ଭିଏସ୍‌ଏସ୍‌ ବିମାନବନ୍ଦରରେ ଆଇଏଲ୍‌ଏସ୍‌ କାମ ଚାଲିଛି

ଭିଏସ୍‌ଏସ୍‌ ବିମାନବନ୍ଦରରେ ଆଇଏଲ୍‌ଏସ୍‌ କାମ ଚାଲିଛି

Odisha Sun Times

ଝାରସୁଗୁଡ଼ା : ପାଗ ଖରାପ ଯୋଗୁଁ ଦୀର୍ଘ ସପ୍ତାହେ ଧରି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନ ଉଡ଼ାଣ ବାତିଲ ହେବାପରେ ସର୍ବତ୍ର ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିମାନ ବନ୍ଦରରେ ଆବଶ୍ୟକ ବୈଷୟିକ ସୁବିଧା ସୁଯୋଗ ନଥିବାରୁ ପାଗ ଖରାପ ହେଲେ ଭଲ କରି ଦେଖା ଯାଉ ନଥିବାରୁ ଏହି ବିମାନ ବନ୍ଦରରେ ବିମାନ ଅବତରଣ ଓ ଉଡ଼ାଣ ସମ୍ଭବ ହୋଇ ନଥାଏ। ଇନ୍‌ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ ବ୍ୟବସ୍ଥା ଥିଲେ କମ୍‌ ଭିଜୁଆଲରେ ମଧ୍ୟ ବିମାନ ଅବତରଣ ଓ ଉଡ଼ାଣ କରି ପାରିଥାଏ। ତେଣୁ ଏହି ବ୍ୟବସ୍ଥା ଏଠାରେ ଜରୁରୀ ହୋଇଥିବାରୁ ଏଠାରେ ଶୀଘ୍ର ଆଇଏଲ୍ଏସ୍‌ ବା ଇନ୍‌ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ ଲଗାଯିବାକୁ ସବୁ ମହଲରୁ ଦାବି ଉଠିଛି। ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି ଯେ ଖୁବ୍‌ ଶୀଘ୍ର ଇନ୍‌ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ ଏହି ବିମାନ ବନ୍ଦରରେ ଲାଗିବ ଓ ଏଥିପାଇଁ କାର୍ଯ୍ୟ ଚାଲିଛି। ପୂର୍ବରୁ ଏଠାରେ ଭିଓଆର୍‌ ଓ ଡିଏମ୍‌ଇ ସିଷ୍ଟମ କାମ ସଂପୂର୍ଣ୍ଣ ହୋଇଥିବା ବେଳେ ଏହାକୁ ଡିଜିସିଏ ମଧ୍ୟ ଅନୁମୋଦନ କରି ସାରିଛି। ଖୁବ୍‌ ଶୀଘ୍ର ଏହି ସିଷ୍ଟମ ମଧ୍ୟ ଚାଲୁ ହୋଇଯିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍‌.କେ.ଚୌହାନ କହିଛନ୍ତି। ଗତ ସପ୍ତାହରେ ବର୍ଷା ଯୋଗୁଁ ପାଗ ଖରାପ ରହୁଥିବାରୁ ପ୍ରତିଦିନ ବିମାନ ବାତିଲ ‌କରିବାକୁ ପଡ଼ୁଥିଲା। ଏହି ବିମାନ ବନ୍ଦରରୁ ଯିବାକୁ ଥିବା ଓ ଆସିବାକୁ ଥିବା ଶହ ଶହ ବିମାନ ଯାତ୍ରୀ ପୂର୍ବରୁ ବିମାନ ଟିକେଟ କରି ଶେ‌ଷ ମୁହୂର୍ତ୍ତରେ ବିମାନ ବାତିଲ ଯୋଗୁଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe