କୁସୁମୀ ବ୍ଲକ୍‌ର ଏକାଧିକ ବୁଥ୍‌ରେ ଭୋଟ୍ ବର୍ଜନ କଲେ ଗ୍ରାମବାସୀ, ବୁଝାସୁଝା ପରେ ୩ଟି କେନ୍ଦ୍ରରେ ହେଲା ମତଦାନ

କୁସୁମୀ ବ୍ଲକ୍‌ର ଏକାଧିକ ବୁଥ୍‌ରେ ଭୋଟ୍ ବର୍ଜନ କଲେ ଗ୍ରାମବାସୀ, ବୁଝାସୁଝା ପରେ ୩ଟି କେନ୍ଦ୍ରରେ ହେଲା ମତଦାନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ତ କୁସୁମୀ ବ୍ଲକ୍‌ର ଏକାଧିକ ବୁଥ୍‌ରେ ଭୋଟରମାନେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ବୁଝାସୁଝା ପରେ ସେମାନେ ମତଦାନ କରିଥିବା ଜଣାପଡ଼ିଛି।

କୁସୁମୀ ବ୍ଲକ୍ ଚୁଆପାଣି ପଞ୍ଚାୟତ ହାତୀଶିକୁଳି ଗ୍ରାମରେ ଏକ ବିଦ୍ୟାଳୟ ଥିଲା। ଛାତ୍ରଛାତ୍ରୀ ସଂଖ୍ୟା କମ୍‌ ଥିବାରୁ ଉକ୍ତ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା। ଯାହାଫଳରେ ଗ୍ରାମର ଅଧିକାଂଶ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଥିବା ବେଳେ କିଛି ଛାତ୍ରଛାତ୍ରୀ ପଡ଼ୋଶୀ ଗ୍ରାମର ସ୍କୁଲ୍‌କୁ ଯାଇ ପାଠ ପଢ଼ୁଛନ୍ତି। ସମସ୍ୟା ବାବଦରେ ଗ୍ରାମବାସୀ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଅବଗତ କରିଥିଲେ। ହେଲେ କିଛି ଲାଭ ମିଳି ନ ଥିଲା। ଫଳରେ ଗ୍ରାମବାସୀ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ଅପରାହ୍ନରେ କୁସୁମୀ ବିଡିଓ ଲକ୍ଷ୍ମଣ ଚରଣ ସୋରେନ, ତହସିଲଦାର ଶିବପ୍ରସାଦ ମୁର୍ମୁ ଓ ରାଇରଙ୍ଗପୁର ଏସ୍‌ଡିପିଓ ରତିକାନ୍ତ ଗିରି ଗ୍ରାମରେ ପହଂଚି ବୁଝାସୁଝା କରିଥିଲେ। ଯାହାଦ୍ବାରା ଲୋକେ ମତଦାନ କରିବାକୁ ରାଜି ହୋଇଥିଲେ।

ସେହିପରି ବ୍ଲକ୍ ଅଧୀନ ଉକାମ ବୁଥ୍‌ରେ ୬୨ ଜଣଙ୍କ ନାମ ଭୋଟର ଲିଷ୍ଟରେ ନଥିଲା। ‌ତେଣୁ ଗ୍ରାମବାସୀମାନେ ଭୋଟ୍ ଦେବାକୁ ମନା କରିଦେଇଥିଲେ। ଖବର ପାଇ କୁସୁମୀ ବିଡିଓ, ତହସିଲଦାର ଓ ଏସ୍‌ଡିପିଓ ଗ୍ରାମରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଫଳରେ ୪ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା।

ବ୍ଲକ୍ ଅଧୀନ ଖେରଣା ଗ୍ରାମରେ ମଧ୍ୟ ଗ୍ରାମବାସୀ ଭୋଟ୍ ଦେବାକୁ ମନା କରିଦେଇଥିଲେ। ସେମାନେ ଗ୍ରାମରେ ଥିବା ପିଚୁ କାରଖାନାକୁ ସ୍ଥାନାନ୍ତର ଦାବି କରି ଭୋଟ୍ ଦେଉ ନ ଥିଲେ। ତେବେ ପରେ ଥାନା ଅଧିକାରୀ ଗ୍ରାମରେ ପହଞ୍ଚି ବୁଝାସୁଝା କରିବାରୁ ବିଳମ୍ବରେ ଲୋକେ ମତଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe