bbc.com
ଭୁବନେଶ୍ବର : ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)କୁ ଅଧିକ କ୍ରୀୟାଶିଳ କରାଯିବ। ଚଳିତ ଶିକ୍ଷାବର୍ଷରେ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ, ସ୍ବଚ୍ଛ ଓ ସବୁଜ କ୍ୟାମ୍ପସରେ ପରିଣତ କରିବା ସହିତ ରକ୍ତଦାନ କାର୍ଯ୍ୟକ୍ରମରେ ୧ଲକ୍ଷ ୧୫ହଜାର ୫ଶହ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ଏହାସହ ବୃକ୍ଷରୋଗ ଓ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର।
ପୁସ୍ତକ ଭବନରେ ଶନିବାର ଦିନ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଏନ୍ଏସ୍ଏସ୍ ଉପଦେଷ୍ଟା ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଏଣିକି ପ୍ରତି ଏନ୍ଏସ୍ଏସ୍ ୟୁନିଟ୍ର ସ୍ବେଚ୍ଛାସେବୀ ସଂଖ୍ୟା ୫୦ରୁ ୧୦୦କୁ ବୃଦ୍ଧି କରାଯିବ। ସ୍ବୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକରେ ଏନ୍ଏସ୍ଏସ୍କୁ ସକ୍ରିୟ କରାଯିବ। ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ସ୍ବେଚ୍ଛାସେବୀମାନଙ୍କୁ ଅନ୍ତଃରାଜ୍ୟ ଭ୍ରମଣ ପାଇଁ ସୁଯୋଗ ପ୍ରଦାନ କରାଯିବ। ବୈଠକରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାଶ, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ, ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ସନ୍ତୋଷ ତ୍ରିପାଠୀ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର ବାସା, ଏନ୍ଏସ୍ଏସ୍ର ଆଞ୍ଚଳିକ ସରିତା ପଟେଲ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ସତ୍ୟରଂଜନ ସାହୁ, ଓୟୁଏଟିର ଏନ୍ଏସ୍ଏସ୍ ପ୍ରଶିକ୍ଷଣ ସଂଯୋଜକ ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର, ନିରଦ ଖୁଣ୍ଟିଆ, ମଧୁସୂଦନ ଦାସଙ୍କ ସମେତ ୨୪ଟି ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମ ସଂଯୋଜକ ଯୋଗଦେବା ସହିତ ଏନ୍ଏସ୍ଏସ୍ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ରାଜ୍ୟ ଏନ୍ଏସ୍ଏସ୍ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପୂର୍ବବର୍ଷର ବିବରଣୀ ସହିତ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ।
Follow Us