କୋଭିଡ ଗାଇଡଲାଇନ୍ ଅନୁସାରେ ହେବ ମତଦାନ ଓ ଗଣତି

ଦୁଇ ଡୋଜ୍‌ ଟିକା ନେଇଥିଲେ ବି ଗଣତି ପୂର୍ବରୁ ଆର୍‌ଟିପିସିଆର୍‌ ଟେଷ୍ଟ ହେବ

କୋଭିଡ ଗାଇଡଲାଇନ୍ ଅନୁସାରେ ହେବ ମତଦାନ ଓ ଗଣତି

Image Courtesy of Zee News

ଭୁବନେଶ୍ବର : ଚଳିତ ପଞ୍ଚାୟତ ନିର୍ବାଚନରେ ମତଦାନ ଓ ମତଗଣନା କାର୍ଯ୍ୟ କୋଭିଡ-୧୯ ନିୟମାବଳୀ ଅନୁସାରେ ହେବ। ଏଥିପାଇଁ ମତଦାନର ପୂର୍ବଦିନ ମତଦାନ କେନ୍ଦ୍ରଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯିବ ଏବଂ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ଦ୍ବିତୀୟ ଡୋଜ୍ କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯିବ। ମତଦାନ କେନ୍ଦ୍ରରେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବା ଓ ସାନିଟାଇଜର୍ ବ୍ୟବହାର କରିବା ବାଧ୍ୟତାମୂଳକ। ଭୋଟ୍‌ ଦିନ ଭୋଟରଙ୍କ ପ୍ରବେଶ ପାଇଁ ପ୍ରବେଶ ଦ୍ବାର ନିକଟରେ ଥର୍ମାଲ୍ ସ୍କ୍ରିନିଂ ସହ ସାନିଟାଇଜର୍ ବ୍ୟବହାର କରାଯିବ। ପ୍ରତ୍ୟେକ ଭୋଟର ମାସ୍କ ପିନ୍ଧି ମତଦାନ କରିବେ।

ସେହିପରି ମତଗଣନା ନିମନ୍ତେ ଚିହ୍ନଟ ହୋଇଥିବା ମତଗଣନା କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯିବ। ମତଗଣନାରେ ନିୟୋଜିତ ସମସ୍ତ କର୍ମଚାରୀ ଦ୍ବିତୀୟ ଡୋଜ୍‌ ଟିକା ନେବା ବାଧ୍ୟତାମୂଳକ କରାଯିବ। ସମସ୍ତ କର୍ମଚାରୀ ମାସ୍କ ଓ ଗ୍ଲୋବ୍ସ ପିନ୍ଧି ମତଗଣନା କାର୍ଯ୍ୟରେ ନିୟୋଜିତ ହେବେ। କାଉଣ୍ଟିଂ ଏଜେଣ୍ଟମାନେ ମଧ୍ୟ ମାସ୍କ ପିନ୍ଧିବା ସହ ଦ୍ବିତୀୟ ଡୋଜ୍ ଟିକା ନେଇଥିବା ବାଧ୍ୟତାମୂଳକ ହେବ। ମତଗଣନା କେନ୍ଦ୍ରରେ ସାମାଜିକ ଦୂରତା ରଖି କର୍ମଚାରୀମାନେ କାର୍ଯ୍ୟ କରିବେ।

ଅପରପ‌େକ୍ଷ ମତଗଣନା କେନ୍ଦ୍ରକୁ ପ୍ରବେଶ ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀ ଦ୍ବିତୀୟ ଡୋଜ୍‌ ଟିକା ନେଇଥିଲେ ବି ମତଗଣନାର ୪୮ଘଣ୍ଟା ମଧ୍ୟରେ ଆର୍‌ଟିପିସିଆର୍ ଟେଷ୍ଟ କରି ରିପୋର୍ଟ ଆଣିବେ। ଏଠାରେ ନିୟୋଜିତ ହେବାକୁ ଥିବା ସୁରକ୍ଷାକର୍ମୀ ବି କୋଭିଡ ନିୟମ ମାନିବେ। କୋଭିଡ ଦ୍ବିତୀୟ ଡୋଜ୍ ଟିକା ନେଇଥିବା ସତ୍ତ୍ବେ ଯଦି କୋଭିଡ୍‌ର କୌଣସି ଲକ୍ଷଣ ଯଥା ଜ୍ବର, ସର୍ଦ୍ଦି, ଥଣ୍ଡା ଆଦି ଲକ୍ଷଣ ଦେଖାଯାଏ ତେବେ ଉକ୍ତ କର୍ମଚାରୀଙ୍କୁ ମତଗଣନା କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ମିଳିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe