Image Courtesy of Times Now
ଘୁ.ଉଦୟଗିରି: ସବୁ ଖଟିରେ ଗୋଟିଏ ଚର୍ଚ୍ଚା। କିଏ ଜିତିବ, କିଏ କେଉଁ ସ୍ଥାନରେ ରହିବ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ। ନେତା ବସି ଅଙ୍କ କଷୁଥିବା ବେଳେ କର୍ମୀମାନେ ମଧ୍ୟ ଅଙ୍କ କସୁଛନ୍ତି। ଖାଲି ନେତା କର୍ମୀ ଅଙ୍କ କଷୁନାହାନ୍ତି। ସାଧାରଣ ଭୋଟର ମଧ୍ୟ ବିଭିନ୍ନ ସ୍ଥାନରେ ଅଙ୍କ କଷୁଥିବା ଦେଖିବାକୁ ମିଳୁଛି। ରାଜନୀତି ସହ କୌଣସି ସମ୍ପର୍କ ନଥିବା ସାଧାରଣ ଭୋଟର ଆଗ୍ରହ ସହକାରେ ଭୋଟ ଫଳାଫଳ କଣ ହେବ କେଉଁ ଦଳ କେତେ ଭୋଟ ପାଇବେ ତାକୁ ନେଇ ଗଣନା ଆରମ୍ଭ ହୋଇଯାଇଛି। ନେତା ଏବଂ କର୍ମୀ ବୁଥ ୱାରୀ ସମୀକ୍ଷା କରିବାରେ ଲାଗିଛନ୍ତି।
ଗ୍ରାମାଞ୍ଚଳର ନେତାମାନେ ହିସାବ ଦେଉଛନ୍ତି କେଉଁ ବୁଥର କେତେ ଭୋଟ ଆସିବ। ପ୍ରାର୍ଥୀମାନେ ପ୍ରାକ ଭୋଟ ଗଣତି କରି ମନେମନେ ଖୁସି ବ୍ୟକ୍ତ କରୁଥିବା ବେଳେ ଜନତା ଜନାର୍ଦ୍ଦନ ଖଟିରେ ବସି ପ୍ରାର୍ଥୀଙ୍କ ଭୋଟ ଆକଳନ କରୁଛନ୍ତି। ହେଲେ ଇଭିଏମ ଭିତରେ କାହାର କେତେ ଭୋଟ ପଡ଼ିଛି, ୪ତାରିଖ ଦିନ ସ୍ପଷ୍ଟ ହୋଇଯିବ।
ଚଳିତ ନିର୍ବାଚନ ରେ ଘୁ.ଉଦୟଗିରି ବିଧାନସଭା ବିଧାୟକ ପ୍ରାର୍ଥୀ ଭାବେ ମୋଟ ୮ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ କଂଗ୍ରେସ ରୁ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ବିଜେଡି ରୁ ସାଲୁଗା ପ୍ରଧାନ ଏବଂ ବିଜେପି ରୁ ମାନଗୋବିନ୍ଦ ପ୍ରଧାନ ପ୍ରମୁଖ ପ୍ରାର୍ଥୀ ଅଛନ୍ତି।ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ଭିତରେ ସିଲ ହୋଇ ରହିଛି।ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ମୋଟ ୬୭.୦୨ପ୍ରତିଶତ ମତଦାନ ହୋଇଥିବା ବେଳେ ଘୁ.ଉଦୟଗିରି ବ୍ଳକ ଏବଂ ଏନଏସି ରେ ମୋଟ୬୪.୯୬ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।
Follow Us