ରାସ୍ତା ଓ ପାଣି ନାହିଁ ତ ଭୋଟ୍‌ ନାହିଁ: ଉପରଦୁଣ୍ଡା ଓ ତଳ ଦୁଣ୍ଡାବାସୀଙ୍କ କଡ଼ା ଚେତାବନୀ

ରାସ୍ତା ଓ ପାଣି ନାହିଁ ତ ଭୋଟ୍‌ ନାହିଁ: ଉପରଦୁଣ୍ଡା ଓ ତଳ ଦୁଣ୍ଡାବାସୀଙ୍କ କଡ଼ା ଚେତାବନୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ର ଉପର ଦୁଣ୍ଡା ଓ ତଳଦୁଣ୍ଡା ଗ୍ରାମକୁ ରାସ୍ତା ଓ ପାଣି ଦାବିରେ ନିର୍ବାଚନ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ନିଜେ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଦୁନ୍ଦେଲମାଲ ପଞ୍ଚାୟତର ଉପର ଦୁଣ୍ଡା ଓ ତଳ ଦୁଣ୍ଡା ଗାଁ ହେଉଛି ଏକ ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳ। ଉପର ଦୁଣ୍ଡା ଓ ତଳ ଦୁଣ୍ଡା ଗାଁରେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ୫୦୦ରୁ ଅଧିକ ପରିବାର ବସବାସ କରିଛନ୍ତି। ଗ୍ରାମବାସୀ ଦୁନ୍ଦେଲମାଲ ପଞ୍ଚାୟତକୁ ଆସିବାକୁ ହେଲେ ୧୬ କିମି ଆସିବାକୁ ପଡ଼ିଥାଏ। ସେହିଭଳି ଜୁନାଗଡ଼ ବ୍ଲକ୍‌ ଅଫିସ୍‌ ଆସିବାକୁ ହେଲେ ୨୬ କିମି ଯିବାକୁ ପଡ଼ିଥାଏ। ରାସ୍ତା ନ ଥିବା ଯୋଗୁଁ ଲୋକେ ପାହାଡ଼ ଚଢ଼ି ବିପଦସଂକୁଳ ଭାବରେ ଯିବାଆସିବା କରିଥାନ୍ତି। ଚାଉଳ ଓ ଭତ୍ତା ପାଇଁ ବୁଢ଼ା ବୁଢ଼ୀମାନେ ପାହାଡ଼ ଚଢ଼ି ଅତି ଦୟନୀୟ ଅବସ୍ଥାରେ ଯିବା ଆସିବା କରିଥାନ୍ତି। ଯଦି କୌଣସି ରୋଗଗ୍ରସ୍ତ ଲୋକ, ଗର୍ଭବତୀ କିମ୍ବା ପ୍ରସୂତିଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ଥୁଆମୂଳ ରାମପୁର ଅଞ୍ଚଳର କିଆପଦର ଦେଇ ୩୭ କିମି ଭବାନୀପାଟଣା ଡାକ୍ତରଖାନାକୁ ନେଇଥାନ୍ତି। ଗାଁରେ ୨ ନଳକୂଅ ଓ ଗୋଟିଏ ସୋଲାର ପମ୍ପ ରହିଛି। ଗୋଟିଏ ନଳକୂଅ ଓ ସୋଲାର ପମ୍ପ ଖରାପ ହୋଇଛି।

publive-image

ଏହି ଅଞ୍ଚଳ ପାଇଁ ତଳଦୁଣ୍ଡାରେ ବୁଥ୍ ଥିବା ବେଳେ ୧୪୩ ଜଣ ପୁରୁଷ ଓ ୧୭୧ ଜଣ ମହିଳା ମିଶି ମୋଟ୍‌ ୩୧୪ ଜଣ ଭୋଟର୍‌ ଅଛନ୍ତି। ପ୍ରତି ନିର୍ବାଚନ ଆସିଲେ ନେତାମାନେ ରାସ୍ତା ନିର୍ମାଣ ପ୍ରତିଶ୍ରୁତି ଦେଇ ଭୋଟ ନିଅନ୍ତି। ଭୋଟ୍‌ ସରିଲେ ପ୍ରତିଶ୍ରୁତି ଭୁଲି ଯାଆନ୍ତି। ୨୦୨୨ ମସିହାରେ ଦୁଣ୍ଡା ଗ୍ରାମକୁ ନିର୍ବାଚନ ସମୟରେ ପୋଲିଂ ପାର୍ଟି ଯାଇଥିଲେ। ହେଲେ ଗ୍ରାମବାସୀ ଭୋଟ୍‌ ବର୍ଜନ କରିଥିଲେ। ଫଳରେ ପୋଲିଂ ପାର୍ଟି ଫେରି ଯାଇଥିଲେ। ପରେ ପୁଣି ଲୋକଙ୍କୁ ମନାଇ ଭୋଟ୍‌ ଦାନ ପାଇଁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହି ଭୋଟ୍‌ ଦେଇ ନଥିଲେ। ରାସ୍ତା ନିର୍ମାଣ ଓ ପାନୀୟ ଜଳର ସୁବିଧା ନ ହେଲେ ଗ୍ରାମବାସୀମାନେ ଭୋଟ୍‌ ବର୍ଜନ କରିବେ ବୋଲି ବିଧାୟକ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନହେବାରୁ ପୁଣି ଥରେ ଭୋଟ୍‌ ବର୍ଜନ କରିବେ ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe