ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା: ଜାନୁଆରି ୫ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

Advertisment
ସତର୍କତା ବଢ଼ାଇଲେ ନିର୍ବାଚନ କମିସନ: ଓଡ଼ିଶା ସମେତ ୬ ରାଜ୍ୟ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ

Times Now

ଭୁବନେଶ୍ବର: ୧ ଜାନୁଆରି ୨୦୨୨କୁ ଯୋଗ୍ୟତାଭିତ୍ତିକ ତାରିଖ ଭାବେ ଗ୍ରହଣ କରି ଭାରତ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି। ଏଥିପାଇଁ ଆସନ୍ତା ନଭେମ୍ବର ୧ରେ ରାଜ୍ୟର ସମସ୍ତ ୩୭,୬୦୬ଟି ଭୋଟ୍‌ ଗଣତି କେନ୍ଦ୍ର ସହ ୫୮ଟି ଉପଜିଲ୍ଲାପାଳ ତଥା ଭୋଟ୍‌ ପଞ୍ଜୀକରଣ ଅଧିକାରୀ ଓ ୩୦ଟି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଯେଉଁମାନେ ନାମ ସାମିଲ୍‌ କରିବାକୁ ଥିବେ ବା କାଟିବାକୁ ଚାହୁଁଥିବେ ବା‌ କୌଣସି ସଂଶୋଧନ କରିବାକୁ ଚାହୁଁଥିବେ ସେମାନେ ନଭେମ୍ବର ୧ରୁ ୩୦ତାରିଖ ମଧ୍ୟରେ ଆବେଦନ କରିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

ଶ୍ରୀ ଲୋହାନୀ କହିଛନ୍ତି ଯେ, ନାଗରିକମାନେ ଭୋଟର ତାଲିକାରେ ସେମାନଙ୍କ ନାମ ସାମିଲ୍‌ କରିବା ବା ବାଦ୍‌ କରିବା, ସଂଶୋଧନ ନିମନ୍ତେ ଦାବି ଓ ଆପତ୍ତି ସଂପୃକ୍ତ ଭୋଟ୍ ପଞ୍ଜୀକରଣ ଅଧିକାରୀଙ୍କୁ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଜଣାଇପାରିବେ। ଏହାଛଡ଼ା ଭୋଟର୍‌ ହେଲ୍ପଲାଇନ୍ ଆପ୍ କିମ୍ବା nvsp.in ଆପ୍‌କୁ ଯାଇ ଲୋକମାନେ ଘରେ ବସି ଅନଲାଇନ୍‌ରେ ଆବେଦନ କରିପାରିବେ। ଭୋଟର ତାଲିକାରେ ନୂତନ ଭାବେ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ ନଂ-୬, ଭୋଟର ତାଲିକାରୁ ନାମ ବାଦ୍‌ ଦେବା ନିମନ୍ତେ ଫର୍ମ ନଂ-୭ ଓ ଭୋଟର ତାଲିକାରେ ନାମ, ଠିକଣା ଓ ବୟସ ଇତ୍ୟାଦିରେ ତ୍ରୁଟି ଥିଲେ ଫର୍ମ ନଂ-୮ରେ ଆବେଦନ କରିପାରିବେ। ଗୋଟିଏ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଅନ୍ୟ ଏକ ସ୍ଥାନକୁ ପରିବର୍ତ୍ତନ କରିବାକୁ ହେଲେ ଫର୍ମ ନଂ-୮(କ)ରେ ଆବେଦନ କରିପାରିବେ। ଏଥର ନିଜେ ମତଦାତା ସବୁ ଡକୁମେଣ୍ଟ ଅପଲୋଡ୍ କରିବାର ସୁଯୋଗ ଥିବାରୁ ତାଲିକା ତ୍ରୁଟିଶୂନ୍ୟ ହେବ ବୋଲି ଆଶା କରାଯାଉଛି। ଆବେଦନକାରୀ ବାସସ୍ଥାନ ପାଇଁ ବିଦ୍ୟୁତ୍‌ ବିଲ୍‌/ଟେଲିଫୋନ୍‌ ବିଲ୍‌/ଜମିଜମା ଦସ୍ତାବିଜ୍‌ ସ୍କାନ୍ କରି ଅପଲୋହ୍‌ କରିବେ।

ଜନ୍ମତାରିଖ ପ୍ରମାଣିତ କରିବା ନିମନ୍ତେ ଜନ୍ମ ପ୍ରମାଣପତ୍ର/ପାସ୍‌ପୋର୍ଟ/ପ୍ୟାନ୍ କାର୍ଡ/ମାଟ୍ରିକ ସାର୍ଟିଫିକେଟ୍/ଡ୍ରାଇଭିଂ ଲାଇସେନ୍ସର ସ୍କାନ୍ କପି ସହ ପାସ୍‌ପୋର୍ଟ ସାଇଜ୍‌ର ଫଟୋ ଅପଲୋଡ୍‌ କରିପାରିବେ। ବୁଥ୍ ସ୍ତରୀୟ ଏଜେଣ୍ଟମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତିରେ ଭୋଟ୍‌ ପଞ୍ଜୀକରଣ ଅଧିକାରୀଙ୍କୁ ସହାୟତା କରିବେ। ଯେପରି ଜଣେ ଯୋଗ୍ୟ ଭୋଟର୍‌ ବାଦ୍‌ ପଡ଼ିବେନି ସେଥିପାଇଁ ନଭେମ୍ବର ମାସର ପ୍ରଥମ ଓ ତୃତୀୟ ରବିବାର ଅର୍ଥାତ୍ ନଭେମ୍ବର ୭ ଓ ୨୧ ତାରିଖରେ ସବୁ ବୁଥ୍‌ରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ। ଏହି ଦିନ ବୁଥ୍ ସ୍ତରୀୟ ଅଧିକାରୀମାନେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉପସ୍ଥିତ ରହି ନାଗରିକମାନଙ୍କର ଆପତ୍ତି ଓ ଅଭିଯୋଗ ଗ୍ରହଣ କରିପାରିବେ। ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ରାଜ୍ୟ ସରକାରଙ୍କର ୯ଜଣ ବରିଷ୍ଠ ଅଧିକାରୀଙ୍କୁ ରୋଲ୍‌ ଅବଜରଭର ଭାବେ ନିଯୁକ୍ତ କରାଯାଇଛି। ସେମାନେ ଜିଲ୍ଲା ଗସ୍ତ କରି ସମସ୍ତ କାର୍ଯ୍ୟର ତଦାରଖ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ। ଡିସେମ୍ବର ୨୦ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଓ ଅଭିଯୋଗଗୁଡ଼ିକର ଫଏସଲା ହେବ ଓ ଚୂଡ଼ାନ୍ତ ଭୋଟର ତାଲିକା ଜାନୁଆରି ୫, ୨୦୨୨ରେ ପ୍ରକାଶ ପାଇବ। ଚଳିତବର୍ଷ ଭୋଟରମାନଙ୍କ ଘରକୁ ଭୋଟ ପରିଚୟପତ୍ର ସ୍ପିଡପୋଷ୍ଟ ମାଧ୍ୟମରେ ପଠାଯିବ। ଏଥିପାଇଁ ଠିକ୍ ଡାକ ଠିକଣା ଏବଂ ମୋବାଇଲ୍ ନମ୍ବର ଦେବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe