ସରପଞ୍ଚ ପ୍ରାର୍ଥୀଙ୍କୁ ମୁଣ୍ଡ ଛୁଇଁ ନିୟମ କରାଇଲେ ମତଦାତା, କହିଲେ- ନିର୍ବାଚନ ଜିତିଲେ ଘର ଦେବ

Advertisment
ସରପଞ୍ଚ ପ୍ରାର୍ଥୀଙ୍କୁ ମୁଣ୍ଡ ଛୁଇଁ ନିୟମ କରାଇଲେ ମତଦାତା, କହିଲେ- ନିର୍ବାଚନ ଜିତିଲେ ଘର ଦେବ

ବନ୍ତଳା: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ନେତାମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ମତଦାତାଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି। ମତଦାତାମାନେ ମଧ୍ୟ କମ୍‌ ନୁହଁନ୍ତି। ‘ମୁଣ୍ଡ ଛୁଇଁ କୁହ, ଜିତିଲେ ମୋର ଘର କରିଦେବ’ ମୁଣ୍ଡ ଛୁଇଁ ଏମିତି କିଛି ଶପଥ ପାଠ କରୁଛନ୍ତି ଭୋଟର। ପ୍ରାର୍ଥୀମାନେ ନିର୍ବାଚନ ପାଇଁ ଘର ଘର ବୁଲି ପ୍ରଚାର କରୁଥିବା ବେଳେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପୋକତୁଙ୍ଗା ପଞ୍ଚାୟତରେ। ଏହି ପଞ୍ଚାୟତରେ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ କେତେକ ହିତାଧିକାରୀ ବଞ୍ଚିତ ଅଛନ୍ତି। ଫଳରେ ଭୋଟର ମାନେ ସରପଞ୍ଚ ପ୍ରାର୍ଥୀଙ୍କୁ ଏଭଳି ତରିକାରେ ନିୟମ କରାଉଛନ୍ତି।

ପ୍ରତି ୫ ବର୍ଷରେ ପଞ୍ଚାୟତ ନିର୍ବାଚନ ହୋଇଥାଏ। ମତଦାତାଙ୍କୁ ବହୁ ପ୍ରତିଶ୍ରୁତି ମିଳେ ଏବଂ ଭୋଟରମାନେ ଭରସା କରି ପ୍ରାର୍ଥୀଙ୍କୁ ନିର୍ବାଚିତ ମଧ୍ୟ କରାଇଥାନ୍ତି। ଅନେକ ଭୋଟର ନିର୍ବାଚନ ପରେ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ପ୍ରତାରଣାର ମଧ୍ୟ ଶିକାର ହୁଅନ୍ତି। ଅନୁଗୁଳ ଜିଲ୍ଲା ପୋକତୁଙ୍ଗା ପଞ୍ଚାୟତରେ ଜୋସ୍ନାମୟୀ କର ଦୀର୍ଘ ବର୍ଷ ହେବ ଚାଳ ଛପର ଘରେ ରହିଆସୁଛନ୍ତି। ଚାଳ ଛପର ଘରେ ବର୍ଷା ଓ ଖରାରୁ ରକ୍ଷା ପାଇବା ପାଇଁ ଏକ ପଲିଥିନ ଢ଼ାଙ୍କି ଥିବା ଦେଖିବାକୁ ମିଳିଛି। ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ ସେ ଏଥିରୁ ବଞ୍ଚିତ ହୋଇଥିବା କହିଛନ୍ତି।

ନିର୍ବାଚନ ପରେ ନିର୍ବାଚନ ଯାଉଛି ନୁଆଁ ନୁଆଁ ସରପଞ୍ଚ ମଧ୍ୟ ନିର୍ବାଚିତ ହେଉଛନ୍ତି କିନ୍ତୁ ଘର ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ହେଉ କି ବିଜୁପକ୍କା ଘର ଟିଏ ମିଳି ପାରିନଥିବାରୁ ଶେଷରେ ବାଧ୍ୟ ହୋଇ ପାର୍ଥିଙ୍କୁ ମୁଣ୍ଡ ଛୁଆଇଁ ଶପଥ ପାଠ କରାଇଛନ୍ତି। ଏ ବାବଦରେ ପଂଚାୟତ କାର୍ଯ୍ୟାଳୟ ଓ ବ୍ଲକ ଅଫିସ ଦଉଡି ଦଉଡି ମଧ୍ୟ କୌଣସି ସୁଫଳ ମିଳି ପାରିନି। ଜ୍ୟୋସ୍ନାମୟୀଙ୍କୁ ଘର ମିଳିନାହିଁ ତାହା ନୁହେଁ ଆହୁରି ଅନେକ ହିତାଧିକାରୀ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ଫଳ ସ୍ୱରୂପ ପଂଚାୟତ ନିର୍ବାଚନରେ ପ୍ରାର୍ଥୀମାନଙ୍କୁ ମୁଣ୍ଡ ଛୁଇଁ ପ୍ରତିଶ୍ରୁତି ଦେବାକୁ ପଡୁଛି। ସରପଞ୍ଚ ପ୍ରାର୍ଥୀ ହେମନ୍ତ ମହାଳିକ ଭୋଟ ପ୍ରଚାର ପାଇଁ ଯାଇଥିବା ବେଳେ ମୁଣ୍ଡ ଛୁଇଁ ଶପଥ କରିଥିବା ବେଳେ, ସରପଞ୍ଚ ହେବା ମାତ୍ରେ ପ୍ରଥମେ ପ୍ରତିଶ୍ରୁତି ରଖିବା ନେଇ ମତ ରଖିଛନ୍ତି। ଏନେଇ ଘର ପାଇଁ ଯୋଗ୍ୟହିତାଧିକାରୀଙ୍କ ତାଲିକା କରି ପ୍ରଥମେ ଏ ମୁଖ୍ୟ ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିବା ନେଇ କହିଛନ୍ତି। ପଞ୍ଚାୟତରେ ବିଭିନ ସମସ୍ୟା ଦୂର କରିବା ନେଇ ପ୍ରତିଶ୍ରୁତି ଦେଉଥିବା ପ୍ରାର୍ଥୀ ମାନେ ମୁଣ୍ଡ ଛୁଇଁ ଶପଥ କରିବା ଘଟଣା, ଚଳିତ ନିର୍ବାଚନରେ ପ୍ରାର୍ଥୀ ମାନଙ୍କୁ କେତେ ସହାୟକ ହୋଇପାରୁଛି ଓ ପ୍ରାର୍ଥୀ ମାନେ ତାଙ୍କ ଶପଥ ଓ ପ୍ରତିଶୃତି କେତେ ରକ୍ଷା କରୁଛନ୍ତି ତାହା ସମୟ ହିଁ ସ୍ପଷ୍ଟ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe