ପୌର ନିର୍ବାଚନ: ଗଞ୍ଜାମରେ ୫୮.୨୯ ପ୍ରତିଶତ ମତଦାନ; ରମ୍ଭାରେ ସର୍ବାଧିକ ୭୬.୩୩% ଭୋଟ୍‌ ଗ୍ରହଣ

ପୌର ନିର୍ବାଚନ: ଗଞ୍ଜାମରେ ୫୮.୨୯ ପ୍ରତିଶତ ମତଦାନ; ରମ୍ଭାରେ ସର୍ବାଧିକ ୭୬.୩୩% ଭୋଟ୍‌ ଗ୍ରହଣ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଜି ସରିଛି ପୌର ନିର୍ବାଚନ। ଚିକିଟି ଏନ୍‌ଏସିକୁ ଛାଡ଼ି ଦେଲେ ଅନ୍ୟ କୌଣସି ସ୍ଥାନରେ ସେଭଳି କୌଣସି ବଡ଼ଧରଣର ହିଂସାକାଣ୍ଡ କି ଅଘଟଣ ଘଟି ନାହିଁ। ଜିଲ୍ଲାର ମୋଟ ୧୬ଟି ଏନ୍‌ଏସିରେ ଗୋଟିଏ ପୌରପାଳିକା ଓ ବ୍ରହ୍ମପୁର ମହାନଗରରେ ଆଜି ଭୋଟ୍‌ ଗ୍ରହଣ ହୋଇଛି।  ୧୮ଟି ପୌରାଞ୍ଚଳରେ ମୋଟ ୫୮.୨୯ ପ୍ରତିଶତ ମତଦାନ  ହୋଇଛି। ରମ୍ଭା ଏନ୍‌ଏସିରେ ସର୍ବାଧିକ ୭୬.୩୩ ପ୍ରତିଶତ ଭୋଟ୍‌ ସଂଗ୍ରହ ହୋଇଛି। ଗୋପାଳପୁର ଏନ୍‌ଏସିରେ ସର୍ବନିମ୍ନ ୫୨.୨୪ ପ୍ରତିଶତ ମତଦାନ ସଂଗ୍ରହ ହୋଇଥିବା ସୂଚନା ମିଳିଛି। ଚଳିତ ପୌର ନିର୍ବାଚନରେ ‌ପୌରାଧ୍ୟକ୍ଷ ପାଇଁ ସିଧାସଳଖ ନିର୍ବାଚନ ହୋଇଛି।
ଭୋଟର୍‌ମାନେ କାଉନ୍‌ସିଲର୍‌ ଓ ପୌରାଧ୍ୟକ୍ଷଙ୍କୁ ବାଛିଛନ୍ତି। ଗଞ୍ଜାମ ଜିଲ୍ଲାର ୧୬ଟି ଏନ୍‌ଏସି ଓ ଗୋଟିଏ ପୌରପାଳିକାରେ ମୋଟ ୨୭୭ଟି ବୁଥ୍‌ର ବ୍ୟବସ୍ଥା କରାଯାଇଥିଲା। ତନ୍ମଧ୍ୟରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୯ଟି ପିଙ୍କ୍‌ ବୁଥ୍‌ କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ, ରମ୍ଭା, ଛତ୍ରପୁର, ହିଂଜିଳିକାଟୁ, ପୁରୁଷୋତ୍ତମପୁର ଓ ବ୍ରହ୍ମପୁର ମହାନଗରର ବିଭିନ୍ନ ବୁଥ୍‌ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଗଞ୍ଜାମ ଏସ୍‌.ପି. ବ୍ରିଜେଶ ରାୟ ଓ ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ରଙ୍କ ତତ୍ତ୍ବାବଧାନରେ ବୁଥ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଉଭୟ ଏସ୍‌.ପି. ଜିଲ୍ଲାର ବିଭିନ୍ନ ବୁଥ୍‌ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।
ସେହିପରି ଭିନ୍ନକ୍ଷମ ଭୋଟର୍‌ଙ୍କୁ ସହଯୋଗ କରିବା ପାଇଁ ଏନ୍‌ସିସି କ୍ୟାଡେଟ୍‌ ଓ ସ୍କାଉଟ୍‌ ଗାଇଡ୍‌ଙ୍କୁ ସ୍ବେଚ୍ଛାସେବୀ ଭାବେ ନିୟୋଜିତ କରାଯାଇଥିଲା। ଭିନ୍ନକ୍ଷମଙ୍କ ପାଇଁ ହ୍ବିଲ୍‌ ଚେୟାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସକାଳ ୮ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ଅପରାହ୍‌ଣ ୫ଟାରେ ଶେଷ ହୋଇଥିଲା। ଜିଲ୍ଲାରୁ ମୋଟ ୫୮.୨୯ ପ୍ରତିଶତ ମତଦାନ ସଂଗ୍ରହ ହୋଇଛି। ବ୍ରହ୍ମପୁର ମହାନଗରରୁ ୫୨.୩୬ ପ୍ରତିଶତ ମତଦାନ ସଂଗ୍ରହ ହୋଇଛି। ଇଭିଏମ୍‌ ମେସିନ୍‌ରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇ ରହିଛି। ଆସନ୍ତା ୨୬ତାରିଖରେ ଗଣତି ହେବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe