ଜଳଯୋଗାଣ ନ ହେଲେ ଭୋଟ୍‌ବର୍ଜନ ଚେତାବନୀ: ପାଣି ପାଇଁ ରାସ୍ତାରେ ବସିଲେ ମହିଳା

Advertisment
ଜଳଯୋଗାଣ ନ ହେଲେ ଭୋଟ୍‌ବର୍ଜନ ଚେତାବନୀ: ପାଣି ପାଇଁ ରାସ୍ତାରେ ବସିଲେ ମହିଳା

କଣିହାଁ: କଣିହାଁ ବ୍ଲକ୍‌ ଶୁଶୁବା ପଞ୍ଚାୟତ ଅନ୍ତର୍ଗତ ପୋଡ଼ାଗଡ଼ ଗାଁ କୋଡ଼ାସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଗ୍ରୀଷ୍ମ ପ୍ରବାହରେ ସାହିବାସୀ ପାନୀୟଜଳ ପାଇବା ପାଇଁ ଡହଳବିକଳ ହେଉଛନ୍ତି। ପାନୀୟ ଜଳ‌‌ଯୋଗାଣ ଦାବିରେ ଆଜି ସକାଳେ ସାହିର ମହିଳାମାନେ ଗରା, ମାଠିଆ ଧରି ରେଙ୍ଗାଳି-ଖମାର ରାସ୍ତାର ପୋଡ଼ାଗଡ଼ ବସ୍‌ଷ୍ଟାଣ୍ଡ ନିକଟରେ ରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ‘ଆମକୁ ପାଣି ନାହିଁ ତ ଭୋଟ୍‌ ନାହିଁ’ ବୋଲି କହି ଆସନ୍ତା ୨୫ତାରିଖରେ ହେବାକୁ ଥିବା ନିର୍ବାଚନରେ ଭୋଟ୍‌ ବର୍ଜନ କରିବାକୁ ଚେତାବନୀ ଦେଇଥିବା ଜଣାପଡ଼ିଛି।

ସାହିବାସୀ କହିଛନ୍ତି ଯେ ଆଜିକୁ ୨୫ ଦିନ ହେଲା ତାଙ୍କ ସାହିକୁ ପାଇପ୍‌ରେ ପାଣି ଆସୁନାହିଁ। ଫଳରେ ଲୋକମାନେ ପିଇବା ପାଣି ପାଉନାହାନ୍ତି। ପୋଡ଼ାଗଡ଼ ଗାଁରେ ଲୋକମାନଙ୍କୁ ପାନୀୟଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଏକ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ କରାଯାଇଛି। ସେହି ପ୍ରକଳ୍ପରୁ ଗାଁ ଲୋକମାନଙ୍କୁ ପାଇପ୍‌ ଦ୍ୱାରା ପାଣି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ହେଲେ ପାଇପ୍‌ରେ ପାଣି କେବେ ଆସିଲେ, କେବେ ଆସେ ନାହିଁ। ପାଣି ପାଇଁ ସାହିର ଲୋକମାନେ ସାହିଠାରୁ ୩ କିଲୋମିଟର ଦୂରରେ ଥିବା ବ୍ରାହ୍ମଣୀ ନଦୀରୁ ବହୁକଷ୍ଟରେ ମୁଣ୍ଡରେ ମାଠିଆ, ଗରା ବୋହି ପାଣି ଆଣୁଛନ୍ତି। ସେହି ପାଣିକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ଆଉ କିଛି ଲୋକ ପୋଡ଼ାଗଡ଼ ଗାଁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନଳକୂଅରୁ ପାଣି ଆଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।

ପୋଡ଼ାଗଡ଼ ଗାଁ କୋଡ଼ାସାହିରେ ୪୦ ପରିବାର ବାସ କରୁଥିବା ବେଳେ ସାହିରେ ଆଦୌ ନଳକୂଅ ନାହିଁ। ନଳକୂଅ ବସାଇବାକୁ ସାହିବାସୀ ବହୁବାର ବିଡିଓ, ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ, ସେମାନେ ଆଜି ପର୍ଯ୍ୟନ୍ତ ସାହିରେ ନଳକୂଅଟିଏ ବସାଇପାରିଲେ ନାହିଁ ବୋଲି ସାହିବାସୀ ଅଭିଯୋଗ କରିଥିଲେ। ତେଣୁ ସାହିର ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ନଦେଲେ ସେମାନେ ଭୋଟ୍‌ ବର୍ଜନ କରିବେ ବୋଲି ମମତା ଝାଙ୍ଗର, ଶାନ୍ତିଲତା ଝାଙ୍କର, ଉତ୍ତମ ଝାଙ୍କର, ଗୁରୁବାରି ଝାଙ୍କର, ସୂର୍ଯ୍ୟ ଝାଙ୍କର ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe