ଏମସିଏଲ ବିସ୍ଥାପିତ ୫ ଗାଁରେ ଭୋଟ୍ ବର୍ଜନ

ଝୁପୁରୁଙ୍ଗା, କିରିପସିରା, ତୁମୁଲିଆ,ରତନସରା, ସରଡେଗା ଭୋଟର ବୁଥ୍‌କୁ ଆସୁ ନାହାନ୍ତି

ଏମସିଏଲ ବିସ୍ଥାପିତ ୫ ଗାଁରେ ଭୋଟ୍ ବର୍ଜନ

ସୁନ୍ଦରଗଡ଼: ପୂର୍ବ ନିଷ୍ପତ୍ତି ଅନୁସାରେ ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ କୋଇଲା ଖଣି ବିସ୍ଥାପିତ ୫ଟି ଗାଁ ଝୁପୁରୁଙ୍ଗା, କିରିପସିରା ଓ ତୁମୁଲିଆର ଭୋଟର ଭୋଟ୍ ବର୍ଜନ କରିଛନ୍ତି। ମତ ଗ୍ରହଣ ପାଇଁ ବୁଥ୍‌ରେ ପୋଲିଂ କର୍ମଚାରୀ ପ୍ରସ୍ତୁତ ହୋଇ ଅପେକ୍ଷା କରିଥିଲେ। କିନ୍ତୁ ପୂର୍ବାହ୍ନ ୧୧ଟା ସୁଦ୍ଧା ଖବର ଲେଖାଯିବା ପର୍ଯ୍ୟନ୍ତ ଜଣେ ବି ଭୋଟର ମତଦାନ କେନ୍ଦ୍ରକୁ ଆସି ନ ଥିବା ସୂଚନା ମିଳିଛି।

ଅଭିଯୋଗ ରହିଛି, ୩୦ ବର୍ଷର ସଂଘର୍ଷ ସତ୍ତ୍ବେ ଏମସିଏଲ କର୍ତ୍ତୃପକ୍ଷ କି ପ୍ରଶାସନ ବିସ୍ଥାପିତ ୧୪ ଖଣ୍ଡ ଗାଁ ତୁମୁଲିଆ, ଝୁପୁରୁଙ୍ଗା, କିରପସିରା, ରତନସରା, ଗୋପାଳପୁର, ସରଡେଗା, ଟିକିଲିପଡ଼ା, ଗର୍ଜନବାହାଲ, ବାଙ୍ଗୁରକେଲା, କରଲିକଛାର, ସିଆରମାଲ, କୁଲଡା, ବଲିଙ୍ଗା, ବାଙ୍କିବାହାଲ ମଧ୍ୟରୁ କୌଣସି ଗୋଟିଏ ବି ଗାଁକୁ ନୀତି ଅନୁଯାୟୀ ସମ୍ପୂର୍ଣ୍ଣ ରୂପେ ପୁନର୍ବାସ ଓ ଥଇଥାନ କରି ନାହାନ୍ତି। ପ୍ରତିବାଦରେ ଲୋକେ ବହୁବାର ଆନ୍ଦୋଳନ କରିଛନ୍ତି, କିନ୍ତୁ ଖାଲି ପ୍ରତିଶ୍ରୁତି ଦେଇ ଏମସିଏଲ ଭଣ୍ଡି ଚାଲିଛି।

ଏଥିପାଇଁ ବିସ୍ଥାପିତ କୋର୍ଟ ବି ଯାଇଛନ୍ତି। ଶେଷକୁ ଗତ ୨୦୨୨ ନଭେମ୍ବର ୩ରେ ସର୍ବୋଚ୍ଚ ନ୍ୟାୟାଳୟ ଏମସିଏଲ ବିସ୍ଥାପିତଙ୍କୁ ଗୋଟିଏ ବର୍ଷ ମଧ୍ୟରେ ପୁନର୍ବାସ, ଥଇଥାନ ଓ ୬ ମାସ ମଧ୍ୟରେ ନିଯୁକ୍ତି ଦେବାକୁ ଆଦେଶ ଦେଇଥି‌ଲେ। କିନ୍ତୁ ଦେଢ଼ ବର୍ଷ ବିତିଯିବା ପରେ ବି ଏମସିଏଲ କର୍ତ୍ତୃପକ୍ଷ ଓ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। କୋର୍ଟଙ୍କ ଆଦେଶକୁ ବି କମ୍ପାନି ମାନି ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ମାର୍ଚ୍ଚ ୧୪ ତାରିଖରେ ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ଅଧିକାର ସୁରକ୍ଷା ମଞ୍ଚ ନେତୃତ୍ବରେ ୧୪ଟି ବିସ୍ଥାପିତ ଗାଁର ଲୋକେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭୋଟ ବର୍ଜନର ଚରମପତ୍ର ଦେଇଥିଲେ।

publive-image

ଏହା ପରେ ପ୍ରଶାସନ ବୈଠକ ଡାକି ଗଣତନ୍ତ୍ରର ମହାପର୍ବକୁ ବର୍ଜନ ନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଦାବିକୁ ଝୁଲାଇ ରଖିବାରୁ ପ୍ରତିବାଦରେ ୧୭ ତାରିଖ ଅପରାହ୍ନ ୫ଟାରେ ତୁମୁଲିଆ ଗୋଷ୍ଠୀ କେନ୍ଦ୍ରଠାରେ ଅନୁଷ୍ଠିତ ଏକ ବୈଠକରେ ୧୪ ବିସ୍ଥାପିତ ଗାଁ ମଧ୍ଯରୁ ୭ଟି ଗାଁ ଗଡ଼ତୁମଲିଆ, ଝୁପୁରୁଙ୍ଗା, ରତନସରା, କିରିପସିରା, ବାଙ୍ଗୁରକଲା , ଟିକଲିପଡ଼ା, ସରଡେଗା ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲେ। ତନ୍ମଧ୍ୟରୁ ୫ଟି ଗାଁରେ ଭୋଟର ଭୋଟ ଦେବାକୁ ଆସି ନ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe