ଇଚ୍ଛାଧୀନ କୋଟା: ୯୩ ଆବଣ୍ଟନ ବାତିଲ, ୭୯ ଜଣଙ୍କ ବିରୋଧରେ ମାମଲା

Advertisment
ଇଚ୍ଛାଧୀନ କୋଟା: ୯୩ ଆବଣ୍ଟନ ବାତିଲ, ୭୯ ଜଣଙ୍କ ବିରୋଧରେ ମାମଲା

representational image- Sambad English

ଭୁବନେଶ୍ବର: ୨୦୧୫ ମସିହାରେ ରାଜ୍ୟ କ୍ୟାବିନେଟ ଟାସ୍କ ଫୋର୍ସ ରିପୋର୍ଟକୁ ସରକାର ଅନୁମୋଦନ କରିଛନ୍ତି। ରିପୋର୍ଟ ଆଧାରରେ ବିଡିଏ, ସିଡିଏ ଓ ଓଏସ୍‌ଏଚ୍‌ବି ୧୯୯୫ ମସିହାରୁ ଇଚ୍ଛାଧୀନ କୋଟାରେ ଆବଣ୍ଟିତ ପ୍ଲଟ୍‌-ଘର-ଫ୍ଲାଟ୍‌କୁ ବାତିଲ କରି ଦିଆଯାଇଛି। ବିଡିଏ, ସିଡିଏ ଓ ଓଏସ୍‌ଏଚ୍‌ବିରେ ୧୭୭୬ ଆବଣ୍ଟନ ହୋଇଥିବା ବେଳେ ତହିଁରୁ ୯୩ ଟି ବାତିଲ ହୋଇଥିବା ବେଳେ ୭୯ଜଣଙ୍କ ବିରୋଧରେ ଭିଜିଲାନ୍‌ସ ତଦନ୍ତ ପରେ ଅପରାଧିକ ମାମଲା ଦାୟର ହୋଇଥିବା ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଇଚ୍ଛାଧୀନ କୋଟାରେ ପ୍ଲଟ୍‌ ଓ ଘର ଆବଣ୍ଟନ ସଂକ୍ରାନ୍ତରେ ତାରା ଦତ୍ତ କମିଟି ଆଧାରରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଏକ ଲିଖିତ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଉଷା ଦେବୀ କହିଛନ୍ତି ଯେ ବିଡିଏ ଦ୍ବାରା ୮୦୩ଟି ଆବଣ୍ଟନରୁ ୪୮, ସିଡିଏ ଦ୍ବାରା ହୋଇଥିବା ୯୨୧ଟି ଆବଣ୍ଟନରୁ ୩୫ ଓ ଓଏସ୍‌ଏଚ୍‌ବି ଦ୍ବାରା ୫୨ଟିରୁ ୧୦ଟି ରଦ୍ଦ କରାଯାଇଛି। ସେହିପରି ଭିଜିଲାନ୍‌ସ ଦ୍ବାରା ତଦନ୍ତ ପରେ ବିଡିଏରେ ୨୪, ସିଡିଏରେ ୨୯ ଓ ଓଏସ୍‌ଏଚ୍‌ବିର ୨୬ଟି ଅପରାଧିକ ମାମଲା ରୁଜୁ ହୋଇଛି। ତେବେ ଆଇନଗତ ସମସ୍ୟା, ହାଇକୋର୍ଟରେ ମାମଲା ଓ ରାଜ୍ୟ ଆଡଭୋକେଟ ଜେନେରାଲଙ୍କ ପରାମର୍ଶରେ ରାଜ୍ୟ ସରକାର ଇଚ୍ଛାଧୀନ କୋଟାରେ ଯେଉଁମାନେ ଗୋଟିଏ ପ୍ଲଟ୍‌-ଘର କିମ୍ବା ଫ୍ଲାଟ୍‌ ନେଇଥିବେ ସେମାନଙ୍କର ଆବଣ୍ଟନ ବୈଧ ରହିବ ବୋଲି କହିଥିଲେ। ଯାହାଫଳରେ ଇଚ୍ଛାଧୀନ କୋର୍ଟରେ ନିଧାରିତ ପ୍ରାବଧାନ ଅନୁସାରେ ଯେଉଁମାନେ ଗୋଟିଏ ପ୍ଲଟ୍‌-ଘର କିମ୍ବା ଫ୍ଲାଟ୍ ନେଇଥିବେ ସେମାନଙ୍କର ଆବଣ୍ଟନ ରଦ୍ଦ ହେବନାହିଁ ଓ ଏହି ଆବଣ୍ଟନର ହକଦାର ମଧ୍ୟ ସେମାନଙ୍କର ଉତ୍ତରାଧିକାରୀ ରହିବେ। ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତବର୍ଷ ଡିସେମ୍ବର ୮ ତାରିଖରେ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe