ରବେଶ ପଥର ପାନପୋଷ ଏନ୍ଏସି ମାର୍କେଟ ନିର୍ମାଣରେ ସେହି ଅବସ୍ଥା। ପ୍ରାୟ ୪୮ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସ ବର୍ଷ ପରେ ମଧ୍ୟ ୧୦% କାମ ଆରମ୍ଭ ହୋଇ ନାହିଁ। ମାର୍କେଟ କମ୍ପ୍ଲେସ ଭଙ୍ଗାଯିବା ପରେ ସରକାରୀ କଲେଜ ପାର୍ଶ୍ବରେ ଥଇଥାନ ହୋଇଥିବା ୧୫୦ରୁ ଅଧିକ ଦୋକାନୀ ଦହଗଞ୍ଜ ହେଉଛନ୍ତି। ଗତ ୨୦୧୬ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବସ୍ତିବାସୀଙ୍କୁ ପକ୍କା ଘର ସ୍ବପ୍ନ ଦେଖାଯାଉଛି। ବସ୍ତିର ୨୪ ହଜାର ପରିବାରକୁ ପ୍ରଧାନମନ୍ତ୍ରୀ ଗୃହ ଯୋଗାଇ ଦେବାକୁ ଟର୍ଗେଟ ରଖିଥିବା ଆର୍ଏସ୍ସି ଉଦ୍ୟମ୍ ଫେଲ୍ ମାରିଛି। ଗତ ୨୦୧୫ରେ ପ୍ରଧାନମନ୍ତ୍ରୀ ଆବାସ (ରାଜୀବ ଆବାସ) ପାଇଁ ଆସିଥିବା ପ୍ରାୟ ୮୨ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ଫେରି ଯାଇଛି। ଏବେ ବିପିୟୁଟି ପାର୍ଶ୍ବରେ ୫.୫ ଏକର ଜମିରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ଚାଲିଛି। ଯେଉଁଠି ସହରର ୪ ବସ୍ତିର ୫୦୦ ପରିବାରକୁ ଥଇଥାନ କରାଯିବ ବୋଲି କୁହାଯାଉଛି।
/sambad/media/post_attachments/wp-content/uploads/2021/07/20cb2e00-f548-412f-b655-e5d90404672f.jpg)
୨୦୧୪ର ବହୁ ପ୍ରତୀକ୍ଷିତ ହୋଲ୍ସେଲ୍ କୃଷକ ବଜାରକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ୯୮ କୋଟି ମଞ୍ଜୁର ହୋଇଥିଲା। ତାହା ମଧ୍ୟ ଅଧପନ୍ତରିଆ ପାଚେରୀରେ ସୀମିତ। ପୁଣି ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍)ରେ ୨୫ କୋଟି ମଞ୍ଜୁର ଆସୁଛି। ୭ ବର୍ଷ ଏହି ପ୍ରକଳ୍ପ ଭାଗ୍ୟ ବିବାଦରେ ଝୁଲୁଛୁ। ସ୍ମାର୍ଟ ସିଟି ରୋଡ (ଫେଜ୍ -୧)ରେ ୨୬ କୋଟି ୪୭ ଲକ୍ଷ, ବିର୍ସାମୁଣ୍ଡା ଷ୍ଟାଡିୟମର ମଲ୍ଡିଂ ପାର୍କିଂ ବ୍ୟବସ୍ଥାରେ ୧୩୮ କୋଟି ୪୭ ଲକ୍ଷ, ସ୍ମାର୍ଟସିଟି ରୋଡ (ଫେଜ୍-୨) ୧୨୬ କୋଟି ଏମିତି ଅନେକ ପ୍ରକଳ୍ପ କାମ ଚାଲିଛି। କିନ୍ତୁ ଏସବୁ କେବେ ସରିବ କାହାକୁ ଜଣା ନାହିଁ। ଏହା ବ୍ୟତୀତ ଖର୍ଚ୍ଚ ହୋଇ ବ୍ୟାଙ୍କରେ ୨୬୬ କୋଟି ୮୩ ଲକ୍ଷ ଟଙ୍କା ପଡ଼ିଛି, ଯାହାର ସୁଧ ହେଲା ୮୩ କୋଟି ୪୨ ଲକ୍ଷ। ଏମିତି ମୋଟ୍ ୩୫୦ କୋଟି ୨୫ ଲକ୍ଷ ପଡିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୫୦% ଲେଖାଏଁ ଅର୍ଥ ବିନିଯୋଗ ହେଉଛି। କାମ ନେଇଥିବା ଠିକାସଂସ୍ଥା କାମ ନାଁ ବ୍ୟାପକ ହରିଲୁଟ୍ କରୁଛନ୍ତି। ଆଜି ପର୍ଯ୍ୟନ୍ତ ଥରୁଟିଏ ବିଜେପି କିମ୍ବା ବିଜେଡି ମୁହଁ ଖୋଲୁ ନାହାନ୍ତି। ସ୍ମାର୍ଟସିଟିର ବୋର୍ଡ ବୈଠକ ବସୁ ନାହିଁ। କାମର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିବାକୁ ନା ସାଂସଦ, ନା ବିଧାୟକ କାହାରି ପାଖରେ ଯେମିତି ସମୟ ନାହିଁ। ସେହିପରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର, ଜାଭିୟର ଇନ୍ଷ୍ଟିଚ୍ୟୁଟ୍, ସରକାରୀ ମେଡିକାଲ କଲେଜ, ଇଏସ୍ଆଇ ମେଡିକାଲ କଲେଜ ଓ ହସ୍ପିଟାଲ ଏମିତି ଅନେକ ପ୍ରକଳ୍ପ ଶିଳାନ୍ୟାସରେ ଅଟକିଛି।
ଜିଲ୍ଲାର ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ରାଉରକେଲାକୁ ସମ୍ପୂର୍ଣ୍ଣ ଅଣଦେଖା କରି ଚାଲିଛନ୍ତି। ସ୍ମାର୍ଟ ସିଟିର ଚାଲିଥିବା କାମର ମାନ ମଧ୍ୟ ଠିକ୍ ନାହିଁ। ସ୍ମାର୍ଟ ସିଟି ପ୍ରକଳ୍ପକୁ ହରିଲୁଟ୍ କରି ଚାଲିଛନ୍ତି। ବିଜେପିର ସ୍ବର ଧୀମେଇ ଯାଇ ନାହିଁ। ଆଗାମି ଦିନରେ ଜୋରଦାର ପ୍ରତିବାଦ କରିବୁ। ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବିରେନ ସେନାପତି କହିଛନ୍ତି, ଆର୍ଏମ୍ସିର ଆଜି କୌଣସି ନିର୍ବାଚନ ପ୍ରତିନିଧି ନାହିଁ। ତେଣୁ ପ୍ରତିବାଦ କରିବାକୁ କେହି ନାହାନ୍ତି। ସରକାରୀ ବାବୁମାନେ ମନଇଚ୍ଛା କାମ କରୁଛନ୍ତି। ଶାସକ ବିଜେଡି ଦଳ ନିଜର ଫାଇଦା ପାଇଁ ଥରୁଟିଏ ପ୍ରତିବାଦ କରୁନାହିଁ। ଯାହା ଫଳରେ ସହରର ଏଭଳି ସ୍ଥିତି ଉପୁଜିଛି। ବିଜେଡିର ନଗର ସଭାପତି ଗଗନ ପଣ୍ଡା କହିଛନ୍ତି, କରୋନା ପାଇଁ କାମ ଟିକେ ଧିମେଇ ଯାଇଥିଲା। ସବୁ ପ୍ରକଳ୍ପ ଚାଲିଛି। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ନିଶ୍ଚିତ କରାଯିବ।
Follow Us